ମୁଖ୍ୟ ଖବର

୩୬ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ

ପୁରୀ: ଅଗ୍ନଶମ କର୍ମଚାରୀମାନଙ୍କ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ଏନେଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ ବଡ଼ଦାଣ୍ଡ ସମ୍ରାଟ୍‌ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ଥିବା ଏକ ପୋଷାକ ଦୋକାନ‌ରେ ସଟ୍‌ ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ସଙ୍ଗେସଙ୍ଗେ ଏହା ସାରା ମାର୍କେଟ୍‌ ‌କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଯେହେତୁ ନିଆଁ ଲାଗିଥିବା ଦୋକାନ ପାଖରେ ପୋଷାକ, ଚପଲ, ପାର୍ଲର, କସମେଟିକ୍‌ସ ଆଦି ଦୋକାନ ରହିଥିଲା, ଏଥିରେ ଅଗ୍ନି ସଂଯୋଗ ପରେ ପ୍ରକୋପ ବଢ଼ିବାରେ ଲାଗିଥିଲା। ଚାହୁଁଚାହୁଁ ସବୁକିଛି ହୁତୁହୁତୁ ହୋଇ ଜଳିଥିଲା। ପ୍ରଥମେ ପୁରୀ, କୋଣାର୍କ ଓ ଗୋପର ଅଗ୍ନିଶମ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ପାଣି ମାଡ଼ କରି ବି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ପାରିନଥିଲେ। ସଂକୁଚିତ ପ୍ରବେଶ ପଥରେ ଭିତରକୁ ଯିବାକୁ ଉଦ୍ୟମ କରି ୫ରୁ ଅଧିକ ଆଗ୍ନିକ ଅଣନିଃଶ୍ବାସୀ ହୋଇପଡ଼ିଥିଲେ।ବିଜୁଳି ସଂଯୋଗ କାଟି ଦିଆଯାଇଥିଲେ ବି ଡିଜି କରେଣ୍ଟର ଝଟ୍‌କା ଖାଇଥିଲେ ଆଗ୍ନିକମାନେ। ଫଳରେ ଗ୍ରାଉଣ୍ଡ୍‌ ଫ୍ଲୋରରେ ଥିବା ୪୨ଟି ‌ଦୋକାନ ଗୋଟିଏ ପରେ ଗୋଟିଏ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୋକାନଗୁଡ଼ିକର ସଟର୍‌ ତାଲା ଲାଗିଥିବାରୁ ଏହା ଭିତରକୁ ପାଣି ପଶି ପାରିନଥିଲା। ପରେ କଟକ ଓ ଭୁବନେଶ୍ବରରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁର ପ୍ରକୋପ ବଢ଼ି ଗତକାଲି ସକାଳୁ ଏହା ପ୍ରଥମ ମହଲାକୁ ବ୍ୟାପିଯାଇଥିଲା। ‌ପ୍ରଥମ ମହଲାରେ ଥିବା ପୋଷାକ ଦୋକାନ, ବ୍ୟାଙ୍କ ବି ଜଳିଯାଇଛି। ଦ୍ବିତୀୟ ମହଲା ଓ ତୃତୀୟ ମହଲାରେ ସମ୍ରାଟ ହୋଟେଲ ଚାଲିଥିବା ବେଳେ ଏହି ମହଲାକୁ ନିଆଁ ଡେଇଁବା ପୂର୍ବରୁ ଅଗ୍ନିଶମ ବାହିନୀ ପାଣିମାଡ଼ କରି ତଳ ଦୁଇ ମହଲାରେ ନିଆଁକୁ ନିୟନ୍ତ୍ରଣ କରି ରଖିଥିଲେ।

Leave a Reply

Your email address will not be published. Required fields are marked *