ରାଜନୀତି

୭ଦିନିଆ ଇଡି ରିମାଣ୍ଡରେ ଗଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଥିବା ବେଳେ ଏବେ କୋର୍ଟ ତାଙ୍କୁ ୭ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଛନ୍ତି। ଏହା ସହ ତାଙ୍କ ଜାମିନ ଆବେଦନ ଉପରେ ଯେଉଁ ଶୁଣାଣି ହେବାର ଥିଲା, ତାହା ମଧ୍ୟ ହୋଇନାହିଁ। ଜାମିନ ଆବେଦନ ଉପରେ ଶୁଣାଣି ତାରିଖକୁ କୋର୍ଟ ମାର୍ଚ୍ଚ ୨୧କୁ ଘୁଞ୍ଚାଇ ଦେଇଛନ୍ତି।

ସୂଚନା ମୁତାବକ, ଗିରଫ ପରେ ଇଡି ଶୁକ୍ରବାର ଦିନ ରାଉଜ୍ ଆଭେନ୍ୟୁ କୋର୍ଟରେ ଆପ୍ ନେତା ମନୀଷ ସିସୋଦିଆଙ୍କୁ ହାଜର କରିଥିଲା। ଏହି ସମୟରେ, ସିସୋଦିଆଙ୍କୁ ୧୦ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। ଶୁଣାଣି ସମୟରେ ଇଡି ଦାବି କରିଥିଲା ଯେ ଅବକାରୀ ନୀତି ପ୍ରସ୍ତୁତି ପଛରେ ଏକ ଷଡଯନ୍ତ୍ର ରହିଛି। ଅବକାରୀ ନୀତିରେ ନିୟମ ପରିବର୍ତ୍ତନ କରି କିଛି ବିଶେଷ ଲୋକଙ୍କୁ ୬% ପରିବର୍ତ୍ତେ ୧୨% ଲାଭ ପ୍ରଦାନ କରାଯାଇଥିଲା। ସିସୋଦିଆଙ୍କୁ ଏ ବିଷୟରେ ପ୍ରଶ୍ନ କରିବା ପାଇଁ ରିମାଣ୍ଡ ଆବଶ୍ୟକ। ମନୀଷ ସିସୋଦିଆ ଏବଂ କେ କବିତା ଯୋଗାଯୋଗରେ ଥିଲେ। ଏବିଷୟରେ ମଧ୍ୟ ଯାଞ୍ଚ ଜରୁରୀ। ତେଣୁ ଆମକୁ ୧୦ଦିନ ସମୟ ଦରକାର। ତେବେ ଇଡି ୧୦ଦିନ ମାଗିଥିଲେ ବି କୋର୍ଟ ୭ଦିନ ପାଇଁ ସିସୋଦିଆଙ୍କୁ ଇଡି ରିମାଣ୍ଡରେ ପଠାଇଛନ୍ତି।ଉଲ୍ଲେଖଯୋଗ୍ୟ, ଗିରଫ ପୂର୍ବରୁ ଇଡି ଟିମ୍ ଅବକାରୀ ନୀତି ମାମଲାରେ ତିହାର ଜେଲରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିଥିଲା । ତାଙ୍କୁ ୩ ଦିନ ପଚରାଉଚରା କରିବାକୁ କୋର୍ଟ ଇଡିକୁ ଅନୁମତି ଦେଇଥିଲେ । ଗୁରୁବାର ଜେଲରେ ପଚରାଉଚରା ପାଇଁ ଇଡି ଜେଲ ପ୍ରଶାସନ ସହ ଯୋଗାଯୋଗ କରିବା ସହ ପଚରାଉଚରା ପ‌ରେ ସିସୋଦିଆଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *