ମୁଖ୍ୟ ଖବର

ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ ହେବ: ମନ୍ତ୍ରୀ

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି। ସେ କହିଛନ୍ତି, କାର୍ଯ୍ୟାଦେଶ କିଏ କରାଉଥିଲା ତାହାର ତଥ୍ୟ ପଞ୍ଚାୟତରାଜ ବିଭାଗ ପାଖରେ ରହିବା କଥା। କିନ୍ତୁ ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଏ ବାବଦରେ ଜାଣୁନଥିଲେ। ରାମ ଭରସାରେ ଏହି ଯୋଜନା ଚାଲୁଥିଲା। ଓଡ଼ିଶାର ବିଭିନ୍ନ ପଞ୍ଚାୟତରେ ଯେଉଁ କାମ ହେଉଥିଲା, ତାହା ରାମ ଭରସାରେ ଚାଲିଥିଲା । କିଏ କରୁଛି, କେତେ କାମ ହେଉଛି ତାହାର କୌଣସି ତଥ୍ୟ ନଥିଲା। ତେଣୁ ଯେଉଁ ଅନିୟମିତତା ହୋଇଛି, ତାହାର ଖୋଳତାଡ଼ କରି ଲୋକଲୋଚନକୁ ଆଣିବୁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଗତ ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡିଶା ଜରିଆରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷର ଅନୁଦାନ ଦେଇଥିଲେ ପୂର୍ବ ସରକାର। ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଏହି ଅର୍ଥ ବ୍ୟୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ଯୋଜନାରେ ଅନିୟମିତତାର ଗନ୍ଧ ବାରିଛି ନୂଆ ବିଜେପି ସରକାର।ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ କିଛି କାମ ହୋଇଛି। କିନ୍ତୁ ଯୋଜନା ବାବଦରେ ବିଭାଗ ଅବଗତ ନାହିଁ। ଏହା କୌଣସି ଯୋଜନା ନ ଥିଲା। ତୃତୀୟ ମହଲା ସବୁ ମନଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲା। ଖୋଳତାଡ଼ ହେଲେ କାହାକୁ ଧରାଯିବ, କିଏ ଉତ୍ତରଦାୟୀ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ।

Leave a Reply

Your email address will not be published. Required fields are marked *