ଅପରାଧ

ଡାହାଣୀ ସନ୍ଦେହରେ ନିଜ ମା’ଙ୍କ ତଣ୍ଟି ଚିପିଲା ପୁଅ

ବାଙ୍ଗିରିପୋଷି: ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଡାହାଣୀ ସନ୍ଦେହରେ ନିଜ ମା’ଙ୍କୁ ପୁଅ ହତ୍ୟା କରିଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମା’ଙ୍କୁ ତଣ୍ଟିଚିପି ହତ୍ୟା କରିଛି ବୋଲି ପୁଅ ନିଜେ ଥାନାରେ ଆତ୍ମସମର୍ପଣ କରିଛି।

ସୂଚନା ଅନୁସାରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବନ୍ଧ ପଞ୍ଚାୟତ ପଟ୍ଟାଶିଳା ଗ୍ରାମରେ ଭୈତାଳ ମୁର୍ମୁ (୬୫) ନିଜ ପତ୍ନୀ କାର୍ମି ମୁର୍ମୁ ( ୬୦) ସହିତ ପୁଅ ଗଜେନ୍ଦ୍ର ମୁର୍ମୁ (୩୫) ଓ ବୋହୂ, ଛୁଆ ରହନ୍ତି। ପୁଅ ଗଜେନ୍ଦ୍ର ସହିତ ସ୍ତ୍ରୀ ଓ ଛୁଆର ଜ୍ଜର ଛାଡୁ ନଥିବାରୁ ସବୁବେଳେ ନିଜ ମା’ ସହିତ କଳିକଜିଆ କରୁଥିଲା। ମା’କୁ ଡାହାଣୀ ବୋଲି ସନ୍ଦେହ କରୁଥିଲା। ବୁଧବାର ମଧ୍ୟରାତ୍ରରେ ନିଶାସକ୍ତ ଅବସ୍ଥାରେ ମା’ ଓ ନିଜ ସ୍ତ୍ରୀ ସହିତ ଝଗଡ଼ା କରିଥିଲା। ହଠାତ୍ ଉତକ୍ଷିପ୍ତ ହୋଇ ମା’ଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହି ଦୃଶ୍ୟ ଦେଖି ନିଜ ସ୍ତ୍ରୀ ଘଟଣାସ୍ଥଳରୁ ନିଜ ଛୁଆ ସହିତ ପଡୋଶୀ ଘରକୁ ପଳାଇଥିଲେ।

ସକାଳୁ ନିଜ ଭୂଲ ବୁଝିପାରି ବାଙ୍ଗିରିପୋଷି ଥାନାରେ ସତକଥା ବଖାଣିବା ସହିତ ଆତ୍ମସମର୍ପଣ କରିଥିଲା ପୁଅ ଗଜେନ୍ଦ୍ର। ଏସ୍‌ଡିପିଓ ପ୍ରକାଶ ଜେଏମ୍‌ସ ଟୋପ୍ପୋ, ଥାନା ଅଧିକାରୀ କମଳାକାନ୍ତ ଦାସ, ସାଇଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଗଜେନ୍ଦ୍ରକୁ ଥାନାକୁ ଆଣି ଅଟକ ରଖାଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ ହେବ ବୋଲି ଥାନା ଅଧିକାରୀ କମଳାକାନ୍ତ ଦାସ କହିଛନ୍ତି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *