ବାଣିଜ୍ୟ

ଡବଲ୍‌ ଇଞ୍ଜିନ୍‌ ସରକାରକୁ ବଡ଼ ଧକ୍କା : କଟକ ନରାଜଠାରେ ପ୍ରସ୍ତାବିତ ଇଭି କାରଖାନାରୁ ଓହରିଲା ଜେଏସ୍‌ଡବ୍ଲ୍ୟୁ କମ୍ପାନୀ

ଭୁବନେଶ୍ୱର : ଡବଲ୍‌ ଇଞ୍ଜିନ୍‌ ସରକାରକୁ ବଡ଼ ଧକ୍କା । ଓଡ଼ିଶାରେ ପ୍ରସ୍ତାବିତ ଇଭି କାରଖାନାରୁ ଓହରିଛି ଜେଏସ୍‌ଡବ୍ଲ୍ୟୁ। ଓଡ଼ିଶା ପରିବର୍ତ୍ତେ ଏହି କମ୍ପାନୀ ଆନ୍ଧ୍ରପ୍ରଦେଶରେ କାରଖାନା ସ୍ଥାପନ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରୀରେ ୪୦ ହଜାର କୋଟି ପୁଞ୍ଜି ନିବେଶରେ ଓଡ଼ିଶାରେ କମ୍ପାନୀ ଇଭି ଉତ୍ପାଦନ କାରଖାନା କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ଏଥିପାଇଁ ତତ୍‌କାଳୀନ ରାଜ୍ୟ ସରକାର କଟକ ନରାଜଠାରେ ୯୦୦ ଏକର ଜମି କମ୍ପାନୀକୁ ପ୍ରଦାନ କରିଥିଲେ। ମାତ୍ର ସରକାର ବଦଳିବା ପରେ କମ୍ପାନୀ ଓଡ଼ିଶାରେ ଇଭି କାରଖାନା ସ୍ଥାପନ ନିଷ୍ପତ୍ତିରୁ ଓହରି ଯାଇଥିବା ସୂଚନା ମିଳିଛି। କମ୍ପାନୀ କାହା ଚାପରେ ଓଡ଼ିଶାରୁ କମ୍ପାନୀ ପ୍ରତିଷ୍ଠା କରିବା ନିଷ୍ପତ୍ତିରୁ ଓହରି ଆନ୍ଧ୍ରରେ କାରଖାନା ସ୍ଥାପନ କରିବାକୁ ଯାଉଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।ଜେଏସ୍‌ଡବ୍ଲ୍ୟୁର ଏହି ନିଷ୍ପତ୍ତି ପରେ ରାଜ୍ୟରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ଫେରିଯିବା ନେଇ ଆପାତତଃ ସ୍ପଷ୍ଟ ହୋଇ ଯାଇଛି। ଏହାସହିତ କମ୍ପାନୀ ଫେରିଯିବା କାରଣରୁ ୧୧ ହଜାର ଲୋକଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସ୍ୱପ୍ନରେ ରହିଯାଇଛି। ରାଜ୍ୟବାସୀଙ୍କୁ ଏହି ବଡ଼ ଝଟକା ଲାଗିବା ପରେ ଡବଲ ଇଞ୍ଜିନ ସରକାରଙ୍କର ଓଡ଼ିଶାକୁ ଏହା ଉପହାର ନା ଉପହାସ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ସରକାର ବଦଳିବାର ୯୦ ଦିନ ବିତି ନ ଥିବା ବେଳେ ନବୀନ ସରକାର ସମୟରେ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ଉପରେ କାହିଁକି ଶକ୍ତ ପ୍ରହାର ଲାଗୁଛି ତାହା ସନ୍ଦେହ ସୃଷ୍ଟି କରିଛି । ଇଭି ଶିଳ୍ପ ଓଡ଼ିଶାରେ ହେଲେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଏମ୍‌ଏସ୍‌ଏମ୍‌ଇ ଓ ଡାଉନ୍‌ଷ୍ଟ୍ରିମ ଶିଳ୍ପରେ ଲୋକଙ୍କ ପାଇଁ ରୋଜଗାରର ବାଟ ଫିଟିଥାନ୍ତା। ଓଡ଼ିଶାର ଆର୍ଥିକ ପ୍ରଗତିରେ ମଧ୍ୟ ସହାୟକ ହୋଇଥାନ୍ତା।ଦୁଇଦିନ ତଳେ ବିଧାନସଭାରେ ଶୂନ୍ୟକାଳରେ ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ସରକାର ପୂର୍ବୋଦୟ କଥା କହୁଥିବାବେଳେ ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଚୁକ୍ତି କରିଥିବା ସଂସ୍ଥାଗୁଡ଼ିକ ଓହରି ଯାଉଥିବା ସମ୍ପର୍କରେ ସରକାରଙ୍କ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଅନୁରୂପ ଭାବରେ ୟୁସିସିଆଇଏଲ୍‌ ସଭାପତି ବ୍ରହ୍ମା ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଓଡ଼ିଶାରୁ ଥରେ ଶିଳ୍ପ ସଂସ୍ଥାଗୁଡ଼ିକ ମୁହଁ ଫେରାଇବା ଆରମ୍ଭ କଲେ ରାଜ୍ୟ ଅର୍ଥନୀତିକୁ ବଡ଼ ଧକ୍କା ଲାଗିବ ବୋଲି ସେ ଚେତାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *