ବାଣିଜ୍ୟ

ସିଏଚ୍‌ସି ସ୍ତରରେ ଚିକିତ୍ସା ସେବା ଦୁର୍ବଳ: ରୋଗୀଙ୍କ ପକେଟ୍‌ରୁ ଯାଉଛି ୧୭୫୦ ଟଙ୍କା

ଭୁବନେଶ୍ବର: ‌ସ୍ବାସ୍ଥ୍ୟ ହିଁ ସଂପଦ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ପାଇଁ ବିଭିନ୍ନ ଚିକିତ୍ସା ଯୋଜନା କରୁଛନ୍ତି। ପ୍ରଥମ ଥର ପାଇଁ ବିଜେପି ନେତୃତ୍ବରେ ରାଜ୍ୟରେ ଗଠନ ହୋଇଥିବା ବିଜେପି ସରକାର ୨୦୨୪-୨୫ ବଜେଟ୍‌ରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୨୦୮୩୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ହୋଇଥିବା ଏହି ବ୍ୟୟବରାଦ ମୋଟ ବଜେଟ୍‌ର ୭.୮୬ ପ୍ରତିଶତ ହୋଇଥିବାବେଳେ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨.୨୫ ପ୍ରତିଶତ। ୨୦୨୩-୨୪ ବଜେଟ୍‌ରେ ଏହା ଯଥାକ୍ରମେ ୭.୦୪ ପ୍ରତିଶତ ଏବଂ ୧.୯୪ ପ୍ରତିଶତ ରହିଥିଲା।ଏସବୁ ସତ୍ତ୍ବେ ଚିକିତ୍ସା ସେବା ଦିନକୁ ଦିନ ବ୍ୟୟବହୁଳ ହେଉଛି। ଲୋକଙ୍କୁ ସେମାନଙ୍କ ପକେଟରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଚିକିତ୍ସା ବାବଦରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ପକେଟ୍‌ ଖର୍ଚ୍ଚ ୧୭୫୦ ଟଙ୍କା ରହିଛି ବୋଲି କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟ ରିପୋର୍ଟ ୨୦୧୭-୧୮ ରିପୋର୍ଟରୁ ଜଣାଯାଇଛି। ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୁଣ୍ଡପିଛା ମୋଟ ଚିକିତ୍ସା ଖର୍ଚ୍ଚ ୩୧୩୦ ଟଙ୍କା ରହିଛି। କିନ୍ତୁ ସେଥିରୁ ସରକାର ୧୨୦୭ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅର୍ଥାତ୍‌ ୫୫.୯ ପ୍ରତିଶତ ଅର୍ଥ ରୋଗୀଙ୍କୁ ନିଜ ହାତରୁ ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ରାଜସ୍ଥାନରେ ଏହା ୪୯.୬ ପ୍ରତିଶତ, ଛତିଶଗଡ଼ରେ ୩୮.୮ ପ୍ରତିଶତ ରହିଛି। ରାଜ୍ୟ ସରକାର ବିଗତ କିଛିବର୍ଷ ହେଲା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ନେଇଥିବା ପଦକ୍ଷେପ ଫଳରେ ଲୋକଙ୍କ ପକେଟରୁ କମ୍‌ ଅର୍ଥ ଖର୍ଚ୍ଚ କମୁଛି। କିନ୍ତୁ ଛତିଶଗଡ଼, ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ସହ ଆମ ରାଜ୍ୟକୁ ତୁଳନା କଲେ ରାଜ୍ୟବାସୀଙ୍କ ପକେଟ୍‌ରୁ ଚିକିତ୍ସା ବାବଦ ମୁଣ୍ଡପିଛା ଖର୍ଚ୍ଚ ଅଧିକ ରହିଛି।ଅବଶ୍ୟ ବିଗତ କିଛିବର୍ଷ ମଧ୍ୟରେ ରାଜ୍ୟର ଚିକିତ୍ସା ସେବାରେ ଅନେକ ଉନ୍ନତି ଆସିଛି। ରୋଗୀଙ୍କୁ ନିଦାନ ଯୋଜନାରେ ମାଗଣା ଔଷଧ ଦିଆଯାଉଛି। ସେହିଭଳି ନିଦାନ ଜରିଆରେ ବିଭିନ୍ନ ‌ପରୀକ୍ଷା ମାଗଣାରେ ମିଳିଯାଉଛି। ଏଥିସହିତ ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସମେତ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସେବା ମିଳିବାକୁ ଥିବାରୁ ଆଗାମୀ ଦିନରେ ଆସିବାକୁ ଥିବା ନୂଆ ରିପୋର୍ଟରେ ଏହି ଖର୍ଚ୍ଚ ଆହୁରି କମିବ ବୋଲି ଆଶା ରଖାଯାଇଛି। କିନ୍ତୁ ରୋଗୀଙ୍କ ପକେଟରୁ ହେଉଥିବା ଚିକିତ୍ସା ଖର୍ଚ୍ଚକୁ ଆହୁରି କମାଇବାକୁ ହେଲେ ରାଜ୍ୟ ସରକାରଙ୍କୁ ବ୍ଲକସ୍ତରରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ଗୁଡ଼ିକୁ ସଶକ୍ତ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନଙ୍କ ମତରେ ଓଡ଼ିଶାରେ ରୋଗୀମାନେ ସିଏଚ୍‌ସି ସ୍ତରରେ ଯେଉଁ ଚିକିତ୍ସା ସୁବିଧା ପାଇବା କଥା ତାହା ପାଉନାହାନ୍ତି। ସାମାନ୍ୟ ରୋଗର ଚିକିତ୍ସା ପାଇଁ ସେମାନଙ୍କୁ ଜିଲ୍ଲାସ୍ତରୀୟ ଡାକ୍ତରଖାନା କିମ୍ବା ମେଡିକାଲ କଲେଜ ଆଦି ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିଯୋଗୁ ରୋଗୀଙ୍କ ଯାତାୟାତ, ରହଣି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଅଧିକ ରହୁଛି। ସିଏଚ୍‌ସି ସ୍ତରରେ ଯଦି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜଡ଼ା ଯା’ନ୍ତା ତାହେଲେ ରାଜ୍ୟରେ ରୋଗୀଙ୍କୁ ପକେଟରୁ କରିବାକୁ ପଡ଼ୁଥିବା ଚିକିତ୍ସା ବାବଦ ଖର୍ଚ୍ଚ ଆହୁରି କମିପାରନ୍ତା ବୋଲି ଆଇଆଇପିଏଚ୍‌ର ପ୍ରଫେସର ସରିତ ରାଉତ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *