ମହାନଗର

କ୍ୟାପିଟାଲ୍‌ ହସ୍‌ପିଟାଲ ଉପରେ ବଢ଼ିବ ଚାପ: ରୋଜଗାର ହରାଇବେ ୩୬ରୁ ବେଶି

ଭୁବନେଶ୍ବର: ରାଜ୍ୟରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ୟୁଏଚ୍‌ଡବ୍ଲ୍ୟୁସି)ରେ କାର୍ଯ୍ୟରତ ଲାବୋରେଟାରି ଟେକ୍‌ନିସିଆନ୍(ଏଲ୍‌ଟି) ଓ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ)ଙ୍କୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନି‌ଷ୍ପତ୍ତି ନେବା ପରେ ଭୁବନେଶ୍ବରରେ ଅଚଳାବସ୍ଥା ସୃଷ୍ଟି ହେବାକୁ ଯାଉଛି। ସହରରେ ଥିବା ୧୮ଟି କେନ୍ଦ୍ରରୁ ୩୬ରୁ ଅଧିକ କର୍ମଚାରୀଙ୍କ ଚାକିରି ଯିବ। କେବଳ କର୍ମଚାରୀମାନଙ୍କ ଚାକିରି ଯିବ ନାହିଁ, ବରଂ ଏଠାରେ ହେଉଥିବା ପରୀକ୍ଷା ନିରିକ୍ଷା ମଧ୍ୟ ପ୍ରଭାବିତ ହେବ। ଏଲ୍‌ଟିଙ୍କ ଚାକିରି ଯିବା ପରେ ଅନ୍ୟ ଅନଭିଜ୍ଞ କର୍ମଚାରୀଙ୍କୁ ଏହି ପରୀକ୍ଷା ନେଇ ତାଲିମ ଦିଆଯିବ। ସେମାନେ ତାଲିମ୍‌ ନେଇ ଏହି ପରୀକ୍ଷା କରାଇବେ। ତାହା ପୁଣି କିଟ୍‌ ସାହାଯ୍ୟରେ। ଫଳରେ ଏଠାରେ ଦିନକୁ ଆସୁଥିବା ଶହ ଶହ ରୋଗୀ ଏହି ସୁବିଧା ନପାଇ ହତାଶ ହେବେ। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ବରରେ ୧୮ଟି ୱେଲ୍‌ନେସ୍‌ ସେଣ୍ଟର ରହିଛି। ପ୍ରତି ସେଣ୍ଟରକୁ ଦିନକୁ ୪ଶହରୁ ୫ଶହ ରୋଗୀ ଆସନ୍ତି ଓ ମାସକୁ ୩୦୦ରୁ ୩୫୦ ଟେଷ୍ଟିଂ ହୁଏ। ଏଠାରେ ୪୫ ପ୍ରକାରର ଟେଷ୍ଟିଂ ହେଉଥିବା ବେଳେ କର୍ମଚାରୀଙ୍କ ଉଚ୍ଛେଦ ପରେ ଏଠାରେ ମ୍ୟାଲେରିଆ, ଏଚ୍‌ଆଇଭି, ସୁଗାର, ହିମୋଗ୍ଲୋବିନ୍‌ ଭଳି ୧୩ ପ୍ରକାରର ପରୀକ୍ଷା ହେବ, ତାହା ପୁଣି ଟେଷ୍ଟିଂ କିଟ୍‌ ଜରିଆରେ। ଅନଭିଜ୍ଞ କର୍ମଚାରୀମାନେ ତାଲିମ ନେବା ପରେ ଏହି କିଟ୍‌ ଜରିଆରେ ପରୀକ୍ଷା କରିବେ। ଏହି ତାଲିମ୍‌ ସେମାନେ କେବେ ନେବେ, କେବେ ଟେଷ୍ଟିଂ ହେବ ସେ ନେଇ କିଛି ନିଶ୍ଚିତତା ନାହିଁ। ପରୀକ୍ଷା ଆରମ୍ଭ ହେଲେ ବି କିଟ୍‌ ଜରିଆରେ ହେଉଥିବା ପରୀକ୍ଷା ବିଶ୍ବାସ ଭାଜନ ହେଉ ନଥିବାରୁ ଅନେକ ଏହାକୁ ଭରସା କରନ୍ତି ନାହିଁ। ଏଣୁ ବିଭିନ୍ନ ପରୀକ୍ଷା ପାଇଁ ଏଠାକୁ ରୋଗୀ ଆସିବେ ନାହିଁ।

Leave a Reply

Your email address will not be published. Required fields are marked *