ଖେଳ

ପ୍ୟାରିସ ଅଲିମ୍ପିକ୍ସରେ ମିଳିଛି ୨.୬ ଗୁଣା ଅଧିକ ବିଜ୍ଞାପନ

ନୂଆଦିଲ୍ଲୀ: ଭାରତରେ ଅଲିମ୍ପିକ୍ସର ଲୋକପ୍ରିୟତା ବଢ଼ୁଛି। ନିକଟରେ ଫ୍ରାନ୍ସ ରାଜଧାନୀ ପ୍ୟାରିସଠାରେ ଶେଷ ହୋଇଥିବା ୨୦୨୪ ଅଲିମ୍ପିକ୍ସର ଉଭୟ ଦର୍ଶକ ଓ ରାଜସ୍ବ ଟୋକିଓ ଅଲିମ୍ପିକ୍ସ ୨୦୨୦ ତୁଳନାରେ ଅଧିକ ରହିଛି। ବିଭିନ୍ନ ଖେଳର ପ୍ରତିଯୋଗିତାକୁ ନେଇ ପ୍ୟାରିସ ଅଲିମ୍ପିକ୍ସ ୧୭ ଦିନ ଧରି ଚାଲିଥିଲା। ଏହି ଖେଳକୁ ଜିଓ ସିନେମା ଓ ସ୍ପୋର୍ଟସ୧୮ ନେଟୱର୍କରେ ୧୭ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି। ପୁନଶ୍ଚ ପ୍ରସାରଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବିଜ୍ଞାପନ ରାଜସ୍ବ ବାବଦରେ ଏଥର ପ୍ରାୟ ୧୧୦ କୋଟି ଟଙ୍କାର ରାଜସ୍ବ ମିଳିଛି, ଯାହାକି ଟୋକିଓ ଅଲିମ୍ପିକ୍ସ ତୁଳନାରେ ୨.୬ ଗୁଣା ଅଧିକ। ଟୋକିଓ ଅଲିମ୍ପିକ୍ସରେ ୪୦ କୋଟି ଟଙ୍କାର ବିଜ୍ଞାପନ ରାଜସ୍ବ ମିଳିଥିଲା। ଏସେନ୍ସ ମିଡିଆକମ୍‌ର ସିଇଓ (ଦକ୍ଷିଣ ଏସିଆ) ନବୀନ ଖେମକାଙ୍କ କହିବାନୁଯାୟୀ, ବିଭିନ୍ନ ବିଭାଗରେ ଅଲିମ୍ପିକ୍ସ ଆୟୋଜନ ହେଉଥିବାରୁ ଦର୍ଶକଙ୍କ ସଂଖ୍ୟା ଅଧିକ ରହୁଛି। ଏଥିସହିତ ଯେଉଁସବୁ ଖେଳରେ ଭାରତର ଖେଳାଳିମାନେ ପ୍ରତିନିଧିତ୍ବ କରୁଛନ୍ତି ବା ଖେଳୁଛନ୍ତି ସେଥିରେ ଦର୍ଶକଙ୍କ ସଂଖ୍ୟା ବଢ଼ିଯାଉଛି। ଏହାବ୍ୟତୀତ ଭାରତର ଖେଳାଳିମାନେ ଖେଳନ୍ତୁ କିମ୍ବା ନଖେଳନ୍ତୁ ଟେନିସ୍‌ ଓ ଫୁଟବଲ ଭଳି ଖେଳର ପ୍ରଶଂସକ ସବୁ ଆଡ଼େ ରହିଥିବାରୁ ଦର୍ଶକଙ୍କ ସଂଖ୍ୟା ଅଧିକ ରହୁଛି। ଅଣ କ୍ରିକେଟ ଖେଳ ପ୍ରତି ଭାରତୀୟଙ୍କର କିଭଳି ଆଗ୍ରହ ବଢ଼ୁଛି ତାହାର ନମୁନା ହେଉଛି ପ୍ୟାରିସ ଅଲିମ୍ପିକ୍ସ ବୋଲି ଭାୟାକମ ୧୮ ଡିଜିଟାଲର ସିଇଓ କିରଣ ମଣି କହିଛନ୍ତି। ଉଭୟ ଦର୍ଶକ ଓ ବିଜ୍ଞାପନଦାତାଙ୍କ ସଂଖ୍ୟା ବଢ଼ୁଥିବା ସେ କହିଛନ୍ତି। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ମଧ୍ୟ ଏହାର ପ୍ରାୟୋଜକ ରାଜସ୍ବକୁ ଦୁଇଗୁଣା କରିପାରିଛି। ଉକ୍ତ ରାଶି ୫୦ କୋଟିରେ ପହଞ୍ଚିଛି। ଆଇଓଏର ଅଫିସିଆଲ ମାର୍କେଟିଂ ଏଜେନ୍ସି ଆଇଓଏସ୍‌ ସ୍ପୋର୍ଟସ ସିଇଓ ନୀରବ ତୋମର ଏହି ସୂଚନା ଦେଇଛନ୍ତି। ପ୍ରାୟୋଜକ କମ୍ପାନି ଓ ଅଣ ପ୍ରାୟୋଜକ କମ୍ପାନି ମିଶି ବିଜ୍ଞାପନ ବାବଦରେ ୨୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *