ଦେଶ- ବିଦେଶ

ଏକଜିଟ ପୋଲ ଦେଖି ଢଳିଲେ କି ମେହେବୁବା ମୁଫତି, କହିଲେ ଦେବୁ ସମର୍ଥନ

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି। ଅକ୍ଟୋବର ୮ରେ ଭୋଟ ଫଳାଫଳ ପ୍ରକାଶ ପାଇବ, କିନ୍ତୁ ଏହାପୂର୍ବରୁ ଏକଜିଟ ପୋଲ ଓ ଭୋଟ ବାହୁଡା ମତ ପ୍ରକାଶ ପାଇଛି।୨୦୧୯ରେ ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ରଦ୍ଦ କରି ଦେଇଛନ୍ତି। ଏହା ସହିତ ଜମ୍ମୁ କଶ୍ମୀରକୁ ଓ ଲଦାଖକୁ ଅଲଗା କରି ଏକ ୟୁନିଅନ ଟେରିଟୋରୀ କରାଯାଇଛି। ଏହାପୂର୍ବରୁ ରାଜ୍ୟରେ ସମୁଦାୟ ୮୩ ଟି ବିଧାନସଭା ଆସନ ଥିଲା, ଏବେ ତାହା ୯୦କୁ ବୃଦ୍ଧି ପାଇଛି। ତେବେ ଏଥର ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଏକଜିଟ ପୋଲ ଅନୁସାରେ ପରସ୍ପର କଡା ଟକ୍କର ହୋଇଥିବା ଜଣାପଡିଛିl ଅଧିକାଂଶ ସଂସ୍ଥାର ଏକଜିଟ ପୋଲ କହୁଛି ଯେ ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୪୬ ମିଳିବ ନାହିଁ। କଂଗ୍ରେସ ଓ ଏନସି ସର୍ବାଧିକ ଆସନ ପାଇ ପାରନ୍ତି। କିନ୍ତୁ ଉଭୟ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିବେ। ଭାଜପା ମଧ୍ୟ ୩୦ରୁ ଅଧିକ ଆସନ ଜିତିବାକୁ ସକ୍ଷମ ହୋଇପାରିବ ନାହିଁ। ଏଭଳି ସ୍ଥିତିରେ ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।ଏହାରି ଭିତରେ ପିଡିପି ମୁଖ୍ୟ ମେହେବୁବା ମୁଫତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଭାଜପାକୁ ରୋକିବା ପାଇଁ ହେଲେ ଆମେ କଂଗ୍ରେସ-ଏନସିକୁ ସମର୍ଥନ ଦେବୁ। ଜରୁରୀ ପଡିଲେ ଆମେ କଂଗ୍ରେସ-ଏନସି ସହ ମେଣ୍ଟ କରିବୁ ବୋଲି ମେହେବୁବା କହିଛନ୍ତି।

Leave a Reply

Your email address will not be published. Required fields are marked *