ଅପରାଧ

ପୁରୀରେ ପୁଣି ଗଡ଼ିଲା ମୁଣ୍ଡ: ଖଜା ବ୍ୟବସାୟୀଙ୍କୁ ହାଣିଦେଲେ

ପୁରୀ: ପୁରୀ ସହରରେ ନିଜ ଗୋଷ୍ଠୀର ପତିଆରା ବୃଦ୍ଧିକୁ ନେଇ ଆଜି ରାତିରେ ଜଣଙ୍କର ମୁଣ୍ଡ ଗଡ଼ିଛି। ଗୁରୁବାର ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଟାଉନ୍‌ ଥାନା ମାର୍କଣ୍ଡେଶ୍ବର ସାହିରେ କେତେ ଜଣ ଦୁର୍ବୃତ୍ତ ଜଣେ ଖଜା ବ୍ୟବସାୟୀଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚାରିଆଡ଼େ ଚଢ଼ଉ ଆରମ୍ଭ କରିଛି। ମାର୍କଣ୍ଡେଶ୍ବରସାହି ରାଧାଗୋବିନ୍ଦ ଲେନ୍‌ର ଦୀନେଶ ଖୁଣ୍ଟିଆ(୧୮)ଙ୍କ ସହ ପ୍ରଦୀପ ସାହୁଙ୍କର ଖଜା ବ୍ୟବସାୟକୁ କେନ୍ଦ୍ର କରି ବିବାଦ ଲାଗିରହିଥିଲା। ଦୁଇ ଜଣ ଦୁଇଟି ଗୋଷ୍ଠୀ କରି ଛକାପଞ୍ଝାରେ ରହୁଥିଲେ। ଦୀନେଶ ଯାତ୍ରୀ ଗୁମାସ୍ତା କାମ କରୁଥିବା ବେଳେ କିଛିଦିନ ହେଲା ଶ୍ରୀକୃଷ୍ଣ ସିନେମା ଛକରେ ଖଜା ବ୍ୟବସାୟ କରୁଥିଲେ। ଆଜି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଦୀନେଶ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ପ୍ରଦୀପଙ୍କ ସହ ଗୋପାଳ, ବାବି ମିଶ୍ର, ହରି ସାହୁ ଓ ଦିଲୁ ସାହୁ ପ୍ରମୁଖ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଦୀନେଶ ଘର ନିକଟରେ ପହଞ୍ଚିବା ବେଳେ ସେମାନେ ତାଙ୍କ ବେକକୁ କଟୁରିରେ ହାଣି ଫେରାର ହୋଇ ଯାଇଥିଲେ। ଚିତ୍କାର ଶୁଣି ଦୀନେଶଙ୍କୁ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ଦୀନେଶଙ୍କର ମୃତ୍ୟୁ ଘଟିଥିଲା। ମୃତ ଦୀନେଶଙ୍କ ଭାଇ ପୁଲିସକୁ ଏ ସଂପର୍କରେ ସୂଚନା ଦେବା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଧରପଗଡ଼ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *