ମନୋରଞ୍ଜନ

ଇଲିଆନାଙ୍କୁ ତାମିଲ ସିନେମା ମନା

‘ବର୍ଫି’, ‘ବାଦଶାହୋ’, ‘ରେଡ୍’ ଭଳି କେତେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଇଲିଆନା ଡି’କ୍ରୁଜ୍ କିଛି ବର୍ଷ ହେଲା ମନୋରଂଜନ ଶିଳ୍ପରେ ସେତେଟା ସକ୍ରିୟ ନାହାନ୍ତି। ତେବେ ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ଇଲିଆନାଙ୍କ ଲାଗି ତାମିଲ ଚଳଚ୍ଚିତ୍ର ଶିଳ୍ପର ଦୁଆର ବନ୍ଦ ହୋଇଯାଇଛି। ଜଣେ ତାମିଲ ପ୍ରଯୋଜକ ଅଭିଯୋଗ କରିଛନ୍ତି ଯେ ଇଲିଆନା ଏକ ସିନେମାରେ ଅଭିନୟ କରିବା ଲାଗି ଅଗ୍ରିମ ପାଉଣା ନେଇଯାଇଥିଲେ ହେଁ ଏହାର ସୁଟିଂ ବେଳକୁ ସେ ଅନୁପସ୍ଥିତ ରହିଥିଲେ। ଏହି କାରଣରୁ ପ୍ରଯୋଜକମାନେ ବିପୁଳ କ୍ଷତି ସହିଥିବାର ପ୍ରକାଶ କରିଛନ୍ତି।

ତେଣୁ ଶେଷରେ ଇଲିଆନାଙ୍କୁ ତାମିଲ ଶିଳ୍ପରେ ନିିଷେଧ କରାଯାଇଛି। ତେବେ ଇଲିଆନା ବା ପ୍ରୟୋଜକଙ୍କ ପକ୍ଷରୁ ଏ ନେଇ କୌଣସି ଆଧିକାରିକ ସୂଚନା ପ୍ରକାଶ ପାଇ ନାହିଁ। ସ୍ମରଣଯୋଗ୍ୟ ଯେ ମାସେ ତଳେ ଇଲିଆନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେତେବେଳେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଛାଡ଼ିଥିଲେ ଯେଉଁଥିରେ ସେ ହସ୍‌ପିଟାଲ୍ ବେଡ୍‌ରେ ଶୋଇଥିବାର ଦେଖିବାକୁ ମିଳିଥିଲା। ଏହା ତାଙ୍କ ପ୍ରଶଂସକଙ୍କୁ ବିଚଳିତ କରିଥିଲା ଏବଂ ଅନେକ ଲୋକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ ବ୍ୟଗ୍ର ହୋଇପଡ଼ିଥିଲେ।

ସେ ସୁସ୍ଥ ହୋଇ ଘରକୁ ଫେରିଥିବାର ପ୍ରକାଶ କରିଥିଲେ ଏବଂ ତାଙ୍କ କଥା ଚିନ୍ତା କରୁଥିବା ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ୩୬ ବର୍ଷୀୟା ଇଲିଆନା ଅନେକ ତେଲୁଗୁ, ତାମିଲ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୨୦୦୬ରେ ପ୍ରଥମ ତେଲୁଗୁ ସିନେମା କରିବା ପରେ ୨୦୧୨ରେ ତାଙ୍କୁ ‘ବର୍ଫି’ ଜରିଆରେ ବଲିଉଡ୍‌ ପ୍ରବେଶର ସୁଯୋଗ ମିଳିଥିଲା। ଶେଷ ଥର ପାଇଁ ‘ଦି ବିଗ୍ ବୁଲ୍’ ନାମକ ସିନେମାରେ ସେ ଅଭିନୟ କରିଥିଲେ। ଆଗକୁ ତାଙ୍କ ଅଭିନୀତ ‘ତେରା କ୍ୟା ହୋଗା ଲଭଲି’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି। ଖୁବ୍‌ ଶୀଘ୍ର ସେ ତାଙ୍କର ପ୍ରଥମ ୱେବ୍ ଧାରାବାହିକରେ ଅଭିନୟ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *