Uncategorized

ରାଜ୍ୟରେ ବଜ୍ରପାତ: ଦିନକରେ ୯ ଜଣଙ୍କ ମୃତ୍ୟୁ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ ବଜ୍ରପାତ ଜନିତ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ। ଆହତମାନଙ୍କ ଚିକିତ୍ସା ରାଜ୍ୟ ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ମେର୍ଦ୍ଦା ପଞ୍ଚାୟତର ସିଙ୍ଗାରପୁର ଗ୍ରାମର ଲଛମନ ଓ ତାଙ୍କ ସ୍ତ୍ରୀ ଶାକର ନିଜର ବିଲରେ ତଳି ରୋଉଥିବା ବେଳେ ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘନଘନ ବିଜୁଳି ମାରିବାରୁ ସମସ୍ତେ ତରତର ହୋଇ ଘରକୁ ଫେରୁଥିଲେ। ତେବେ ଦମ୍ପତି ଦ୍ବୟ ବିଲରେ କାମ ଜାରି ରଖିଥିଲେ। ଫଳରେ ଏକ ଭୟଙ୍କର ବଜ୍ରାଘାତରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାଳୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନା କର୍ତୃପକ୍ଷଙ୍କ ସୂଚନାକ୍ରମେ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କେନ୍ଦ୍ରାପଡ଼ା ରାଜକନିକା ଥାନା ଗୁଆଳି ଗାଁରେ ବଜ୍ରପାତରେ ଜଣେ ଯୁବକ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂ ଥାନା ତୋଲଡ଼ି ଗାଁରେ ଜଣେ ବ୍ୟକ୍ତି, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧୁରୁଡ଼ିଆମ୍ବ ଗାଁରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଟାଙ୍ଗୀର ଜରିପଡ଼ା ପଞ୍ଚାୟତ ଟିକରା ଗାଁରେ ମଧ୍ୟ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡ଼ିଶୋ ଗାଁରେ ହରି ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇର ଗୁଡ଼ିକଂସରେ ୨ ଜଣ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଅସନଝର ପଞ୍ଚାୟତ ସୁନାଚରା ଗ୍ରାମରେ ଧାନ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁକାନ୍ତି ଜେନା।ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ସାହୁପଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅମର ସେଠୀ (୨୯)। ସେହିଭଳି ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଚକ୍ରଧର ଦାସ (୫୮)। ଉଭୟରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମୁନୁପାଲି ଗାଁ ନିକଟ ମୁନୁବନ୍ଧରେ କୃଷି ଭିତ୍ତିକ ଉତ୍ସବ ପାଇଁ ପୂଜାର୍ଚ୍ଚନା ଚାଲିଥିଲା ବେଳେ ବଜ୍ରପାତ କାରଣରୁ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *