ମୁଖ୍ୟ ଖବର

ଦୁଇ ଜଣ ଅଣ ଓଡ଼ିଆ ଅଧିକାରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ନାୟକ : ବିଜୟ ମହାପାତ୍ର

ଭୁବନେଶ୍ବର: ‘‘ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ହୋଇସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ ହୋଇସାରିଥିଲେ ବି କ୍ରାଇମବ୍ରାଞ୍ଚ ପାଖରେ ଏହାର କାରଣ ସଂପର୍କରେ କୌଣସି ସୁରାକ ନାହିଁ। ତେଣୁ ଏତେ ବଡ଼ ହତ୍ୟାକାଣ୍ଡର ଏ ପ୍ରକାର ତଦନ୍ତ ଏହା ପ୍ରମାଣିତ କରୁଛି ଯେ ସରକାର ଓ କ୍ରାଇମବ୍ରାଞ୍ଚ ଏହାକୁ ଗୁରୁତ୍ବର ସହ ନେବାକୁ ଚାହାନ୍ତି ନାହିଁ। ହତ୍ୟା ଓ ମାମଲାକୁ ଚପେଇ ଦେବା ପାଇଁ ଷଡଯନ୍ତ୍ର କରାଯାଇଛି।’’ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏଭଳି ବିସ୍ଫୋରକ ବୟାନ ଦେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତଦନ୍ତର ପରିସୀମା ଗୋପାଳକୃଷ୍ଣ ଦାସ ପାଖରେ ସୀମିତ ନ ରହୁ । ଆମ ରାଜ୍ୟରେ ଦକ୍ଷ ପୁଲିସ ଅଫିସର ଅଛନ୍ତି। କିନ୍ତୁ କାହାରି ସାହାଯ୍ୟ ନ ନେଇ ତଦନ୍ତ କରାଯାଉଛି। ସନ୍ଦେହ ହେଉଛି, ବୋଧହୁଏ ସରକାର କାହାକୁ ସୁରକ୍ଷା ଦେବାକୁ ସରକାର ଚାହୁଁଛନ୍ତି । ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ସୁରକ୍ଷା ଦେବା ପାଇଁ ତଦନ୍ତ ହେଉଛି।

ଶ୍ରୀ ମହାପାତ୍ର କହିଛନ୍ତି, ବିଶ୍ବସ୍ତରୀୟ ଯାଞ୍ଚ ଏଜେନ୍ସି  ‘ଏଫ୍‌ବିଆଇ’ ଦ୍ବାରା ଘଟଣାର ତଦନ୍ତ କରାଇବାକୁ ରାଜ୍ୟ ସରକାର କହୁଥିଲେ। କିନ୍ତୁ ଏଫ୍‌ବିଆଇ କୁଆଡେ ଗଲା କିଛି ଜଣା ପଡୁନି। ଏକଚାଟିଆ ଭାବେ ସରକାର ଏହି ତଦନ୍ତ କରୁଛନ୍ତି। ସବୁ ଦିଗକୁ ଯାଉ ନାହାନ୍ତି। କାହାକୁ ସୁରକ୍ଷା ଦେବା ପାଇଁ ପୁଲିସ ଚାହୁଁଛି ବୁଝା ପଡୁନାହିଁ। ଜଷ୍ଟିସ ଦାସ କ’ଣ ଏହି ଘଟଣାର ସୁପରଭାଇଜ କରିଛନ୍ତି। ତାଙ୍କୁ ବି ପ୍ରଶ୍ନ କରାଯିବା ଦରକାର। ଗୋପାଳକୁ ପାଗଳ ବୋଲି ପ୍ରଚାର କରାଯିବା ପଛରେ ତାକୁ ସୁରକ୍ଷା ଦେବାର ଷଡ଼ଯନ୍ତ୍ର ରହିଛି।

ବିଜୟ ମହାପାତ୍ର  ଆହୁରି କହିଛନ୍ତି ଯେ ଦୁଇ ଜଣ ଅଣ ଓଡ଼ିଆ ଅଧିକାରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ନାୟକ। ଏଥିରୁ ଜଣେ ଆଇଏଏସ୍  ଏବଂ ଅନ୍ୟ ଜଣେ ଆଇପିଏସ୍‌ ଅଧିକାରୀ। ସେ ଅଞ୍ଚଳର ବିଜେଡିର କିଛି ଜିଲ୍ଲା ପରିଷଦ ଯେଉଁମାନେ ନବ ଦାସଙ୍କର ବିଶ୍ୱସ୍ତ ସେମାନେ ଘଟଣା ବିଷୟରେ ଜାଣିଛନ୍ତି। ତାଙ୍କୁ ଭୟଭୀତ କରାଇ ଘଟଣା ବିଷୟରେ ବାହାରେ ନ କହିବାକୁ ଚାପ ସୃଷ୍ଟି କରାଯାଇଛି। ସେମାନେ ଆଜି ବି ଚାହୁଁଛନ୍ତି ଘଟଣାର ତଦନ୍ତ ସଠିକ ଭାବେ ନ ହେଉ। ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଇନ କ୍ୟାମେରା ହୋଇ ରହି ଯାଇଛି।

ଲୋକଙ୍କ ମନରୁ କେବେ ବି ନବ ଦାସ ହତ୍ୟାକାଣ୍ଡର ନିଆଁ ଲିଭିବ ନାହିଁ। ତେଣୁ ସରକାର ବଢୁଥିବା ସନ୍ଦେହକୁ ଦୂର କରନ୍ତୁ। ଆଇଜି-ପ୍ରିଜନ୍ସ ଅପରାଧୀର ସ୍ୱାସ୍ଥ୍ୟ ପରୀକ୍ଷା କରେ। କେଉଁଠି କ୍ରାଇମବ୍ରାଞ୍ଚ କରେନି। କିନ୍ତୁ କ୍ରାଇମବ୍ରାଞ୍ଚ କାହିଁକି ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟସ୍ତ। ଉଭୟ ପୁଲିସ, ସରକାର ଓ ଶାସନ କଳ ସମସ୍ତେ ଏହି ଘଟଣାରେ ଉତ୍ତରଦାୟୀ। ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ସହିତ ମୁଁ ଏକମତ। କିନ୍ତୁ ଏହି ଘଟଣାରେ ନେତାମାନେ ବି ତାଙ୍କ ମତ ରଖି ପାରିବେ। ନବ ଦାସଙ୍କ ପରିବାର ଉଦ୍ଦେଶ୍ୟରେ ମୋର ଏହି ସାମ୍ବାଦିକ ସମ୍ମିଳନୀ ନୁହେଁ । ଏହି ପ୍ରେସ୍‌ମିଟ ସରକାରଙ୍କ ତଦନ୍ତକୁ ନେଇ । କାରଣ ନବ ଦାସ ଓଡ଼ିଶାର ଜଣେ ମନ୍ତ୍ରୀ ଥିଲେ ବୋଲି ବିଜୟ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *