ବାଣିଜ୍ୟ

୨୦୩୦ ସୁଦ୍ଧା ଇସ୍ପାତ ଉତ୍ପାଦନ ୩୦୦ ନିୟୁତ ଟନ୍‌ ଟପିବ

ନୂଆଦିଲ୍ଲୀ: ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଇସ୍ପାତ ଚାହିଦା ବୃଦ୍ଧି ପାଇବା ଆଶା ରହିଛି। ୨୦୩୦ ମସିହା ସୁଦ୍ଧା ଦେଶରେ ଇସ୍ପାତ ଉତ୍ପାଦନ ୩୦୦ ନିୟୁତ ଟନ୍‌ ଟପିବା ସମ୍ଭାବନା ରହିଛି ବୋଲି ଶନିବାର କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନା ମତବ୍ୟକ୍ତ କରିଛନ୍ତି। ଦେଶରେ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି ନେଇ କୌଣସି ଅସୁବିଧା ନାହିଁ। କିନ୍ତୁ ଏ କ୍ଷେତ୍ରରେ କାର୍ବନ ନିର୍ଗମନକୁ କିଭଳି କମ୍‌ କରାଯାଇ ପାରିବ ସେ ନେଇ ଲୋକଙ୍କ ମତାମତ ନିଆଯିବ। ଦେଶର ମୋଟ କାର୍ବନ ନିର୍ଗମନରେ ଇସ୍ପାତ କ୍ଷେତ୍ରର ଅଂଶ ୧୨ ପ୍ରତିଶତ ରହିଛି ବୋଲି ଶ୍ରୀ ସିହ୍ନା କହିଛନ୍ତି। ସରକାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଗୁରୁତ୍ବ ଦେଉଥିବାରୁ ବର୍ତ୍ତମାନ ଇସ୍ପାତ ଚାହିଦା ଭଲ ରହିଛି। ଏ କ୍ଷେତ୍ରରେ ପ୍ରାୟ ୧୦ ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଉଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ମଧ୍ୟ ଭଲ ରହିଛି। ଉଭୟ ଘରୋଇ ଓ ସରକାରୀ କ୍ଷେତ୍ର ନିରବଚ୍ଛିନ୍ନ ଭାବେ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରୁଥିବାରୁ ଇସ୍ପାତ ଚାହିଦା ଭଲ ରହିବ ବୋଲି ଭାରତ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ସିହ୍ନା ଏହା କହିଛନ୍ତି।୨୦୨୩-୨୪ରେ ଦେଶରେ ୧୩୮.୫ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ହୋଇଥିଲା। ଗତବର୍ଷ ତୁଳନାରେ ଏହା ୧୨.୪ ପ୍ରତିଶତ ଅଦିକ। ୩୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ କ୍ଷମତା ହାସଲ କରିବାକୁ ହେଲେ ଏହି ଶିଳ୍ପ ବାର୍ଷିକ ୧୨ ପ୍ରତିଶତ ହାରରେ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। କିଛି କମ୍ପାନି ସେମାନଙ୍କ ଇସ୍ପାତ ଉତ୍ପାଦନ ଓ ବିକ୍ରିର ଠିକ୍‌ ତଥ୍ୟ ପ୍ରଦାନ କରୁ ନଥିବାରୁ ସଚିବ ଶ୍ରୀ ସିହ୍ନା ଚିନ୍ତା ପ୍ରକଟ କରିଥିଲେ। ଉପଯୁକ୍ତ ନୀତି ପ୍ରସ୍ତୁତ କରିବା ପାଇଁ କମ୍ପାନିଗୁଡ଼ିକ ଠିକ୍‌ ତଥ୍ୟ ପ୍ରଦାନ କରିବା ଲାଗି ସେ ଆହ୍ବାନ କରିଥିଲେ। ଦେଶରେ ଚଳିତବର୍ଷ ଜାନୁଆରିରୁ ଜୁନ ମଧ୍ୟରେ ଇସ୍ପାତ ଉତ୍ପାଦନ ୪୯.୫ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି, ଯାହାକି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୮.୫ ପ୍ରତିଶତ ଅଧିକ ବୋଲି ଭାରତ ଚାମ୍ବର ଅଫ୍‌ କମର୍ସର ସଭାପତି ଏନ୍‌ ଜି ଖୈତାନ କହିଛନ୍ତି। ତେବେ ଇସ୍ପାତ ନିର୍ମାତାମା‌ନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଏହି ଅବସରରେ ଉଲ୍ଲେଖ କରିଥିଲେ। ସମସ୍ୟାଗୁଡ଼ିକ ମଧ୍ୟରେ ଲୁହାପଥର ଅଭାବ, ବିଦେଶରୁ ଶସ୍ତାରେ ଇସ୍ପାତ ଆମଦାନି ଏବଂ ନୀତିରେ ଉପଯୁକ୍ତ ବ୍ୟବସ୍ଥା ନଥିବା ଅନ୍ୟତମ।

Leave a Reply

Your email address will not be published. Required fields are marked *