ଦେଶ- ବିଦେଶ

ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ହତ୍ୟା ମାମଲା

ଢାକା: ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ।ଗତ ମାସରେ ବାଂଲାଦେଶରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଜଣେ ଗ୍ରୋସରୀ ଷ୍ଟୋର୍ ମାଲିକଙ୍କ ମୃତ୍ୟୁ ଘଟଣାରେ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏ ନେଇ ମଙ୍ଗଳବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିବାଦୀୟ ଚାକିରି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତାଙ୍କ ଆୱାମୀ ଲିଗ୍ ନେତୃତ୍ୱାଧୀନ ସରକାର ବିରୋଧରେ ବ୍ୟାପକ ପ୍ରତିବାଦ ପରେ ଗତ ସପ୍ତାହରେ ଇସ୍ତଫା ଦେଇଥିବା ୭୬ ବର୍ଷୀୟ ହସିନାଙ୍କ ବିରୋଧରେ ଏହା ହେଉଛି ପ୍ରଥମ ମାମଲା।ଗତ ଜୁଲାଇ ୧୯ ତାରିଖରେ ମହମ୍ମଦପୁର ସହରରେ ସଂରକ୍ଷଣ ସପକ୍ଷରେ ଶୋଭାଯାତ୍ରା ବେଳେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଗ୍ରୋସରୀ ଦୋକାନ ମାଲିକ ଅବୁ ସୟିଦଙ୍କ ଜଣେ ଶୁଭେଚ୍ଛୁ ଏହି ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଆୱାମୀ ଲିଗ୍ ସାଧାରଣ ସମ୍ପାଦକ ଓବାଇଦୁଲ କାଦର, ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ଅସଦୁଜମାନ ଖାନ୍ କମଲ ଏବଂ ପୂର୍ବତନ ପୁଲିସ ମହାନିରୀକ୍ଷକ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନ୍।ସୂଚନାଯୋଗ୍ୟ ଯେ କୋଟା ପ୍ରସଙ୍ଗକୁ ନେଇ ହିଂସାତ୍ମକ ବିକ୍ଷୋଭ ପରେ ଆୱାମୀ ଲିଗ୍ ନେତା ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଭାରତକୁ ପଳାଇଆସିଛନ୍ତି । ଗାଜିଆବାଦର ହିଣ୍ଡନ ଏୟାରବେସର ଏକ ସୁରକ୍ଷିତ ସ୍ଥାନରେ ସେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *