ମହାନଗର

ଏକାମ୍ର ପ୍ରକଳ୍ପ ପାଇଁ ଆଉ ୭୫ କୋଟି

ଭୁବନେଶ୍ବର: ୧୫୬ କୋଟିର ‘ଏକାମ୍ର ପ୍ରକଳ୍ପ’ରେ ଆଉ ୭୫ କୋଟିର ପ୍ରକଳ୍ପ ଯୋଡ଼ା ହୋଇଛି। ଅଧିକ ୭୫ କୋଟିର ପ୍ରକଳ୍ପ ଅନୁମୋଦନ ପରେ ଏବେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଏହି ଟଙ୍କାରେ ସାନିଟାରିୟମ୍ ପାର୍କିଂକୁ ଲାଗି ଥିବା ପ୍ରାୟ ୧୭ ଏକର ଜମିରେ ‘ଏକାମ୍ର ହାଟ’ ଭଳି ୧୫୦ରୁ ଅଧିକ ଦୋକାନଘର ଏବଂ ‘ପ୍ରଦର୍ଶନୀ ପଡ଼ିଆ’ ଭଳି ଏହି ସ୍ଥାନକୁ ବହୁମୁଖୀ କାର୍ଯ୍ୟରେ ବ୍ୟବହାର ହେବା ଭଳି ବିକଶିତ କରାଯିବ। କେବଳ ଏତିକି ନୁହେଁ, ଅଧିକ ରାସ୍ତା, ଡ୍ରେନ୍ ଓ ଯାତ୍ରୀଙ୍କ ସୁବିଧା ପାଇଁ ଶୈଚାଳୟ ନିର୍ମାଣ କରାଯିବ। ତେବେ ମୂଳ ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲିଥିବା ବେଳେ ନୂଆ କରି ଯୋଡ଼ି ହେଉଥିବା ପ୍ରକଳ୍ପ କାମ କେବେ ଆରମ୍ଭ ହୋଇ ଶେଷ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏକାମ୍ର ପ୍ରକଳ୍ପ ପାଇଁ ୫୦ କୋଟି ସରକାର ବ୍ୟୟ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ଘୋଷଣା କରିଛନ୍ତି।ଜୁଲାଇ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ (ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ୍)ର ଶିଳାନ୍ୟାସ କରିଥିଲେ। ୨୦୨୫ ଜାନୁଆରିରେ ଶେଷ ହେବ ବୋଲି କୁହାଗଲା। ହେଲେ ନୂଆ ସରକାର ଆସିବା ପରେ ପ୍ରକଳ୍ପ ଯେମିତି ମାଟି କାମୁଡ଼ି ପଡ଼ିଛି। ୧୮ ମାସରେ ପ୍ରକଳ୍ପ ସରିବାକୁ ଥିବା ବେଳେ ୧୩ ମାସରେ କାମ ନେଇଥିବା ରାଞ୍ଚିର ବିପି କନଷ୍ଟ୍ରକସନ୍ ୧୫% ମଧ୍ୟ ଶେଷ କରି ପାରିନାହିଁ। ଅନ୍ୟପଟେ ଏକାମ୍ର ପ୍ରକଳ୍ପର କଳେବର ବୃଦ୍ଧି ପାଇଛି। ଏହି ପ୍ରକଳ୍ପକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଓବିସିସି ଅଧିକ ଅଧିକ ୭୫ କୋଟି ଟଙ୍କାର ଟେଣ୍ଡର କରିଛି। ପୂର୍ବରୁ ସାନିଟାରିୟମ୍ ଛକରେ ପ୍ରାୟ ୬ ଏକରରେ ଗାଡ଼ି ପାର୍କିଂ, ଲିଙ୍ଗରାଜ ଥାନା, ସର୍ବସାଧାରଣ ଶୌଚାଳୟ ଓ କିଛି ଦୋକାନଘର ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ନୂଆ ପ୍ରକଳ୍ପରେ ଏଠାରେ ଥିବା ସମସ୍ତ ୧୭ ଏକର ଜମିକୁ ବିକଶିତ କରାଯିବ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆ ଭଳି ଏଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ବଡ଼ ବଡ଼ କାର୍ଯ୍ୟକ୍ରମ, ରାଜନୈତିକ ସଭା ଓ ପ୍ରଦର୍ଶନୀ ପାଇଁ ସ୍ଥାନ ରହିବ। ପ୍ରଦର୍ଶନୀ ପଡ଼ିଆକୁ ଲାଗି ରହିଥିବା ଏକାମ୍ର ହାଟ ଭଳି ଏଠାରେ ଦୁଇ ମହଲା ବିଶିଷ୍ଟ ପ୍ରାୟ ୧୫୦ଟି ଦୋକାନଘର ତିଆରି ହେବ। ସେଠାରେ ପର୍ଯ୍ୟଟକ ଗାଡ଼ି ପାର୍କିଂ କରିବା ପରେ ଓଡ଼ିଶାର କଳାକୃତି, କାରୁକାର୍ଯ୍ୟ, ଓଡ଼ିଆ ଖାଦ୍ୟ ଭଳି ନାନା ସରଞ୍ଜାମ ଥିବା ଏକ ବଜାର ପାଇବେ। ଏନେଇ ଓବିସିସି ଏକାମ୍ର ଡିଭିଜନର ମୁଖ୍ୟ ଶ୍ରୀଧର ରାଉତ କହିଛନ୍ତି, ପ୍ରକଳ୍ପ କାମ କିଛି ମାତ୍ରାରେ ବିଳମ୍ବ ହୋଇଛି ସତ କିନ୍ତୁ ବାକି ଥିବା ଧାର୍ଯ୍ୟ ସମୟ ମଧ୍ୟରେ ସିଂହ ଭାଗ କାମ ଶେଷ ହେବ। ପ୍ରଥମେ ଡ୍ରେନ୍ ଓ ଭୂତଳ କେବୁଲ ବିଛାଇବା ପାଇଁ ଅଧିକ ସମୟ ଲାଗୁଛି। ଏହାପରେ କାମ ଶୀଘ୍ର ଶୀଘ୍ର ଚାଲିବ। ଏଥିସହ ଏଏସ୍ଆଇର ସ୍ବୀକୃତି ଏବଂ ପ୍ଲାନିଂରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ବିଳମ୍ବର ଅନ୍ୟତମ କାରଣ। ଏବେ ଲିଙ୍ଗରାଜ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା, ବିନ୍ଦୁ ସାଗର ରାସ୍ତା, ସାନିଟାରିୟମ୍ ପାର୍କିଂ କାମ ତୁରନ୍ତ ଆରମ୍ଭ କରାଯିବ। ଅନ୍ୟପଟେ ଟେଣ୍ଡର ପ୍ରକ୍ରିୟା ପରେ ନୂଆ ୭୫ କୋଟିର କାମ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *