ଅପରାଧ

ଦ୍ବିତୀୟ ସ୍ତ୍ରୀଙ୍କୁ ଏସିଡ୍ ମାଡ଼ ଘଟଣା: ସ୍ୱାମୀ ଗିରଫ

ବାଲେଶ୍ବର: ଏସିଡ୍‌ ମାଡ଼ ଘଟଣାରେ ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ କୁମାର ରଣା ଓ ତାର ସହଯୋଗୀ ତଥା ଏସିଡ୍‌ ବିକ୍ରେତାକୁ ଗିରଫ୍‌ କରିଛି। ଏନେଇ ଆଜି ଅପରାହ୍ନରେ ସହଦେବଖୁଣ୍ଟା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚନ୍ଦନକୁ ଧରିବା ପାଇଁ ପୁଲିସର ପାଞ୍ଚଟି ଟିମ୍‌ ଗଠନ ହୋଇଥିବା ବେଳେ ତିନୋଟି ଟିମ୍‌ ବିଭିନ୍ନ ରାଜ୍ୟକୁ ଯାଇଥିଲା। କୋଲକାତା, ମହାରାଷ୍ଟ୍ର ଓ ତାମିଲନାଡୁ ପୁଲିସର ସହଯୋଗରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନକୁ ଗିରଫ କରିବାରେ ବାଲେଶ୍ବର ପୁଲିସ ସଫଳ ହୋଇଥିଲା।

ତେବେ ପୁଲିସ ଆଗରେ ଅଭିଯୁକ୍ତ ଚନ୍ଦନ ସେଦିନର ପୂରା ଘଟଣା ସଂପର୍କରେ ସବୁ ସତ କଥା ମାନିଥିଲା। ଏସ୍‌ପି ସାଗରିକା ନାଥଙ୍କ ସୂଚନା ଅନୁସାରେ, ଚନ୍ଦନ ପ୍ରଥମ ସ୍ତ୍ରୀ ସହିତ ରହିବାକୁ ଚାହୁଁନଥିଲା। ଦ୍ବିତୀୟ ସ୍ତ୍ରୀ ବନିତାଙ୍କ ସହିତ ରହିବାକୁ ଚାହୁଁଥିଲା। ହେଲେ ବନିତା ଏଥିରେ ରାଜି ନହେବାରୁ ସେ ଏଭଳି ପଦକ୍ଷେପ ଘଟାଇବାକୁ ଯୋଜନା କରିଥିଲା। ସେଦିନ ପୂର୍ବ ଯୋଜନା ମୁତାବକ ଚନ୍ଦନ ଏସିଡ୍‌ ଯାହା ପାଖରୁ କିଣିଥିଲା ତାକୁ ସାଙ୍ଗରେ ଧରି ବନିତାଙ୍କ ଘରକୁ ଯାଇଥିଲା। ଏହା ସହିତ ପେଟ୍ରୋଲ ଓ ମାଚିସ୍‌ କିଣି ସାଙ୍ଗରେ ନେଇଥିଲା। ବନିତା ଏବଂ ତାଙ୍କର ବଡ଼ଭଉଣୀ ବର୍ଷାଙ୍କ ଉପରେ ଏସିଡ୍‌ ମାଡ଼ କରିବା ପରେ ଚନ୍ଦନ ମୋବାଇଲ୍‌ ଫୋନ୍‌କୁ ଭାଙ୍ଗି ନଷ୍ଟ କରିଥିଲା। ଏହ ପରେ ଜଳେଶ୍ବରକୁ ପଳାଇଯାଇଥିଲା।

ଚନ୍ଦନକୁ ଫେରାର୍‌ ହେବାରେ ଦୁଇଜଣ ବ୍ୟକ୍ତି ସହଯୋଗ କରିଥିଲେ। ଯେଉଁ ବାଇକ୍‌ରେ ଚନ୍ଦନ ଜଳେଶ୍ବର ଯାଇଥିଲା ସେ ବାଇକ୍‌କୁ ପୁଲିସ ଜବତ କରିଛି। ଜଳେଶ୍ବରରେ ଚନ୍ଦନ ପହଞ୍ଚିବା ପରେ ସେଠାରେ ଅନ୍ୟ ଜଣେ ସହଯୋଗୀ ତାଙ୍କୁ କୋଲକାତା ପଠାଇବାରେ ସହଯୋଗ କରିଥିଲା। କୋଲକାତାର ବିଭିନ୍ନ ସ୍ଥାନରେ ଚନ୍ଦନ ରହିଥିଲା। ଚନ୍ଦନ ଗତିବିଧି ବିଷୟରେ ଜାଣିପାରି ନିୟୋଜିତ ହୋଇଥିବା ତିନୋଟି ପୁଲିସ ଟିମ୍‌ ଦୀର୍ଘ ୧୬ ଦିନ ପରେ ଚନ୍ଦନକୁ ଧରିବାରେ ସଫଳ ହୋଇଥିଲା। ତେବେ ଯାହା ଜଣାଯାଇଛି ଚନ୍ଦନର ପ୍ରଥମ ସ୍ତ୍ରୀ ଚନ୍ଦନକୁ ଫେରାର୍‌ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲା।

ସୂଚନାଯୋଗ୍ୟ, ସହଦେବଖୁଣ୍ଟା ଥାନା ଭୀମପୁରା ଗ୍ରାମର କାର୍ତ୍ତିକ ସିଂଙ୍କ ସାନଝିଅ ବନିତା ଦେଢ଼ ମାସ ତଳେ ନୀଳଗିରି ଥାନା ନୟାପାଟଣା ଗ୍ରାମର ଚନ୍ଦନ କୁମାର ରଣାଙ୍କୁ ପ୍ରେମ ବିବାହ କରିଥିଲେ। ଚନ୍ଦନ ଜଣେ ଗହଣା ବ୍ୟବସାୟୀ। ତେବେ ବାହାଘର ପୂର୍ବରୁ ଚନ୍ଦନ ଆଉ ଜଣେ ମହିଳାଙ୍କୁ ବିବାହ କରିଥିବା ଜାଣିବା ପରେ ବନିତା ଆଉ ତାଙ୍କ ପାଖରେ ରହିନଥିଲେ। ନିଜ ବଡ଼ଭଉଣୀ ବର୍ଷାଙ୍କ ଘରେ ରହୁଥିଲେ। ଚନ୍ଦନ ବନିତାଙ୍କ ସହିତ ସଂପର୍କ ରଖିବାକୁ ଚାହିଁଥିବା ବେଳେ ବନିତା ସତକଥା ଜାଣିବା ପରେ ତାଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଯିବାକୁ ଚାହିଁଥିଲେ। ହେଲେ ଚନ୍ଦନ ମଝିରେ ମଝିରେ ଅନ୍ୟ ନମ୍ବରରୁ ବନିତାଙ୍କୁ ଯୋଗାଯୋଗ କରୁଥିଲେ ବି ବନିତା କଥା ହେଉନଥିଲେ। ଶେଷରେ ଫେବ୍ରୁଆରି ୨୦ ତାରିଖରେ ଚନ୍ଦନ ବନିତାଙ୍କୁ ଏସିଡ୍‌ ମାଡ଼ କରିଥିଲା। ଏଥିରେ ବନିତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କର ଦୁଇ ସନ୍ତାନ ମଧ୍ୟ ଶିକାର ହୋଇଥିଲେ। ବନିତା ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେ‌ଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବଡ଼ଭଉଣୀ ବର୍ଷା ସିଂ ଓ ତାଙ୍କର ଦୁଇ ସନ୍ତାନ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *