ମୁଖ୍ୟ ଖବର

ଶେଷ ପର୍ଯ୍ୟାୟରେ ମାଓବାଦୀଙ୍କ ବିରୋଧରେ ଲଢ଼େଇ – ଅମିତ ଶାହା

ରାୟପୁର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମାଓବାଦୀଙ୍କ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ରହିଛି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶାହା କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦକୁ ଶେଷ କରିବାର ସମୟ ଆସିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ହେବ ବୋଲି ସେ କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ଛତିଶଗଡ଼ ସରକାର ଖୁବଶୀଘ୍ର ଏକ ନୂଆ ଆତ୍ମସମର୍ପଣ ନୀତି ଆଣିବେ ବୋଲି ସେ କହିଛନ୍ତି। ସମସ୍ତ ମୋ ପ୍ରଭାବିତ ଅଞ୍ଚଳରେ ଆଇନ ଶୃଙ୍ଖଳାର ଶାସନ ପ୍ରତିଷ୍ଠା କରିବା ସହ ସେହି ଅଞ୍ଚଳରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଆଜି ରାୟପୁରରେ ମାଓ ପ୍ରଭାବିତ ରାଜ୍ୟର ଆନ୍ତଃରାଜ୍ୟ ସମନ୍ୱୟ କମିଟି ବୈଠକ କରିଥିଲେ। ବୈଠକରେ ଛତିଶଗଡ଼ ସମେତ ୭ଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ଯୋଗ ଦେଇଥିଲେ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଛତିଶଗଡ଼ ଗସ୍ତ କାଳରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଆସନ୍ତାକାଲି ନବ ରାୟପୁରର ସେକ୍ଟର-୧୯ ଅଟଳ ନଗରରେ ‘ଏକ ପେଡ ମା’କେ ନାମ’ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବେ। ରାୟପୁରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କାର୍ଯ୍ୟାଳୟକୁ ଗୃହମନ୍ତ୍ରୀ ଉଦଘାଟନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହାପରେ ସେ ଛତିଶଗଡ଼ରେ ସମବାୟ ସମ୍ପ୍ରସାରଣ ସମ୍ପର୍କିତ ଆଉ ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *