ଅପରାଧ

ସରିଲା ଭିଜିଲାନ୍ସର ୨ ଦିନିଆ ରିମାଣ୍ଡ

ଭବାନୀପାଟଣା,: କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ବାବଦ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣାର ମୁଖ୍ୟ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଗୁରୁବାରଠାରୁ ୨ଦିନିଆ ରିମାଣ୍ଡରେ ନେଇଥିଲା କଳାହାଣ୍ଡି ଭିଜିଲାନ୍ସ ବିଭାଗ। ଶୁକ୍ରବାର ରିମାଣ୍ଡ ଶେଷ ହେବା ପରେ ପୁଣି ଜେଲ ଯାଇଛନ୍ତି ଅଭିଯୁକ୍ତ ଶୁଚିସ୍ମିତା। ଅଭିଯୁକ୍ତ ସୁଆରଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ରିମାଣ୍ଡ ସମୟରେ ବିଭିନ୍ନ ଦିଗ ନେଇ ଜେରା କରାଯାଇଛି। ଅନେକ ବଡ଼ବଡ଼ ଅଧିକାରୀ ଏହି ଅର୍ଥ ଆତ୍ମସାତ ମାମଲାରେ ଜଡିତ ଥିବା ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତ ଅଧିକାରୀଙ୍କ ଏକ ଲମ୍ବା ତାଲିକା ଭିଜିଲାନ୍ସକୁ ଦେଇଥିବା ଜଣାପଡିଛି। ସୁଚିସ୍ମିତାଙ୍କୁ ଜେରା କରିବା ପରେ ଅପରାହ୍ନରେ ତାଙ୍କର ଭବାନୀପାଟଣା ଇରିଗେଶନ କଲୋନୀ ୧୫ ନଂ ଲାଇନରେ ଥିବା ୪ମହଲା କୋଠା ଘରେ ଯାଞ୍ଚ କରାଯାଇଥିଲା। ପୂର୍ବରୁ ଭିଜିଲାନ୍ସ ବିଭାଗ ଉକ୍ତ କୋଠା ସିଲ କରିଥିଲା। ଭିଜିଲାନ୍ସ ବିଭାଗ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଟିମ ଅଭିଯୁକ୍ତଙ୍କ ମା’ଙ୍କ ଉପସ୍ଥିତିରେ ସିଲ ଖୋଲି ଘର ଛାନଭିନ କରିଥିଲା। ଭିଜିଲାନ୍ସ ଟିମ ପଶିବା ପୂର୍ବରୁ ଘରେ କେହି ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡା କରିଥିବା ଦେଖିବାକୁ ମିଳିଥିଲା। ତେବେ ଘର ଆଲମିରାରୁ ଶୁଚିସ୍ମିତା ଓ ତାଙ୍କ ମା’ଙ୍କ ନାମରେ ଥିବା ବ୍ୟାଙ୍କ ଜମାଖାତା ଓ ଖଟ ତଳୁ କ୍ୟାସ ବୁକ, ଚେକବୁକ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଭିଜିଲାନ୍ସ ଡିଏସପି ସଦାନ୍ଦନ ପାଣିଙ୍କୁ ପଚରାଯିବାରୁ ସେ କହିଛନ୍ତି, ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନିଆଯାଇଥିଲା। ତାଙ୍କ ନାଁରେ ବିଇଓ କାର୍ଯ୍ୟାଳୟର ୨ କୋଟି ୫୬ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ଜାରି ରହିଛି ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ, ଭବାନୀପାଟଣା ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତା ଏକ୍ସକ୍ୟାଡର ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ସରକାରୀ ଅର୍ଥ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଭବାନୀପାଟଣା ଟାଉନ ଥାନାରେ ସ୍ଥାନୀୟ ବିଇଓ ଅଭିଯୋଗ ପରେ ଗିରଫ ଭୟରେ ୨୦୨୨ ଅକ୍ଟୋବର ୬ରେ ଶୁଚିସ୍ମିତା ଫେରାର୍‌ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଜିଲା ଶିକ୍ଷା ବିଭାଗ ଥାନାରେ ଅଭିଯୋଗ କରିଥିଲା। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ନିଜ ଆଡୁ ମାମଲା ରୁଜୁ କରି ଶିକ୍ଷା ବିଭାଗର ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ଜେରା କରିଥିଲା। ଦୀର୍ଘ ୫ ମାସ ପରେ ଗତ ମାସରେ ଶୁଚିସ୍ମିତା ଭବାନୀପାଟଣା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *