ଦେଶ- ବିଦେଶ

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡ଼ିତା ପ୍ରାଣ ହରାଇଲେ ମୃତ୍ୟୁଦଣ୍ଡ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ସରକାରଙ୍କ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଲ୍‌ ସର୍ବସମ୍ମତିକ୍ରମେ ଆଜି ଗୃହୀତ ହୋଇଛି। ଏଭଳି ବିଲ୍‌ ଗୃହୀତ କରି ଦୁଷ୍କର୍ମ, ଗଣଦୁଷ୍କର୍ମ, ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ଆଦି ଅପରାଧ ସହ ଜଡ଼ିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିବାରେ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ପାଲଟିଛି। ବର୍ତ୍ତମାନ ଏହି ବିଲ୍‌କୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ସେମାନଙ୍କ ମୋହର ନିମନ୍ତେ ପଠାଯିବ।ଏହି ବିଲ୍‌କୁ ମୁଖ୍ୟମନ୍ତ୍ରୀ ଐତିହାସିକ ଏବଂ ଆଦର୍ଶ ‌ବିଲ୍‌ ବୋଲି କହିଛନ୍ତି। ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଗତମାସରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ପାଇଁ ଏହି ବିଲ୍‌ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି। ଉକ୍ତ ବିଲ୍‌ର ନାମ ଅପରାଜିତା ମହିଳା ଏବଂ ଶିଶୁ ବିଲ୍‌ (ପଶ୍ଚିମବଙ୍ଗ ଆପରାଧିକ ଆଇନ ଓ ସଂଶୋଧନ) ୨୦୨୪ ରଖାଯାଇଛି। ଏଥିରେ ଦୁଷ୍କର୍ମ ଓ ଯୌନ ଅପରାଧରେ ପୀଡ଼ିତା ମହିଳାଙ୍କର ଯଦି ମୃତ୍ୟୁ ହୁଏ କିମ୍ବା ସେ କୋମାକୁ ଚାଲଯାଆନ୍ତି ତାହେଲେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି।ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ‌ପାରୋଲବିହୀନ ଆଜୀବନ କାରାଦଣ୍ଡର ପ୍ରାବଧାନ ରହିଛି। ପଶ୍ଚିମବଙ୍ଗ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ମାମଲାରେ ପୁଲିସ ୧୨ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା, ମୁଁ ପୁଲିସକୁ ଫାଷ୍ଟଟ୍ରାକ୍ କୋର୍ଟକୁ ଯାଇ ଫାଶୀ ଦଣ୍ଡ ପାଇଁ ଆବେଦନ କରିବାକୁ କହିଲି। କିନ୍ତୁ ମାମଲା ସିବିଆଇକୁ ହସ୍ତାନ୍ତର କରାଗଲା। ଏବେ ଆମେ ସିବିଆଇଠାରୁ ନ୍ୟାୟ ଦାବି କରୁଛୁ। ଆମେ ଆରମ୍ଭରୁ ମୃତ୍ୟୁଦଣ୍ଡ ଦାବି କରୁଛୁ ବୋଲି ମମତା କହିଛନ୍ତି। ମମତା କହିଛନ୍ତି ଯେ ଅପରାଜିତା ବିଲ୍‌ର ଲକ୍ଷ୍ୟ ହେଉଛି ଶୀଘ୍ର ତଦନ୍ତ, ଶୀଘ୍ର ନ୍ୟାୟ ପ୍ରଦାନ ଓ ଦଣ୍ଡ ବୃଦ୍ଧି କରିବା। ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ଏହି ବିଲ୍‌କୁ ବିଧାନସଭାରେ ଆଗତ କରିଥିଲେ। ବିଜେପି ଏହି ବିଲ୍‌କୁ ସମର୍ଥନ କରିଛି। ଆମେ ଦୁଷ୍କର୍ମ ବିରୋଧୀ ବିଲ୍‌କୁ ସମର୍ଥନ କରୁଛୁ ବୋଲି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ। ତେବେ ଜନଅସନ୍ତୋଷ ଓ ପ୍ରତିବାଦରୁ ଧ୍ୟାନ ହଟାଇବା ପାଇଁ ସରକାର ଏହି ବିଲ୍ ଆଗତ କରିଛନ୍ତି ବୋଲି ସେ ମତ ରଖିଥିଲେ। ବିଲ୍‌ରେ ୭ଟି ସଂଶୋଧନ ପ୍ରସ୍ତାବ ବିରୋଧୀ ଦଳ ନେତା ଶୁଭେନ୍ଦୁ ଆଗତ କରି ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *