ଦେଶ- ବିଦେଶ

ହୃଦ୍‌ଘାତରେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍‌. ଧ୍ରୁବନାରାୟଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୃଦ୍‌ଘାତ ଯୋଗୁଁ ଆଜି କର୍ଣ୍ଣାଟକ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍‌. ଧ୍ରୁବନାରାୟଣଙ୍କର ମୃତ୍ୟୁ ଘଟିଛି। ମହୀଶୂରସ୍ଥିତ ବାସଭବନରେ ତାଙ୍କର ହୃଦ୍‌ଘାତ ହୋଇଥିଲା।

‘ଡିଆର୍‌ଏମ୍‌ଏସ୍‌’ ହସ୍ପିଟାଲ୍‌ର ଡାକ୍ତର ମଞ୍ଜୁନାଥ କହିଛନ୍ତି, ଛାତିରେ କଷ୍ଟ ହେବାରୁ ସକାଳ ୬.୪୦ରେ ଡ୍ରାଇଭର୍‌ ତାଙ୍କୁ ଡାକ୍ତରଖାନା ଆଣିଥିଲେ। କିନ୍ତୁ, ସେ ବଞ୍ଚିଲେ ନାହିଁ।

ପୂର୍ବରୁ ଚାମରାଜନଗରର ସାଂସଦ ଥିବା  ଆର୍‌. ଧ୍ରୁବନାରାୟଣଙ୍କୁ ମୃତ୍ୟୁ ବେଳକୁ ୬୨ ବର୍ଷ ହୋଇଥିଲା।

କର୍ଣ୍ଣାଟକ ପ୍ରଦଶେ କଂଗ୍ରେସ କମିଟି ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ ଟୁଇଟ୍‌ କରି ଲେଖିଛି: ହୃଦ୍‌ଘାତ ଯୋଗୁଁ ରାଜ୍ୟର ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ସାଂସଦ ଏବଂ ‘କେପିସିସି’ର କାର୍ଯ୍ୟକାରୀ ଅଧ୍ୟକ୍ଷ ଧ୍ରୁବ ନାରାୟଣଙ୍କର ମୃତ୍ୟୁ ଘଟିଛି। ଏହା କଂଗ୍ରେସ ପାର୍ଟି ପାଇଁ ଅପୂରଣୀୟ କ୍ଷତି। ମୃତ ନେତାଙ୍କ ଆତ୍ମା ଶାନ୍ତି ପ୍ରାପ୍ତ ହେଉ। ଏଭଳି ଦାରୁଣ ଦୁଃଖ ସହ୍ୟ କରିବାକୁ ତାଙ୍କ ପରିବାର ସମର୍ଥ ହେଉ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୟା ମଧ୍ୟ ଧ୍ରୁବନାରାୟଣଙ୍କ ଅକାଳ ବିୟୋଗ ଯୋଗୁଁ ଦୁଃଖ ପ୍ରକାଶ କରି କହିଛନ୍ତି, କର୍ଣ୍ଣାଟକ କଂଗ୍ରେସ ନେତା, ପୂର୍ବତନ ସାଂସଦ ତଥା ମୋର ପ୍ରିୟ ମିତ୍ର ଆର୍‌ ଧ୍ରୁବନାରାୟଣଙ୍କ ଦୁଃଖଦ ଓ ଅକାଳ ବିୟୋଗ ମତେ ଆଘାତ ଦେଇଛି। ତାଙ୍କର ପରିବାରବର୍ଗ ଓ ଶୁଭେଚ୍ଛୁମାନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା।

ଟୁଇଟ୍‌ କରି କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା କହିଛନ୍ତି, ଆମର ଚିର ହସମୁଖ ବନ୍ଧୁ, ଆମ ନେତା ଏବଂ କଂଗ୍ରେସର ସବୁଠୁ ଉତ୍ସର୍ଗୀକୃତ ପଦାତିକ ସୈନିକ ଧ୍ରୁବନାରାୟଣଙ୍କ ବିୟୋଗଜନିତ ଅପୂରଣୀୟ କ୍ଷତିକୁ ବଖାଣିବାକୁ ଭାଷା ନାହିଁ।

ଆଜି ମହୀଶୂରରେ ଧ୍ରୁବନାରାୟଣଙ୍କ ଶେଷକୃତ୍ୟ ସମାପନ କରାଯିବ।

Leave a Reply

Your email address will not be published. Required fields are marked *