ମୁଖ୍ୟ ଖବର

ଲେଉଟିଲା ବ୍ଲାକରୋଜ୍ ଜାହାଜ ବୁଡ଼ି ପ୍ରସଙ୍ଗ: ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିଙ୍କୁ ଚିଠି ଲେଖିଲା ସ୍ବରାଷ୍ଟ୍ର ବିଭାଗ

ଭୁବନେଶ୍ବର: ୨୦୦୯ ମସିହାରେ ବ୍ଲାକ୍‌ରୋଜ ବୁଡ଼ି ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ରାଜ୍ୟରେ ସରକାର ବଦଳିବା ପରେ ପୁଣିଥରେ ଏହି ଘଟଣା ଚର୍ଚ୍ଚାକୁ ଆସିଛି। ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଜାହାଜ ବୁଡ଼ି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ପତ୍ର ଲେଖିଛି ରାଜ୍ୟ ସ୍ବରାଷ୍ଟ୍ର ବିଭାଗ। ଫଳରେ ଏହି ଘଟଣାର ସିବିଆଇ ତଦନ୍ତ ଆରମ୍ଭ ଆଶା ସଞ୍ଚାର ହୋଇଛି।ଘଟଣା ପରେ ପାରାଦୀପ ମେରାଇନ ଥାନାରେ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଏକ ଏତଲା ଦାୟର ହୋଇଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିଥିଲା। ଏହା ଏକ ଅନ୍ତର୍ଜାତୀୟ ଅପରାଧ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଧାର୍ଯ୍ୟ ସୀମା ଭିତରେ ତଦନ୍ତ କରିପାରିବ। ସିବିଆଇ ଏହି ଘଟଣାର ପ୍ରାଥମିକ ତଦନ୍ତ କରିଥିଲା। ୨୦୧୯ ମସିହାରେ ଜାହାଜ ବୁଡ଼ି ସଂପର୍କିତ ତଥ୍ୟ ହସ୍ତାନ୍ତର କରିବା ଲାଗି ସିବିଆଇ ରାଜ୍ୟ ସରକାରଙ୍କୁ ଦୁଇ ଥର ପତ୍ର ଲେଖିଥିଲା। ଏହି ଘଟଣାରେ ବିଜୁ ଜନତା ଦଳର ନେତାମାନଙ୍କ ସଂପୃକ୍ତି ଥିବାରୁ ସରକାରଙ୍କ ପକ୍ଷରୁ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରାଗଲା ନାହିଁ। କାଗଜପତ୍ର ହସ୍ତାନ୍ତର ନ ହେବା କାରଣରୁ ସିବିଆଇ ଏହାର ତଦନ୍ତ କରିପାରି ନ ଥିଲା। ସେହିପରି ଜାହାଜ ମନ୍ତ୍ରାଳୟ ପକ୍ଷରୁ କୋର୍ଟରେ ଦାଖଲ ସତ୍ୟପାଠରେ ସିବିଆଇ ଏହି ମାମଲାର ତଦନ୍ତ କରୁ ବୋଲି କୁହାଯାଇଛି।ଏହାସହ ଚଳିତ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଏ ପ୍ରସଙ୍ଗ ଉଠାଯାଇଥିଲା। ଏବେ ବିଜେପି ସରକାର ଶାସନ କ୍ଷମତାକୁ ଆସିଥିବାରୁ ରାଜ୍ୟ ସରକାର ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲି। ଏବେ ରାଜ୍ୟ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ପତ୍ର ଲେଖାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କୁହାଯାଇଛି। ଅର୍ଥାତ୍ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ସଂପର୍କିତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ପତ୍ରରେ ଉଲ୍ଲେଖ ରହିଛି। ଯଦି କାଗଜପତ୍ର ହସ୍ତାନ୍ତର ନ ହୁଏ ତାହାଲେ ହାଇକୋର୍ଟରେ ଚାଲିଥିବା ମାମଲାରେ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *