ସାହିତ୍ୟ

🙏ଲାଖବିନ୍ଧା🙏

ଦ୍ରୌପଦୀ ମୁଖକୁ କେହି ନ ପାରନ୍ତି ଚାହିଁ
ଦାସୀଙ୍କୁ ଦେଖିଣ ମୋହ ଗଲେ ନରସାଇଁ

ରାଜାମାନେ ଦ୍ରୌପଦୀଙ୍କର ସଖୀ ସହଚରୀମାନଙ୍କର ରୂପ ଦର୍ଶନରେ ହିଁ ମୁଗ୍ଧ ହୋଇ ଯାଉଥାନ୍ତି, କୃଷ୍ଣାଙ୍କ ବିଷୟ କଣ କହିବା ! ସେମାନେ ପରଷ୍ପର ମଧ୍ୟରେ ପାଞ୍ଚାଳ ରାଜକୁମାରୀଙ୍କର ରୂପର ପ୍ରଶଂସା କରିବାରେ ଶତଜିହ୍ୱ ହୋଇ ପଡୁଥାନ୍ତି Ι ନିର୍ଝର ଦେଶର ରାଜା ଗଣପତି ତାଙ୍କ ନିକଟରେ ବସିଥିବା କଳିଙ୍ଗ ରାଜ୍ୟର ରାଜା କଳିଙ୍ଗସେନଙ୍କୁ କହୁଥାନ୍ତି, “ଦେଖ ଦେଖ ବନ୍ଧୁ, କନ୍ୟାର ଭ୍ରୂଲତା ସତେ ଯେମିତି କନ୍ଦର୍ପର ଚାପ, ତାର କଟାକ୍ଷ ଯେମିତି ମଦନର ବାଣ, ଯାହା ଉପରେ ସେ ଏ ବାଣ ପ୍ରୟୋଗ କରିବ, ତାର ପ୍ରାଣ ଗଲା ବୋଲି ଜାଣ Ι” କଳିଂଗସେନ କହିଲେ,” ହଁ ବନ୍ଧୁ,

ସୁନ୍ଦର ରଞ୍ଜିତ କାମ କମନୀୟ ଡୋଳା, ଲୋମାବଳୀ ରେଖାରେ ଏ ସାକ୍ଷାତ ଚପଳା Ι
ଆରକ୍ତ ନୟନା କି ସେ ନୀଳ ଉତପଳ, କିଞ୍ଚିତ ମାତ୍ରେ ଚାହିଁଲେ ଢଳିବେ ସକଳ Ι

ଦେଖ, ଦେଖ, ବକ୍ର ନୟନରେ ଯଦି ସେ ସଭା ମଧ୍ୟକୁ ଚାହିଁ ଦିଏ ତାର ସେ ଚାହାଣିରେ ହିଁ ଅନେକ ରାଜା ଟଳି ପଡିବେ Ι ଏତେ ଗୁଡିଏ ହତ୍ୟା ଦୋଷ ଲାଗିବ ବୋଲି ରାଜକୁମାରୀ ଭୂମି ଉପରେ ଦୃଷ୍ଟି ନିବଦ୍ଧ କରିଛି Ι”
ଅନ୍ୟ ରାଜାମାନେ ମଧ୍ୟ ସୁକାନ୍ତି ,ସୁବର୍ଣ୍ଣ କାନ୍ତି, ସୁମଧ୍ୟା, ସୁନ୍ଦରୀ ଯାଜ୍ଞସେନୀଙ୍କର ବଧୁଲୀ ଅଧର , ତିଳପୁଷ୍ପ ପ୍ରାୟ ନାସା, ମୁକ୍ତା ନିନ୍ଦୀ ଦନ୍ତପନ୍ତି, ଶରଚ୍ଚନ୍ଦ୍ରମୁଖ, କଳାମେଘୀ କବରୀ, ଉନ୍ନତ ବକ୍ଷୋଜ, କ୍ଷୀଣକଟି,ପୃଥୁଳ ଭୁଜ,ସରସିଜ ବର୍ଣ୍ଣ କରସ୍ଥଳୀ,ଚମ୍ପକ କଢି ତୁଲ୍ୟ ଅଙ୍ଗୁଳି, ଏବଂ ଓଲଟ ରମ୍ଭା ସଦୃଶ ଜାନୁର ପ୍ରଶଂସା କରିବାରେ କ୍ଳାନ୍ତି ବୋଧ କରୁ ନ ଥାନ୍ତି Ι
ପାଞ୍ଚାଳ ରାଜକୁମାର ଧୃଷ୍ଟଦ୍ୟୁମ୍ନ ସଭା ମଧ୍ୟରେ ଛିଡା ହୋଇ ଜଣ ଜଣ କରି କ୍ଷତ୍ରିୟ ରାଜାମାନଙ୍କୁ ଆହ୍ଵାନ କଲେ Ι ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ଚାହିଁଲେ Ι କର୍ଣ୍ଣ କହିଲେ, “ସେ ପ୍ରଥମେ କ୍ଷତ୍ରିୟ ରାଜାମାନଙ୍କୁ ଡାକୁଛନ୍ତି Ι ମୋର ଯିବା ସୁନ୍ଦର ହେବ ନାହିଁ Ι ତୁମେ ଯାଅ” Ι ଦୁର୍ଯ୍ୟୋଧନ ଲାଖ ନିକଟକୁ ଯିବା ଆଗରୁ ଥରେ ପାଞ୍ଚାଳୀଙ୍କ ଉପରେ ଦୃଷ୍ଟି ବୁଲାଇ ନେଲେ Ι ତାଙ୍କର ରୂପ ଲାବଣ୍ୟ ଦୁର୍ଯ୍ୟୋଧନଙ୍କର ଚକ୍ଷୁ ଝଲସାଇ ଦେଲା Ι ତାଙ୍କୁ ସବୁ କିଛି ଅନ୍ଧାର ଦେଖାଗଲା Ι ଧନୁ ତଳେ ହାତ ବୁଲାଉଁ ବୁଲାଉଁ ସେ ଜଳ ଘଟକୁ ଓଲଟାଇ ପକାଇଲେ Ι ସମସ୍ତେ ହସିଲେ Ι ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ ଅଟ୍ଟହାସ୍ୟ କଲେ Ι କହିଲେ,

ପିତା ପରି ହୋଇଲାକି ତୋର ବେନି ଚକ୍ଷୁ, ଚକ୍ଷୁ ଥାଉଁ,ଥାଉଁ ତୁ ଯେ ଅନ୍ଧ ହେଉଅଛୁ Ι ଧନୁ ଘଟ ଯେବେ ତୁହି ନ ପାରିଲୁ ବାରି, ତୁହି କି ଲାଖ ବିନ୍ଧିବୁ ଯାଅ ଅପସରି Ι”

ଲଜ୍ଜିତ ଦୁର୍ଯ୍ୟୋଧନ ଫେରି ଆସି ନିଜ ସ୍ଥାନରେ ବସିଲେ Ι ତତ୍ପରେ ମଗଧରାଜ ଜରାସନ୍ଧ ମହାଦର୍ପରେ ପଟା ଉପରକୁ ଉଠିଲେ Ι ଧନୁଟିକୁ ବହୁ କଷ୍ଟରେ ଉଠାଇଲେ Ι କିନ୍ତୁ ଗୁଣ ଦେଇ ପାରିଲେ ନାହିଁ Ι ତା ପରେ ଆସିଲେ ବାଣାସୁର Ι ସିଏ ଧନୁ ଉଠାଇବାକୁ ଯାଇ ଆଣ୍ଠେଇ ପଡିଲେ Ι “ଛାଡ, ଛାଡ” କହି ମାଡି ଗଲେ ନାରକାସୁର Ι ସେ ମଧ୍ୟ ଧନୁ ଟେକିବା ପାଇଁ ଚେଷ୍ଟା କରୁଁ କରୁଁ ମୁହଁ ମାଡି ପଡିଲେ Ι ଏହିପରି ଭାବରେ ଗଣପତି, କଳିଙ୍ଗସେନ, ଶିଶୁପାଳ, ରୁକ୍ମଣ, କାଶୀଶ୍ୱର ,ବଜ୍ରନାଭ ଆଦି କ୍ଷତ୍ରିୟ ରାଜାମାନେ ବିଫଳ ହେବାରୁ ରାଜା ଦୃପଦ ଯେ କୌଣସି ରାଜା ଚେଷ୍ଟା କରି ପାରନ୍ତି ବୋଲି ଘୋଷଣା କଲେ Ι ଏଥର ଉଠିଲେ ମହାବୀର କର୍ଣ୍ଣ Ι ମହା ଦର୍ପରେ ଚରଣ ଚାଳି ସେ ଧନୁ ନିକଟକୁ ଯିବା ବେଳକୁ କାମପାଳ ଶ୍ରୀକୃଷ୍ଣଙ୍କୁ କହିଲେ , ”ଏବେ ଏହି କର୍ଣ୍ଣ ହିଁ ଲାଖ ବିନ୍ଧିବା ନିଶ୍ଚିତ Ι” କର୍ଣ୍ଣ ପଟା ଉପରକୁ ଉଠି ଧନୁଟିକୁ ସହଜରେ ଉଠାଇ ଅନାୟାସରେ ଗୁଣ ଚଢାଇଲେ Ι କିନ୍ତୁ ଆସ୍ଥାନ ଉପରୁ ପ୍ରତିବାଦର ସ୍ୱର ଗୁଞ୍ଜରି ଉଠିଲା Ι ଦ୍ରୌପଦୀ କହୁଥିଲେ, “ଇଏ ରାଜପୁତ୍ର ନୁହନ୍ତି Ι ସୂତ ପୁତ୍ର ଗଳାରେ ମୁଁ ବରଣ ମାଳା ଦେଇ ପାରିବି ନାହିଁ Ι” ଦୁର୍ଯ୍ୟୋଧନ କ୍ରୋଧରେ କିଛି କହିବା ପାଇଁ ଉଠି ପଡୁଥିଲେ Ι କିନ୍ତୁ ବାରଣ କଲେ କର୍ଣ୍ଣ Ι ଆକଣ୍ଠ ଲଜ୍ଜାରେ ମ୍ରିୟମାଣ ହୋଇ ରା଼ଧେୟ ନିଜ ସ୍ଥାନକୁ ଫେରି ଆସିଲେ Ι ଦୁର୍ଯ୍ୟୋଧନଙ୍କୁ କନ୍ୟା ଦେବା ଉଦ୍ଦେଶ୍ୟରେ ଦ୍ରୋଣ ମଧ୍ୟ ଚେଷ୍ଟା କଲେ Ι ମାତ୍ର ତାଙ୍କର ଚେଷ୍ଟା ନିଷ୍ଫଳତାରେ ପର୍ଯ୍ୟବସିତ ହେଲା Ι ଅଶ୍ୱତ୍ଥାମା, କୃପ ଶଲ୍ୟ ଆଦି ଅକୃତକାର୍ଯ୍ୟ ହେବା ପରେ ଭୀଷ୍ମ ଉଠିଲେ Ι ଜିତିଲେ କନ୍ୟାକୁ ଦୁର୍ଯ୍ୟୋଧନକୁ ଦେବେ ବୋଲି ସର୍ତ୍ତ କରି ଧନୁ ନିକଟକୁ ଯିବା ବେଳକୁ ତାଙ୍କର ଦୃଷ୍ଟି ଶିଖଣ୍ଡୀ ଉପରେ ପଡିଗଲା Ι ସେ ଫେରି ଆସିଲେ Ι ଶଲ୍ୟ, କୃପ ଓ ଜୟଦ୍ରଥ ମଧ୍ୟ ଚେଷ୍ଟା କରି ବିଫଳ ହେଲେ Ι ୟା ପରେ ଆଉ କୌଣସି ରାଜା ଅଯଥା ଉଠି ଅପମାନିତ ହେବାକୁ ଇଚ୍ଛା କଲେ ନାହିଁ Ι
ବଳରାମ ଶ୍ରୀକୃଷ୍ଣଙ୍କୁ କହିଲେ, “ୟେ ଲାଖ ତ କେହି ବିନ୍ଧି ପାରିଲେ ନାହିଁ Ι ଲାଗୁଛି ଦ୍ରୌପଦୀର ବିବାହ ହୋଇ ପାରିବ ନାହିଁ Ι” ସଖୀ କେଶିନୀ ଦ୍ରୌପଦୀଙ୍କୁ କହିଲେ, “ଏବେ ଆଉ ଗୋଟିଏ ବାଟ ଅଛି Ι ତୁମେ ତୁମ ଇଚ୍ଛାରେ କୌଣସି ଏକ ନରପତିଙ୍କୁ ବରଣ କର Ι” ଦ୍ରୌପଦୀ କହିଲେ , “ପିତାଙ୍କର ଇଛା ବିରୁଦ୍ଧରେ ଯିବାର ପ୍ରଶ୍ନ ନାହିଁ Ι ଦ୍ଵିତୀୟରେ ଏ ରାଜାମାନଙ୍କ ମଧ୍ୟରେ କେହି ମୋର ପସନ୍ଦ ହେଉନାହାନ୍ତି Ι ମୁଁ କାହାକୁ ବରଣ କରିବି ? “ବଳରାମ କୃଷ୍ଣଙ୍କୁ ପଚାରିଲେ, “ଏ ଲାଖକୁ କିଏ ବିନ୍ଧି ପାରିବ?” କୃଷ୍ଣ କହିଲେ ସ୍ଵର୍ଗରେ ଇନ୍ଦ୍ର ଓ ମର୍ତ୍ତ୍ୟରେ ଅର୍ଜୁନ ଏ ଲାଖ ବିନ୍ଧି ପାରନ୍ତି Ι ବଳରାମ କହିଲେ, “ଏଠି ବସିଛୁ କାହିଁକି? ତୋର ଇଛା ଅଛି ଯଦି ଯାଉନୁ ? ତୋର ଅସାଧ୍ୟ କଣ ଅଛି ?”କୃଷ୍ଣ କହିଲେ , ନା ଭାଇ, ମୁ ମଧ୍ୟ ପାଞ୍ଚାଳୀ ପାଇଁ ଯୋଗ୍ୟ ନୁହେଁ Ι” ବଳରାମ କହିଲେ, “ଆଉ ତା ହେଲେ …? ମୁଚୁକି ମୁଚୁକି ହସୁଛୁ, କହୁନୁ କାହିଁକି କିଏ ବିନ୍ଧିବ ?” କୃଷ୍ଣ କହିଲେ, “ଅର୍ଜୁନ ଏ ଲାଖ ବିନ୍ଧିବ ଭାଇ Ι” ବଳରାମ କହିଲେ, “ପାଣ୍ଡବମାନେ ପରା ଜତୁଗୃହରେ ପୋଡି ମଲେ ? ତୁ ଅର୍ଜୁନ ବିନ୍ଧିବ ବୋଲି କହୁଛୁ?” କୃଷ୍ଣ କହିଲେ ,
“ସ୍ଵର୍ଗରେ ବାସବ, ଋଷି ଶ୍ରେଷ୍ଠ ବ୍ୟାସ, କୁରୁରାଜବଂଶରେ ମହାତ୍ମା ବିଦୁର, କନିଷ୍ଠ ପାଣ୍ଡବ ସର୍ବଜ୍ଞ ସହଦେବ ଏବଂ ସର୍ବୋପରି ପାଣ୍ଡବପ୍ରାଣ କୃଷ୍ଣ ଥାଉଁ ଥାଉଁ ପାଣ୍ଡବମାନେ ଏମିତି ଅକାଳ ମୃତ୍ୟୁ ବରଣ କରିବେ ବୋଲି ଆପଣ ବିଶ୍ଵାସ କଲେ କିପରି ?

ଏହାଙ୍କ ଥାଉଁ କି ହେବ ପାଣ୍ଡବଙ୍କ ମୃତ୍ୟୁ , ତଥ୍ୟ ନ ଜାଣିଲୁ ଦେବ ମତି ଭୋଳ ହେତୁ !”
ବଳରାମ କହିଲେ,”ଆମେ ନିଜେ ଯାଇ ଶବଗୁଡିକ ଦେଖିଲେ Ι ପଞ୍ଚପାଣ୍ଡବ, କୁନ୍ତୀ, ପୁରୋଚନ ଗୋଟି ଗୋଟି ଚିହ୍ନାଇ ଦେଉଥିଲୁ ସେତେବେଳେ ?ତୁ ଯେ ସେଠି ପାଣ୍ଡବ ବିୟୋଗରେ କାନ୍ଦି କାନ୍ଦି ଲୋଟି ପଡ଼ୁଥିଲୁ, ଆଉ ମୁ ତୋତେ ବୁଝାଉଥିଲି; ୟେ ସବୁ ତୋର ଛଳନା ଥିଲା ?ଆରେ କପଟୀ, ତୁ ମୋ ସାଙ୍ଗରେ ବି କପଟ କରିବାକୁ କୁଣ୍ଠା ବୋଧ କରୁନାହୁଁ ?”
ବଲରାମ ରାଗରେ ଉଠିପଡ଼ୁଥିଲେ Ι କୃଷ୍ଣ କହିଲେ, “ଭାଇ, ଆପଣ ଅକାରଣ ରାଗୁଛନ୍ତି Ι ଏଠାରେ ଅନ୍ତରୀକ୍ଷରେ ସୁରପତି ଉପସ୍ଥିତ ଅଛନ୍ତି Ι ଅର୍ଜୁନ ଲାଖ ବିନ୍ଧିବାକୁ ଆସିବା ସମୟକୁ ଆପଣ ସଭା ତ୍ୟାଗ କଲେ, ସେ କଣ ଭାବିବେ ? ଆପଣ ଅର୍ଜୁନ ଉପରେ କ୍ରୋଧ କରୁଛନ୍ତି ଭାବି ଶଚୀପତି ମନ ଦୁଃଖ କରିବେ Ι ବଳରାମ ଶାନ୍ତ ହେଲେ Ι କିଛି ସମୟ ପରେ ରାଗ କମିବାରୁ, ସେ ‘ପାଣ୍ଡବ ମାନେ କିପରି ବର୍ତ୍ତିଲେ’ ବୋଲି ପ୍ରଶ୍ନ କଲେ Ι କୃଷ୍ଣ ଏଥର ଜତୁଗୃହ ରହସ୍ୟ ଉନ୍ମୋଚନ କଲେ Ι କହିଲେ, ଏହି ଯେଉଁ ରାଜାମାନଙ୍କୁ ଦେଖୁଛନ୍ତି, ଏମାନଙ୍କର ଭାରା ମେଦିନୀ ସହି ପାରୁ ନାହିଁ Ι ଏମାନଙ୍କୁ ବିନାଶ କରିବା ପାଇଁ ପାଣ୍ଡବମାନଙ୍କର ବଞ୍ଚି ରହିବା ଅତ୍ୟନ୍ତ ଆବଶ୍ୟକ ଭାଇ! ଅଧର୍ମର ବିନାଶ ଓ ଧର୍ମର ପ୍ରତିଷ୍ଠାରେ ଭବିଷ୍ୟତରେ ଏମାନେ ମୋର ଆୟୁଧ ରୂପେ ପ୍ରତିଭାତ ହେବେ Ι ବଳରାମ କହିଲେ, “ତୁ ସବୁବେଳେ ମୋତେ ଏଣୁତେଣୁ କହି ଭୁଲାଇ ଦେଉଛୁ Ι”
ଆଉ କୌଣସି ରାଜା ନ ଉଠିବାରୁ , ରାଜା ଦ୍ରୁପଦ କହିଲେ, “ସାରା ଭାରତବର୍ଷରେ କଣ କେହି କ୍ଷତ୍ରିୟ ବୀର ନାହାନ୍ତି ?” ବଳରାମ ପଚାରିଲେ, “ଅର୍ଜୁନ ଆସୁନି କାହିଁକି ?” କୃଷ୍ଣ କହିଲେ,”ଏ ପର୍ଯ୍ୟନ୍ତ ବ୍ରାହ୍ମଣମାନଙ୍କୁ ଆହ୍ୱାନ କରାଯାଇନି Ι ତେଣୁ ଧର୍ମରାଜ ଅର୍ଜୁନକୁ ଆଜ୍ଞା ଦେଉ ନାହାନ୍ତି Ι” ଏତିକି ବେଳେ ଦ୍ରୁପଦ ଘୋଷଣା କଲେ, ” କ୍ଷତ୍ରିୟେତର ଆବ୍ରାହ୍ମଣଚଣ୍ଡାଳ ଯେ କୌଣସି ବୀରଙ୍କୁ ମୁଁ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଆହ୍ଵାନ କରୁଛି Ι” କର୍ଣ୍ଣ ପ୍ରଥମରୁ ପ୍ରତ୍ୟାଖ୍ୟାତ ହୋଇଥିବାରୁ ଏଥର ଆଉ ଉଠିଲେ ନାହିଁ Ι ରାଜାମାନଙ୍କର ଗର୍ବୋନ୍ନତ ମସ୍ତକ ତଳକୁ ନଇଁଯାଇଥିଲା Ι
ଯୁଧିଷ୍ଠିର ଅର୍ଜୁନଙ୍କୁ ଚାହିଁଲେ Ι ଅର୍ଜୁନ ଉଠି ଛିଡା ହେଲେ Ι ଏହା ଦେଖି ତାଙ୍କ ନିକଟରେ ବସିଥିବା ବ୍ରାହ୍ମଣମାନେ ତାଙ୍କୁ ଟାଣି ବସାଇଦେଲେ Ι କହିଲେ,” ଆରେ ନିର୍ବୋଧ, ଲାଗୁଛି ତୋର ମତି ଭ୍ରମ ହୋଇଯାଇଛି.Ι ଏବେ ତୁ କଣ କରିବାପାଇଁ ଉଠିପଡୁଛୁ ? ବିବାହ ହେଲେ, ବେଶ୍ କିଛି ଦାନ ଦକ୍ଷିଣା ପାଇବା ଆଶାରେ ଆମେ ଆସିଛୁଁ Ι ତୁ ସେତକ ତ ମାରା କରିବୁ Ι ତୋ ଦୋଷରୁ ରାଜା ଦ୍ରୁପଦ ଏବେ ଆମକୁ ବାହାର କରିଦେବେ Ι ଯଦି ବି ତୋତେ ରାଜକନ୍ୟା ପ୍ରାପ୍ତ ହୁଏ ତୁ ତାକୁ ନେଇ କରିବୁ କଣ ? ତାକୁ ପୋଷିପାରିବୁ ତ ?

ଲାଖ ବିନ୍ଧିବୁ ଯେବେ ତୁ ନ ପାରିବୁ ବର୍ତ୍ତି, ‘ବ୍ରାହ୍ମଣକୁ ମାର ବୋଲି’ ମାରିବେ ସବୁନ୍ତି Ι
ବ୍ରାହ୍ମଣ କୁଳକୁ ହେଲୁ କଣ୍ଟକ ତୁ ବାବୁ, ଦାନ ହିଁ ନ ପାଇବୁ ଯେ ପ୍ରାଣେ ନାଶ ଯିବୁ Ι”

ଅନ୍ୟ ରାଜାମାନେ ତୋ ରାଗରେ ଆମକୁ ମଧ୍ୟ ମାରି ପିଟି ରାଗ ଶୁଝାଇବେ Ι”
ଯୁଧିଷ୍ଠିର ସେମାନଙ୍କୁ ବୁଝାଇବାକୁ ଯାଇ କହିଲେ, “ବ୍ରାହ୍ମଣ ଗୋସାଇଁମାନେ , ଏହି ଦ୍ଵିଜ ଜଣକ ଯଦି ଏପରି ସାହସ କରୁଛନ୍ତି, ତେବେ ତାଙ୍କୁ ସେ ବିଦ୍ୟା କିଛି ନା କିଛି ଜଣା ଥିବ Ι ସେ ମୋର ଭାଇ, ମୁଁ ତାକୁ ପଠାଉଛି Ι ଭୀମଙ୍କୁ ଦେଖାଇ କହିଲେ ,”ୟେ ବି ମୋର ଭାଇ , ୟାକୁ କାହିଁକି ପଠାଉନାହିଁ ? “ଆପଣମାନେ ତା ହାତରେ ଗୁଣ ଚଢାଇବା ଚିହ୍ନ ଦେଖନ୍ତୁ Ι ତାକୁ ଯିବାକୁ ଦିଅନ୍ତୁ ଓ କଲ୍ୟାଣ କରନ୍ତୁ, ସେ ଯେପରି ଲାଖ ବିନ୍ଧାରେ କୃତକାର୍ଯ୍ୟ ହେଉ Ι” ବ୍ରାହ୍ମଣମାନେ ହାତ ଟେକି ଆଶୀର୍ବାଦ କଲେ, “ହେଉ ଯାଅ, ଲାଖ ବିନ୍ଧ, ତୁମ୍ଭଙ୍କୁ ରାଜକନ୍ୟା ପ୍ରାପ୍ତ ହେଉ Ι” କୃଷ୍ଣ ବଳରାମଙ୍କ ସହିତ କଥା ହେଉଥାନ୍ତି Ι ଦୃଷ୍ଟି କିନ୍ତୁ ଥାଏ ବ୍ରାହ୍ମଣ ସଭା ଉପରେ Ι ଅର୍ଜୁନ ଉଠିବାର ଦେଖି ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ସରାଗରେ ଝଲସି ଉଠିଲା Ι ବ୍ୟାସ, ବିଦୁର ମଧ୍ୟ ଅନୁରୂପ ଭାବରେ ନିଜ ନିଜର ଆନନ୍ଦ ପ୍ରଦର୍ଶନ କଲେ Ι ଦୁଃଶାସନ କର୍ଣ୍ଣଙ୍କୁ କହିଲା, “ଦେଖ , ଏ ବ୍ରାହ୍ମଣ କ୍ଷତ୍ରିୟ ରାଜାମାନଙ୍କୁ ଅପମାନିତ କରିବା ପାଇଁ ଆସୁଛି Ι ଏ ପରି ଦୁଷ୍ଟ ବ୍ରାହ୍ମଣକୁ ମାରିଲେ କିଛି କ୍ଷତି ନାହିଁ Ι ଚାଲ, ସମସ୍ତେ ମିଶି ତାକୁ ମାରିବା Ι”ଦୁର୍ଯ୍ୟୋଧନ କହିଲେ, “ରହ ଦୁଃଶାସନ, ୟେ ବ୍ରାହ୍ମଣ ରାଜକନ୍ୟାକୁ ପୋଷି ପାରିବ ନାହିଁ Ι ଯଦି ଲାଖ ବିନ୍ଧି ତାକୁ କନ୍ୟା ପ୍ରାପ୍ତ ହେଲା ,ତେବେ କିଛି ଅର୍ଥ ବଦଳରେ ଆମ୍ଭେ ରାଜକନ୍ୟାକୁ ନେଇଯିବା Ι” ଅର୍ଜୁନଙ୍କୁ ଧନୁପାଖକୁ ଯିବାର ଦେଖି ଭୀଷ୍ମ ଦ୍ରୋଣଙ୍କୁ ଚାହିଁଲେ Ι ଦ୍ରୋଣ ଭୀଷ୍ମଙ୍କୁ କହିଲେ ,” ୟେ ବ୍ରାହ୍ମଣଙ୍କୁ ମୁଁ କେଉଁଠି ଦେଖିଲା ପରି ମନେ ହେଉଛି Ι” ଭୀଷ୍ମ କହିଲେ, “ତାର ଚରଣପାତକୁ ଲକ୍ଷ କରନ୍ତୁ ଗୁରୁ ଦ୍ରୋଣ, କିଛି ମନେ ପଡୁଛି ?”

Leave a Reply

Your email address will not be published. Required fields are marked *