National News

ବାସ୍ତବ ସତ୍ୟର ଅନୁସନ୍ଧାନ-2

ବାସ୍ତବ ସତ୍ୟର ଅନୁସନ୍ଧାନ ଦ୍ଵିତୀୟ ଅଧ୍ୟାୟରେ ଆଜି ଆଲୋଚନା କରିବା, ବାସ୍ତବ ସତ୍ୟ ଆଉ ମଣିଷର ଦୁଃଖ ମଧ୍ୟରେ ସମ୍ପର୍କ କ’ଣ ?! ଦେଖିବାକୁ ଗଲେ ଦୁଃଖ, ନୈରାଶ୍ୟ ତଥା ବିଭିନ୍ନ ଅସୁବିଧା ହୁଏତ କାହାକୁ ଛାଡ଼ିନାହିଁ ଆମ ସମାଜରେ I ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ ଯାହାକୁ ପଚାରିଲେ ବିଭିନ୍ନ ଦିଗରେ କିଛି ନା କିଛି ଦୁଃଖ ବାଢ଼ିଥା’ନ୍ତି ! କାହାର କେଉଁଥିରେ ଦୁଃଖ, ନୈରାଶ୍ୟ ଦେଖିବାକୁ ମିଳିଥାଏ ତାର କୌଣସି ସଜ୍ଞା କି ଦିଗ ବାରି ହୋଇ ନଥାଏ I ହେଲେ ସମସ୍ତେ ଯିଏ ଯେଉଁ ଦିଗରୁ ଦୁଖୀ ହୁଅନ୍ତୁ ନା କାହିଁକି ମଣିଷ ଦୁଖୀ ହେବାର ପ୍ରକୃତ କାରଣ କ’ଣ ହୋଇପାରେ ବିଚାର କରି ଦେଖିବା I

କହିବାକୁ ଗଲେ ସାଧାରଣରେ ଆର୍ଥିକ କ୍ଳେଶ ଅଧିକାଂଶ ମଣିଷଙ୍କୁ ଦୁଃଖ ଘେରରେ ରଖିଥିବା ବେଳେ ଶାରୀରିକ ରୋଗ, ମାନସିକ ଯନ୍ତ୍ରଣା, ସାମାଜିକ ଅପମାନ ଭଳି ଅନ୍ୟାନ୍ୟ ଦୁଃଖ ଗୁଡିକ ମଧ୍ୟ କିଛି କମ ଯନ୍ତ୍ରଣାଦାୟୀ ନୁହନ୍ତି I ହେଲେ ମଣିଷକୁ ଯାହାସବୁ ଦୁଃଖ ଦେଇଥାଏ ସେଗୁଡିକ ମଧ୍ୟରୁ ପ୍ରାୟତଃ ସବୁ ଗୁଡିକ ମନୁଷ୍ୟକୃତ, କୃତ୍ରିମ ହୋଇଥିବା ବେଳେ ପ୍ରାକୃତିକ ପ୍ରଭାବ ଜନିତ ଦୁଃଖ ଅତ୍ୟନ୍ତ ନଗଣ୍ୟ ଯାହା ଅତି ବିରଳ ସମୟରେ ଆସିଥାଏ I ତାହେଲେ ମନୁଷ୍ୟକୃତ ଅପ୍ରାକୃତିକ ଦୁଃଖ ଗୁଡିକ ସାଧାରଣ ମଣିଷଙ୍କୁ ବ୍ୟଥିତ କରିବାର କାରଣ କ’ଣ ?! 

ଯେ କୌଣସି ଦୁଃଖ ହେଉ କି ନୈରାଶ୍ୟର ଭିତ୍ତିଭୂମି ରହିଥାଏ କେବଳ ଅଜ୍ଞାନତାରେ ! ଅର୍ଥାତ ମଣିଷ ନିଜର ସଚେତନ ଜ୍ଞାନ ସୃଷ୍ଟି କରିବାରେ ଅସମର୍ଥ ହେବା କାରଣରୁ ସବୁବେଳେ ସବୁ କଥାରେ ଅନ୍ୟ କାହାର ମତବାଦ କିମ୍ବା ଉପଦେଶ ଉପରେ ନିର୍ଭର କରି ନିଜ ଜୀବନକୁ ପରିଚାଳିତ କରୁଥିବା ଅସ୍ୱୀକାର କରିପାରିବେ ନାହିଁ କେହି I କାରଣ ଜୀବନର ପ୍ରତ୍ୟେକ ମୁହୁର୍ତରେ ମଣିଷ ଯାହାସବୁ କରିଥାଏ ସେଗୁଡିକ

ଆଉ କାହା ଦ୍ୱାରା ଦିଆଯାଇଥିବା ପ୍ରେରଣା, ଉପଦେଶ କିମ୍ବା ଲିଖିତ ତଥ୍ୟ ଉପରେ ଆଧାରିତ ନିଶ୍ଚୟ I

ତାହେଲେ ଜଣେ ମଣିଷ ଯେତେବେଳେ ଅନ୍ୟ ଜଣକୁ କିଛି ଉପଦେଶ ଦେଉଛି ସେଇଥିରେ ଯୁକ୍ତାତ୍ମକ ବିଷୟ ନଥିଲେ ସେ ଗ୍ରହଣ କରିବ କି ? ଆଦୌ ନୁହେଁ I ତେଣୁ ଉପଦେଷ୍ଠା ସବୁବେଳେ ଅନେକ ଯୁକ୍ତାତ୍ମକ, ଉତ୍ତମ ଉପଦେଶ ଦେଇଥା’ନ୍ତି ଯାହା ସାଧାରଣରେ ସମସ୍ତଙ୍କ ମନକୁ ମୋହିତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁରୁ ଭଳି ମାନିବାକୁ ଗ୍ରହଣୀୟତା ମନୋଭାବ ସୃଷ୍ଟି କରିଥାଏ I କି’ନ୍ତୁ ଉପଦେଶ ଗ୍ରହୀତାଙ୍କ ଠାରୁ କିଛି ନପାଇ କେବଳ ଯେ ମୁକ୍ତ ଉପଦେଶ ଦିଆଯାଇ ଥା’ନ୍ତା ତାହେଲେ ସେହିଭଳି ସମାଜକୁ ଏକ

ଶ୍ରେଷ୍ଠ ମାନବବାଦୀ ସମାଜ ବୋଲି କୁହାଯାଇ ଥା’ନ୍ତା ଯାହା ଆଜି ସମୟରେ ଏକ ସ୍ୱପ୍ନ ମାତ୍ର I ଅର୍ଥାତ ଉପଦେଷ୍ଠା, ଲେଖକ, ପ୍ରବଚକ ଯାହା ସବୁ ସମାଜରେ ବିତରଣ କରିଥା’ନ୍ତି ସେଇଥିରେ ଅନେକ ସତ୍ଜ୍ଞାନ ରହିଥିବା ବେଳେ କିଛି ମାତ୍ରାରେ ବିଷ ଭରି ରହିଥାଏ ଯାହା ସାଧାରଣ ନିର୍ବୋଧଙ୍କ ଜ୍ଞାତସାର ମଧ୍ୟରେ ନଥାଏ I

ତେଣୁ ସେହି ବିଷଭରା ଉକ୍ତି ଗୁଡିକ ମାଧ୍ୟମରେ ସେମାନେ ଶୋଷଣ କରିଥା’ନ୍ତି ଶ୍ରୋତାଙ୍କୁ ଯାହା ଏକ ଗମ୍ଭୀର ଷଡ଼ଯାନ୍ତ୍ରୀକ  ବିଷୟ I ଏ କଥାକୁ ସାଧାରଣରେ କେହି ଜାଣି ପାରନ୍ତି ନାହିଁ କି ଜାଣିବାର କୌଣସି ଉପାୟ ମଧ୍ୟ ନାହିଁ ଆମ ସମାଜରେ I ତେଣୁ ସାଧାରଣ ନିର୍ବୋଧ ମଣିଷ ସେ ଶିକ୍ଷିତ ହୁଅନ୍ତୁ କିମ୍ବା ଅଶିକ୍ଷିତ, ଆଉ କାହାଦ୍ୱାରା ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ଲୁଣ୍ଠିତ,ଶୋଷିତ ହୋଇଥା’ନ୍ତି ସବୁବେଳେ ନିଜର ଅଜ୍ଞାନତା କାରଣରୁ ! ସେହି ବିଷ ଭରା ବିଷୟ ଗୁଡିକ ଆଧାରିତ ହୋଇଥାଏ ମଣିଷ ମନରେ, ଜୀବନରେ ଦୁଃଖ ସୃଷ୍ଟି କରିବା ପାଇଁ ଯାହା ସମସ୍ତଙ୍କୁ ଆଜି ଘେରି ରହିଛି Iଅତଏବ ପ୍ରତ୍ୟେକ ମଣିଷ ଚେତନା ଜ୍ଞାନ ସୃଷ୍ଟି କରି ନିଜ ବିବେକରେ ପରିଚାଳିତ ହୋଇ କାହାର ଉପଦେଶ ଗୁଡିକୁ ସନ୍ଦେହ ଘେରରେ ରଖି ତର୍ଜମା କରିବା ଶିକ୍ଷା କରିବା ଅତ୍ୟାବଶ୍ୟକ I ଅନ୍ୟଥା ଯେ କୌଣସି ମଣିଷ କେବେ ହେଲେ ଦୁଖରୁ ବାଦ ପଡ଼ିବେ ନାହିଁ ଏ କଥାରେ କୌଣସି ସନ୍ଦେହ ନାହିଁ I ଅତି ସୂକ୍ଷ୍ମ ଅନୁଧ୍ୟାନ କରି ଦେଖିଲେ ଜାଣିହେବ ଯେ ଆମ ଜୀବନର ପ୍ରତ୍ୟେକ ସମୟରେ ସବୁ କଥାରେ ଆମେ ନିର୍ଭର କରୁଛେ ଆଉ କାହାଦ୍ୱାରା ଦିଆଯାଇଥିବା ମନ୍ତବ୍ୟ, ଉପଦେଶ ଉପରେ I

Leave a Reply

Your email address will not be published. Required fields are marked *