ମୁଖ୍ୟ ଖବର

ଅନିଶ୍ଚିତତାରେ ୪୨ଶହ କୋଟିର ପ୍ରକଳ୍ପ: ୨୨ରୁ ୨୨ ଶ୍ରୀକ୍ଷେତ୍ର ପ୍ରକଳ୍ପ ଅଧପନ୍ତରିଆ

ପୁରୀ: ଶ୍ରୀକ୍ଷେତ୍ର ବିକାଶରେ ପଡ଼ିଛି ଭଟ୍ଟା। ଅନିଶ୍ଚିତତା ଭିତରେ ୪୨ ଶହ କୋଟି ଟଙ୍କାର ବିକାଶ ପ୍ରକଳ୍ପ। ୨୨ରୁ ୨୨ ପ୍ରକଳ୍ପ ଅଧପନ୍ତରିଆ। ଯୁଆଡ଼େ ଚାହିଁଲେ କେବଳ ଅଧାଗଢ଼ା ପ୍ରକଳ୍ପ ଦୃଶ୍ୟମାନ ହେଉଛି। ସରକାର ବଦଳିବା ସହ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ଏହି ପ୍ରକଳ୍ପଗୁଡ଼ିକର ଭାଗ୍ୟ ଓ ଭବିଷ୍ୟତ। ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ବିଜେଡି ସରକାର ଅବଢ଼ା ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ପ୍ରାୟ ୩୨ ଶହ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୯ ଅକ୍ଟୋବର ୧୯ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହାକୁ ମଞ୍ଜୁରି ପ୍ରଦାନ କରିଥିଲା। ପରେ ଏହି ଅନୁଦାନ ରାଶି ଆହୁରି ୧ ହଜାର କୋଟିକୁ ବଢ଼ାଇ ଦିଆଗଲା। ଶ୍ରୀକ୍ଷେତ୍ରର ବିକାଶ ପାଇଁ ଏପରି ମୋଟ ୪୨୨୪.୨୨ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିଲା ତତ୍କାଳୀନ ରାଜ୍ୟ କ୍ୟାବିନେଟ୍‌। ଯେଉଁଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ପ୍ରଶାସନିକ କୋଠା ଉନ୍ନତୀକରଣ, ରଘୁନନ୍ଦନ ପାଠାଗାର, ମୂଷା ନଈର ଉନ୍ନତୀକରଣ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀସେତୁ, ଶ୍ରୀଦାଣ୍ଡ, ଅଠରନଳା ଉନ୍ନତୀକରଣ, ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରୁ ଉଚ୍ଛେଦ ମଠ ଓ ମନ୍ଦିରର ଉନ୍ନତୀକରଣ, ମାର୍କେଟ୍‌ କଂପ୍ଲେକ୍ସ ଉନ୍ନତୀକରଣ, ସମଙ୍ଗ ପାର୍କିଂ ସ୍ଥଳ, ବହୁତଳ ପାର୍କିଂ, ବେଳାଭୂମି ସୌନ୍ଦର୍ଯ୍ୟୀକରଣ ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ସବୁ ପ୍ରକଳ୍ପ ଅଧାଗଢ଼ା ରହିଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ମୋଟ ୮ ଶହ କୋଟି ବ୍ୟୟବରାଦ ହୋଇଥିଲା। ଗତ ଜାନୁଆରି ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇସାରିଛି, କିନ୍ତୁ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନି। ଯେଉଁଥି ପାଇଁ ପ୍ରକଳ୍ପ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହୋଇପାରିନି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଏକକାଳୀନ ଲୋକାର୍ପିତ ହୋଇଛି ରାଜ୍ୟର ସର୍ବପ୍ରଥମ ‘ଟ୍ରମ୍ପେଟ୍‌ ବ୍ରିଜ୍‌’ ବା ‘ଶ୍ରୀସେତୁ’। ଏହି ପ୍ରକଳ୍ପ ବାବଦରେ ୧୬୧.୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଅଦ୍ୟାବଧି ‘ଶ୍ରୀସେତୁ’ କାମ ଶେଷ ହୋଇନି। ଏବେ ବି ଭ୍ୟୁ-ପଏଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ କାମ ଜାରି ରହିଛି। ମୂଷା ନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୧ ଓ ମୂଷାନଈ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ-୨, ଏଭଳି ଦୁଇଟି ପର୍ଯ୍ୟାୟରେ ମୂଷା ନଈର ବିକାଶ କରାଯାଉଛି। ୧୪ଟି ମୌଜାରୁ ୧୦୯.୩୪୨ ଏକର ଜମି ଅଧିଗ୍ରହଣ ପୂର୍ବକ ସର୍ବମୋଟ ୧୦୭ କୋଟି ଟଙ୍କା ଖର୍ଚ୍ଚ ମଞ୍ଜୁର ହୋଇଛି। ନୌବିହାର ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କାମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଅଦ୍ୟାବଧି ଜମି ଅଧିଗ୍ରହଣ କାମ ଶେଷ ହୋଇପାରିନି।ଶ୍ରୀସେତୁ ଦେଇ ଆସୁଥିବା ଭକ୍ତଙ୍କ ପାର୍କିଂ ସହ ଧ୍ୟାନ, ଯୋଗ ଆଦି କରିବା ପାଇଁ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ପରିକଳ୍ପନା କରାଯାଇଥିଲା। ପ୍ରାୟ ୩୭ ଶହ ବର୍ଗଫୁଟ ଜାଗାରେ ନିର୍ମାଣ ଚାଲିଥିବା ୫ ମହଲା ବିଶିଷ୍ଟ (ଜି+୪) ଏହି ପ୍ରକଳ୍ପ ପାଇଁ ୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ବି ଅଧାଗଢ଼ା। ପୁରୀ ସହର ଭିତର ଭିଡ଼ ଚାପ କମାଇବା ପାଇଁ ପୁରୀ ସଦର ବ୍ଲକ୍‌ର ସମଙ୍ଗଠାରେ ୪୩ ଏକର ପରିବ୍ୟାପ୍ତ ଜାଗାରେ ଓଡ଼ିଶାର ଅନ୍ୟତମ ବୃହତ୍ତମ ପାର୍କିଂସ୍ଥଳ ନିର୍ମାଣ ଆରମ୍ଭ ହୋଇଥିଲା। ଏହି ପାର୍କିଂରେ ୪୨୯ ବସ୍‌, ୫୪୯ ହାଲୁକା ଚାରିଚକିଆ ଯାନ, ୨୫୮ ଅଟୋ ଓ ୧୦୫୪ ଦୁଇଚକିଆ ଯାନ ରଖିବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ୫୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହାର ମଧ୍ୟ ନିର୍ମାଣ ସରିନି। ବେଳାଭୂମିର ବିକାଶ ଓ ବେଳାମାର୍ଗର ସୌନ୍ଦର୍ଯ୍ୟୀକରଣ ପାଇଁ ଖର୍ଚ୍ଚ ହେଉଛି ୧୦୨ କୋଟି। ତିନିଟି ବିସ୍ତୃତ ପାର୍କିଂ ଅଞ୍ଚଳର ଉନ୍ନତୀକରଣ ସହ ପ୍ରାୟ ୪ କିଲୋମିଟର ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ସଦୃଶ ଉନ୍ନତି କରାଯାଉଛି। ଉଠାଦୋକାନୀଙ୍କ ପାଇଁ ୬୬୬ଟି କିଓସ୍କ ସ୍ଥାପିତ ହେବ। ଏହି କାମ ବି ଅଧପନ୍ତରିଆ। ସେହିଭଳି ୬୪ କୋଟି ଟଙ୍କାର ତୀର୍ଥ ପୁଷ୍କରିଣୀ ବିକାଶ ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି। ୧୪ କୋଟିର ଶ୍ରୀଦାଣ୍ଡ ବିକାଶ ବି ଅଧପନ୍ତରିଆ। ରଘୁନନ୍ଦନ ପାଠାଗାର ଭଳି କିଛି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନି।

Leave a Reply

Your email address will not be published. Required fields are marked *