ମୁଖ୍ୟ ଖବର

ବାଲେଶ୍ବର ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର,:(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲାରେ ବନ୍ୟାସ୍ଥିତି ଉଦ୍‌ବେଗଜନକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ୩ ନଦୀରେ ଜଳସ୍ତର ବଢ଼ିଛି। ବାଲେଶ୍ବର ଜିଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇପଡ଼ିଛି। ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି ପ୍ରଭାବିତ ହୋଇଛି।ତଳିଆ ଅଞ୍ଚଳରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ଅନ୍ୟପକ୍ଷେ ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନିଶମ, ୩ ଓଡ୍ରାଫ, ୧ ଏନ୍‌ଡିଆର୍‌ଏଫ ଟିମ ମୁତୟନ ହୋଇଛନ୍ତି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡମ୍ୟାପ କରିବାକୁ ଇଆଇସିଙ୍କୁ କୁହାଯାଇଛି। ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ପଦକ୍ଷେପ ନିଆଯିବ। ପୂର୍ଣ୍ଣିମା ଯୋଗୁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ବୁଧବାର ବାଲେଶ୍ୱର ଗସ୍ତରେ ଆସି ଆକାଶମାର୍ଗରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି l ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ଆସି ବାଲେଶ୍ୱର ଜିଲା ଅନ୍ତର୍ଗତ ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ଅଞ୍ଚଳରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ l ଦୀର୍ଘଦିନ ଧରି ଲଗାଣ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ଏହି ତିନି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି l ବହୁ ଗାଁ ପାଣି ଘେରରେ ଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଛି l ଉକ୍ତ ଅଞ୍ଚଳ ପରିଦର୍ଶନ କରି ସାରିବା ପରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ସହର ଉପକଣ୍ଠରେ ଥିବା ପଦ୍ମାବତୀ ପାର୍କରେ ପହଞ୍ଚିଥିଲେ l ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ପାର୍କ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ l ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ,ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ସରକାରୀ ଦଳ ଉପ ସଚେତକ ଗୋବିନ୍ଦ ଦାସ, ବିଧାୟକ ମାନସ କୁମାର ଦତ୍ତ, ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରଡ଼ିସି ଙ୍କ ସମେତ ଉପଜିଲାପାଳ, ଅତିରିକ୍ତ ଜିଲାପାଳ ଓ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ l ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ସହ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ଅଟେ l

Leave a Reply

Your email address will not be published. Required fields are marked *