ଦେଶ- ବିଦେଶ

ବିଶ୍ୱ ଅର୍ଥନୀତିର ଗ୍ରୋଥ୍‌ ଇଞ୍ଜିନ ହେବ ଭାରତ: ଧର୍ମେନ୍ଦ୍ର

ଭୁବନେଶ୍ୱର, : ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଭାରତ ସରକାରଙ୍କ ଶିକ୍ଷାନୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଭାରତକୁ ଆଗାମୀ ୨ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନ କରାଇବ ବୋଲି ସୋମବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଲିଡରଶିପ୍‌ ସମ୍ମିଟ -୨୦୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ୍‌ ପାର୍ଟନରଶିପ ଫୋରମ(ୟୁଏସ୍‌ଆଇଏସ୍‌ପିଏଫ୍‌) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଧୀନରେ ଫାୟାରସାଇଡ୍‌ ଚାର୍ଟରେ ଜାତୀୟ ଶିକ୍ଷାନୀତି ସହ ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି। ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରାଥମିକ କ୍ଷେତ୍ର, ଭାରତର ଶିକ୍ଷା ବ୍ୟବସ୍ଥାରେ ନୂଆ ଶିକ୍ଷାନୀତି ଦ୍ୱାରା ହେବାକୁ ଥିବା ପରିବର୍ତ୍ତନ ଉପରେ ମତ ରଖି ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ଦସ୍ତାବିଜ। ଜାତୀୟ ଶିକ୍ଷାନୀତି ଦେଶର ଯୁବପିଢ଼ି ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ସହ ବୈଶ୍ୱିକ ନାଗରିକରେ ପରିବର୍ତ୍ତନ କରିବ। ଏହି ଯୁବଶକ୍ତିମାନେ କେବଳ ଭାରତ ନୁହେଁ ବରଂ ବିଶ୍ୱର କଲ୍ୟାଣ ଦିଗରେ ବ୍ରତୀ ରହିବେ। ଜାତୀୟ ଶିକ୍ଷାନୀତିର ପ୍ରାଥମିକତା କ୍ଷେତ୍ର ଯଥା ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ସମନ୍ବୟ ଉପରେ ଫୋକସ ରହିଛି। ଦେଶରେ ଡିଜିଟାଲ ଶିକ୍ଷା ପରିସଂସ୍ଥାନରେ ଅଭୂତପୂର୍ବ ପରିବର୍ତ୍ତନ ହେଉଛି। ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଉଛି। ଗବେଷଣା ଏବଂ ଇନୋଭେଶନର ପରମ୍ପରାକୁ ପ୍ରୋତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ମତରେ ଡିଗ୍ରୀ ଓ ସାର୍ଟିଫିକେଟ୍‌ ଅପେକ୍ଷା ଦକ୍ଷତା ବହୁ ଗୁରୁତ୍ୱପୂର୍ଣ୍ଣ। କୋଭିଡ୍‌ ସମୟରେ ଦକ୍ଷତା ତଥା ସାମର୍ଥ୍ୟ ବଳରେ ହୋଇଥିବା ଅନେକ ସୃଜନଶୀଳ ଇନୋଭେଶନକୁ ସମସ୍ତେ ପ୍ରଶଂସା କରିଛନ୍ତି। ଭାରତରେ ସବୁଠୁ ଅଧିକ ସଂଖ୍ୟକ ଯୁବବର୍ଗ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷାନୀତି କେବଳ ଶିକ୍ଷା ନୁହେଁ ବରଂ ନିଯୁକ୍ତି ଆଧାରିତ ଶିକ୍ଷା ପ୍ରଦାନ କରିବ। ଛାତ୍ରୀଛାତ୍ରଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍‌ ସ୍କିଲିଂ କରାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *