ମୁଖ୍ୟ ଖବର

ମହାପ୍ରଭୁଙ୍କ ସୁନାବେଶ ପାଇଁ ପ୍ରସ୍ତୁତି ଜାରି, ରତ୍ନଭଣ୍ଡାରରୁ ରଥ ଉପରକୁ ଗଲା ଅଳଙ୍କାର

ପୁରୀ: ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ଅନୁଷ୍ଠିତ ହେଉଛି। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର। ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେବେ।। ଏଥିପାଇଁ ପ୍ରସ୍ତୁତି ପର୍ବ ଜାରି ରହିଛି। ଏହାରି ମଧ୍ୟରେ ରତ୍ନଭଣ୍ଡାରରୁ ରଥ ଉପରକୁ ଅଳଙ୍କାର ପହଞ୍ଚିଛି।ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦେଖିବା ପାଇଁ ସିଂହଦ୍ବାର ସମ୍ମୁଖରେ ହଜାର ହଜାର ‌ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଛି। ମହାପଭୁଙ୍କ ଦର୍ଶନ ପାଇବା ପାଇ ଭକ୍ତମାନେ ବ୍ୟାକୁଳ ହୋଇଛନ୍ତି। ଅନ୍ୟପଟରେ ଦିନସାରା ପ୍ରବଳ ଖରାକୁ ଖାତିର ନକରି ଶ୍ରଦ୍ଧାଳୁମାନେ ରଥାରୁଢ଼ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି. ଏ ବର୍ଷ ବଢ଼ିବନି ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ସୁନାବେଶ ପାଇଁ ଯେଉଁ ସମୟ ନିର୍ଘଣ୍ଟ ହୋଇଛି, ସେତିକି ସମୟରେ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ। କାଲି ରତ୍ନଭଣ୍ଡାର ଖୋଲିବ, ଭଣ୍ଡାର ମେକାପ ସେଥିରେ ବ୍ୟସ୍ତ ରହିବେ।

Leave a Reply

Your email address will not be published. Required fields are marked *