ମୁଖ୍ୟ ଖବର

କେରଳ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫୬ ଛୁଇଁଲା; ୧୮୦ ଜଣ ଆହତ

ୱାୟନାଡ଼: କେରଳର ୱାୟନାଡ଼ରେ ଗତକାଲି ବଡ଼ଧରଣର ଭୂସ୍ଖଳନ ହୋଇଛି। ବଡ଼ି ଭୋରରେ ମାତ୍ର ୪ ଘଣ୍ଟା ବ୍ୟବଧାନରେ ଘଟିଥିବା କ୍ରମାଗତ ତିନିଟି ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ଭିତରୁ ୧୫୬ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଏହାସହିତ ୧୮୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ତେବେ ଆହୁରି ୧୦୦ରୁ ରୁ ଅଧିକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି।ଉଦ୍ଧାର କାର୍ଯ୍ୟରେ ନୌସେନା, ସେନାବାହିନୀ, ଏନ୍‌ଡିଆର୍‌ଏଫ୍‌ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି।କେରଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଗତକାଲିର ଭୂସ୍ଖଳନରେ ‌ୱାୟନାଡ଼ ଜିଲ୍ଲାର ମେପ୍ପାଡି, ମୁଣ୍ଡାକ୍କାଇ, ଅଟ୍ଟାଲାମାଲା, ନୁଲପୁଝା ଓ ଚୁରାଲମାଲା ଗାଁ ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରଥମେ ଉପରମୁଣ୍ଡରେ ଥିବା ମେପ୍ପାଡି ଗାଁକୁ ଭୂସ୍ଖଳନ ସଂପୂର୍ଣ୍ଣ ଧୋଇ ଦେଇଥିଲା। ପରେ ଲକ୍ଷଲକ୍ଷ କ୍ବିଣ୍ଟାଲର ମାଟି, ପଥର, କାଦୁଅ ଆଦି ଅନ୍ୟଗାଁ ଉପରେ ମାଡ଼ିଯାଇଥିଲା। ବଡି ଭୋରରେ ଲୋକମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ବିପର୍ଯ୍ୟୟ ଘଟିଥିଲା। ଏଣୁ ଅନେକଙ୍କ ଜୀବନ ଶୋଇଥିବା ଅବସ୍ଥାରେ ହିଁ ଚାଲିଯାଇଛି।ଉଦ୍ଧାର କାର୍ଯ୍ୟରେ ପ୍ରଥମେ ଏନ୍‌ଡିଆର୍‌ଏଫ୍‌ ଯୋଗ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ସେନାବାହିନୀ ଓ ପାରା ରେଜିମେଣ୍ଟ୍‌ ଯବାନ ଯୋଗ ଦେଇଛନ୍ତି। କନ୍ନୁରର ଏଝିମାଲା ନୌସେନା ଘାଟିରୁ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି। ବଢ଼ନ୍ତା ନଦୀରେ ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ନୌସେନାର ୩୦ ଜଣ ସ୍ବତନ୍ତ୍ର ସନ୍ତରଣକାରୀ ଯବାନ ନିୟୋଜିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *