ମୁଖ୍ୟ ଖବର

ଲୋକସେବା ଭବନରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ନେଇ ବୈଠକ ବିଫଳ

ଭୁବନେଶ୍ବର: ଲୋକସେବା ଭବନରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହିତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ଓ ଆଇନ ମନ୍ତ୍ରୀ, ଅର୍ଥ ସଚିବ, ରାଜସ୍ବ ସଚିବ, ଦେବୋତ୍ତର କମିସନର, ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ୪ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ବଡୁ ନିଯୋଗର ସଂପାଦକ କମଳାକାନ୍ତ ବଡୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଶେଷ କରି ସେବାୟତଙ୍କ ନାମରେ ଥିବା ଜମି ଲିଙ୍ଗରାଜଙ୍କ ନାଁକୁ ଉଠିବା, ମନ୍ଦିର ସ୍ଥାୟୀ ଟ୍ରଷ୍ଟ ଗଠନ, ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଏବଂ ସେବାୟତଙ୍କ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରୁ କୌଣସି ନିଷ୍କର୍ଷ ବାହାରି ନଥିବା ବେଳେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବା ନେଇ ଆଶାବାଦୀ ‌ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜଙ୍କୁ ନେଇ ବିଗତ କିଛି ବର୍ଷ ହେଲା ବିଭିନ୍ନ ସମୟରେ ବିବାଦ ଦେଖାଯାଉଛି। ବିଗତ ଦିନରେ ପୁଣି ପ୍ରଭୁ କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ ବନ୍ଦ ହୋଇଯାଇଛି।ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ଦୀର୍ଘ ୮ ବର୍ଷର ବିବାଦ ତୁଟି ପାରିଲା ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ବେ ରକ୍ଷା ହୋଇପାରିଲାନି ଦୁଇ ଠାକୁର ପ୍ରଭୁ ଶ୍ରୀଲିଙ୍ଗରାଜ ଓ କପିଳନାଥଙ୍କ ବିଧି ଓ ପରମ୍ପରା। ଏମିତିକି ଜିଲ୍ଲାପାଳଙ୍କ କ‌ଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ମଧ୍ୟ ଫୁ’ କରି ଉଡ଼ାଇଦିଆଗଲା। ଫଳରେ ପ୍ରଭୁ କପିଳେଶ୍ବର ଦିନତମାମ୍‌ ଖାଡ଼ା ଉପାସ ରହିଥିବା ବେଳେ ଓଳିଏ ଉପାସ ରହିଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ।

Leave a Reply

Your email address will not be published. Required fields are marked *