ଅପରାଧ

ଏମ୍ସ ଭୁବନେଶ୍ବରରେ ଦଲାଲ ସକ୍ରିୟ: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ବୃହତ୍‌ ସ୍ବାସ୍ଥ୍ୟ ସେବା କେନ୍ଦ୍ର ଏମ୍ସ ଭୁବନେଶ୍ବରରେ ଦଲାଲମାନେ ପୁଣି ଥରେ ସକ୍ରିୟ ହୋଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ବ୍ୟାକୁଳ ହେଉଥିବା ରୋଗୀ ଓ ରୋଗୀ ପରିବାରଙ୍କ ଠାରୁ ଟଙ୍କା ରୋଜଗାର ପାଇଁ ଦଲାଲମାନେ ବ୍ୟାକୁଳ ହୋଇ ଉଠିଛନ୍ତି। ପ୍ରଶାସନିକ ବ୍ୟବସ୍ଥା କଠୋର ହେଉ ନଥିବାରୁ ଦଲାଲମାନଙ୍କର ରାଜ ଚାଲିଛି। ତେବେ ଦଲାଲିଙ୍କ ସଂପର୍କରେ ସୂଚନା ପାଇ କମିସନରେଟ ପୁଲି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଦୀପ୍ତ କୁମାର ଗୌଡ଼, ପ୍ରକାଶ ନାୟକ, ସିଦ୍ଧେଶ୍ବର ବେହେରା, ମନୀଷ ପଟ୍ଟନାୟକ ଓ ବିକ୍ରମ କେଶରୀ ମଲିକ।ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ବୃହତ୍‌ ଡାକ୍ତରଖାନା ଏମ୍ସ ଭୁବନେଶ୍ବରକୁ ଚିକିତ୍ସା ପାଇଁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି। ଏମାନଙ୍କ ଠାରୁ ଲାଭ ଉଠାଇବା ପାଇଁ ଦଲାଲମାନେ ସକ୍ରିୟ ହୋଇଥାନ୍ତି। ହସ୍‌ପିଟାଲ ଜନିତ ଶୀଘ୍ର କରାଇ ଦେବା ପାଇଁ ରୋଗୀ ଓ ସେମାନଙ୍କର ସଂପର୍କୀୟଙ୍କୁ ଲୋଭ ଦେଖାଇ ଭଲ ରୋଜଗାର କରିଥାନ୍ତି। ତେବେ ଗତକାଲି ଏମ୍ସରେ କିଛି ଦଲାଲ ସାଧାରଣ ଲୋକଙ୍କୁ ଲୁଟୁଥିବା ନେଇ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଖବର ମିଳିଥିଲା। ଏହି ଖବର ମିଳିବା ମାତ୍ରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିସନରେଟ୍‌ ପୁଲିସର ଏସିପି (ଜୋନ୍‌-୩) ତପନ କୁମାର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି, ଏମ୍ସରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗରେ ଟିକେଟ କରାଇଦେବାକୁ କହି ରୋଗୀ ସମ୍ପର୍କୀୟଙ୍କ ଠାରୁ ଦଲାଲମାନେ ମୋଟା ଅଙ୍କର ଟଙ୍କା ନେଉଥିଲେ। ଅନ୍ୟ ହସ୍ପିଟାଲ ଏବଂ ନର୍ସିଂହୋମ, କ୍ଲିନିକରେ ଚିକିତ୍ସା ପାଇଁ ମଧ୍ୟ ରୋଗୀଙ୍କୁ ପ୍ରବର୍ତ୍ତାଉ ଥିଲେ। ଖଣ୍ଡଗିରି ଥାନା ପୁଲିସ୍ ଖବରପାଇ ଏମାନଙ୍କୁ ମାଡ଼ିବସିଲା। ପୁଲିସ ପ୍ରଦୀପ୍ତ କୁମାର ଗୌଡ଼, ପ୍ରକାଶ ନାୟକ, ସିଧେଶ୍ଵର ବେହେରା, ମନୀଷ ପଟ୍ଟନାୟକ ଓ ବିକ୍ରମ କେଶରୀ ମଲିକଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ବିଭିନ୍ନ ରୋଗୀଙ୍କ ୭ଟି ଆଧାରକାର୍ଡ, ବିଭିନ୍ନ ଲଜ୍‌ ର ପୁସିଂ କାର୍ଡ ଓ ୫ଟି ମୋବାଇଲ ଫେନ୍‌ ଜବତ କରିଛି। କେବଳ ଏମ୍ସ ଭୁବନେଶ୍ବର ନୁହେଁ। ବରଂ ରାଜ୍ୟର ଅନ୍ୟ ବଡ଼ ମେଡିକାଲରେ ମଧ୍ୟ ଦଲାଲି ଦେଖିବାକୁ ମିଳୁଛି। କଟକ ବଡ଼ମେଡିକାଲ, ବୁର୍ଲା ଡାକ୍ତରଖାନା, ବ୍ରହ୍ମପୁର ଏମ୍‌କେସିଜି ଓ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାରେ ମଧ୍ୟ ଦଲାଲି ରାଜ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ତେବେ ପ୍ରଶାସନିକ ଅବହେଲା ଯୋଗୁଁ ରୋଗୀ ଓ ସେମାନଙ୍କର ପରିବାର ଏଭଳି ଅସୁବିଧାର ସାମ୍ନା ହୋଇଥାନ୍ତି।

Leave a Reply

Your email address will not be published. Required fields are marked *