ଭାଜପାର ତୃତୀୟ ବିଜୟ: ସାଇନି ରହିବେ ମୁଖ୍ୟମନ୍ତ୍ରୀ
ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବା ସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ପୁନର୍ବାର ଏହି ପଦରେ ରହିବେ ବୋଲି ଭାଜପା ନେତାମାନେ କହିଛନ୍ତି। ନିର୍ବାଚନର ମାତ୍ର କେଇମାସ ପୂର୍ବରୁ ଭାଜପା ବରିଷ୍ଠ ନେତା ମନୋହରଲାଲ୍ ଖଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଓବିସି ନେତା ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଦଳର ଏଭଳି ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ କରିଥିଲା। ଲୋକ ସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଭଲ ହୋଇ ନ ଥିବାବେଳେ ସାଇନିଙ୍କ ନେତୃତ୍ୱରେ ଦଳ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିବା ସହ ସମସ୍ତ ଏକ୍ଜିଟ୍ ପୋଲ୍ର ଆକଳନକୁ ଭୁଲ୍ ପ୍ରମାଣିତ କରିଛି।ମନୋହରଲାଲ୍ ଖଟ୍ଟାର ସରକାରଙ୍କ ୯ ବର୍ଷ ୬ ମାସର ଶାସନ କାଳରେ ଚାଷୀ ସମସ୍ୟା, ବେରୋଜଗାରି, ଅଗ୍ନିପଥ ଯୋଜନା, ଦରଦାମ୍ ବୃଦ୍ଧି ଏବଂ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟରେ ସରକାର ବିରୋଧୀ ହାଓ୍ବା ସୃଷ୍ଟି ହୋଇଥିବାବେଳେ ଗତ ମାର୍ଚ୍ଚରେ ଭାଜପା ନେତୃତ୍ୱ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦେଇ ଦଳର ରାଜ୍ୟ ସଭାପତି ସାଇନିଙ୍କୁ ଉକ୍ତ ପଦରେ ଅବସ୍ଥାପିତ କରିଥିଲା। ଏହା ପରେ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ଏବଂ ଆଗକୁ ବିଧାନସଭା ନିର୍ବାଚନ ମଧ୍ୟରେ ସାଇନି ଜନସାଧାରଣଙ୍କ ଧାରଣା ବଦଳାଇବା ପାଇଁ ମାତ୍ର ୨ ମାସ ସମୟ ପାଇଥିଲେ। ଏହି ସମୟ ମଧ୍ୟରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେଥିରୁ ପ୍ରମୁଖ ନିଷ୍ପତ୍ତି ଥିଲା ହରିୟାଣା ଅଗ୍ନିବୀର ନୀତି, ଯାହା ଅଗ୍ନିବୀରମାନଙ୍କୁ ସେନାରେ ଚାକିରି କାଳ ଶେଷ ହେବା ପରେ ନିଯୁକ୍ତି ଏବଂ ଉଦ୍ୟୋଗ ସ୍ଥାପନ ଲାଗି ସୁଯୋଗର ପ୍ରତିଶ୍ରୁତି ଦେଇଥିଲା। ଅଧିକ ୧୦ଟି ଫସଲକୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହରିୟାଣା ଏକମାତ୍ର ରାଜ୍ୟ, ଯେଉଁଠି ସର୍ବାଧିକ ୨୪ଟି ଫସଲକୁ ଏମ୍ଏସ୍ପିରେ କିଣାଯାଉଛି। ଏହା ବ୍ୟତୀତ ଭାଜପା ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନ ଇସ୍ତାହାରରେ ଭାଜପା ମହିଳାଙ୍କୁ ମାସିକ ୨,୧୦୦ ଟଙ୍କା ସହାୟତା, ୨ ଲକ୍ଷ ଯୁବତୀଯୁବକଙ୍କୁ ସରକାରୀ ନିଯୁକ୍ତି ଏବଂ ଅଗ୍ନିବୀରମାନଙ୍କୁ ନିଶ୍ଚିତ ସରକାରୀ ଚାକିରିର ପ୍ରତିଶ୍ରୁତି ଦିଆଯାଇଥିଲା। ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଓ ପ୍ରତିଶ୍ରୁତି ଲୋକଙ୍କ ମନୋଭାବ ବଦଳାଇବାରେ ସହାୟକ ହୋଇଥିବା କୁହାଯାଉଛି।