ରାଜନୀତି

ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ‘ସିବିଆଇ’ ସମନ୍‌

ନୂଆଦିଲ୍ଲୀ: ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ ଜେରା କରିବା ଲାଗି ଆଜି ‘ସିବିଆଇ’ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସମନ୍‌ ଜାରି କରିଛି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ କନିଷ୍ଠ ପୁତ୍ର ‌ଜେସ୍ବୀଙ୍କୁ ଫେବ୍ରୁଆରି ୪ ତାରିଖରେ ହାଜର ହେବା ଲାଗି ପୂର୍ବରୁ ‘ସିବିଆଇ’ ସମନ୍‌ ଜାରି କରିଥିଲା। କିନ୍ତୁ, ସେ ହାଜର ହୋଇ ନ ଥିଲେ।

ଆଜି ପୂର୍ବାହ୍ନରେ ସେ ‘ସିବିଆଇ’ ମୁଖ୍ୟାଳୟରେ ହାଜର ହେବାର କଥା, କିନ୍ତୁ ଏପର୍ଯ୍ୟନ୍ତ ସେ ସେଠାରେ ପହଞ୍ଚି ନାହାନ୍ତି।

ଉଲ୍ଲେଖଯୋଗ୍ୟ, ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ ମାର୍ଚ ୧୦ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରିଥିଲା। ଜାତୀୟ ରାଜଧାନୀର ନିୟୁ ଫ୍ରେଣ୍ଡସ୍‌ କଲୋନିରେ ଅବସ୍ଥିତ ତେଜସ୍ବୀଙ୍କ ବାସଭବନରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଗୁଇନ୍ଦାମାନେ ସକାଳ ୮.୩୦ରେ ଚଢ଼ଉ ଆରମ୍ଭ କରିଥିଲେ।

ଏହି ମାମଲାରେ ପୂର୍ବରୁ ମଧ୍ୟ ‘ସିବିଆଇ’ ଦିଲ୍ଲୀ ଓ ପାଟନାରେ ଲାଲୁ ଯାଦବ ଓ ତାଙ୍କ ପତ୍ନୀ ରାବ୍‌ଡ଼ୀ ଦେବୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା।

‘ସିବିଆଇ’ର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ତେଜସ୍ବୀ କହିଛନ୍ତି ଯେ, ଏହା ହେଉଛି ‘ବିଜେପି’କୁ ତାଙ୍କ ପରିବାର ନିରବଚ୍ଛିନ୍ନ ବିରୋଧ କରିବାର ପରିଣତି। ଏକଥା ସମସ୍ତେ ଜାଣନ୍ତି ଯେ, ତଦନ୍ତକାରୀ ଏଜେନ୍‌ସି ସବୁ ‘ବିଜେପି’ର ରାଜନୈତିକ ବିରୋଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଯେଉଁମାନେ ‘ବିଜେପି’ ସହିତ ସନ୍ଧି କରିବାକୁ ରାଜି ହେଉଛନ୍ତି, ସେମାନଙ୍କୁ ସାହାଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *