ମୁଖ୍ୟ ଖବର

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକଙ୍କ ଝିଅ

ଆଳି,p: କେନ୍ଦ୍ରାପଡ଼ା ଜିଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା. ଦେବସ୍ମିତା ଶର୍ମାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ଲାଗି ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାରିଦେବାକୁ ଉଦ୍ୟମ କରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଦେବସ୍ମିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୦୨୨ ମସିହା ଡିସେମ୍ବର ୧୪ରେ ଡାକ୍ତର ରାହୁଲ ପ୍ରତାପ ରାୟଙ୍କ ସହ ବୈଦିକ ମତେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କଟକ ସହର ପେଟିନସାହି ବକ୍ସିବଜାରରେ ଶାଶୁଘରେ ରହୁଥିଲେ। ବିବାହର ମାତ୍ର ୨୦ରୁ ୨୫ ଦିନ ପରେ ଶାଶୁ, ଶ୍ୱଶୁର, ଦିଅର, ପିଉସୀପିଉସାମାନେ ତାଙ୍କୁ ଯୌତୁକ ନିମନ୍ତେ ମାଡ଼ ଗାଳି ଦେବା ଆରମ୍ଭ କରିଥିଲେ। ଡାକ୍ତର ଶର୍ମା ନିଜ ବାପାଙ୍କ ସମ୍ମାନକୁ ଲକ୍ଷ୍ୟ କରି ଚୁପ ରହୁଥିବାରୁ ଦିନକୁ ଦିନ ଶାଶୁଘର ପକ୍ଷରୁ ନିର୍ଯାତନା ବଢ଼ି ଚାଲିଥିଲା। ତାଙ୍କ ସ୍ବାମୀ ଡା. ରାହୁଲ ପ୍ରତାପ ରାୟ ପ୍ରତ୍ୟେକ ଦିନ ମଦ୍ୟପାନ କରି ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିଲେ। ତାଙ୍କ ବାପା ପୂର୍ବରୁ ବିଧାୟକ ଥିବାରୁ ଶାଶୁଘର ଲୋକ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ। ଏ ନେଇ ସେ ଟଙ୍କା ପାଇଁ ବାପାଙ୍କୁ ଜଣାଇବା ପରେ ତାହା ଦେବାକୁ ସେ ସକ୍ଷମ ନୁହେଁ ବୋଲି ଜାଣିବା ପରେ ଶାଶୁଘର ଲୋକ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ ଆରମ୍ଭ କରି ଦେଇଥିଲେ। ତାଙ୍କ ସ୍ବାମୀ ମଦ୍ୟପାନ କରି ଘରକୁ ଆସି ତାଙ୍କୁ ମଦ ପିଇବାକୁ ବାଧ୍ୟ କରୁଥିବା ବେଳେ ସେ ପ୍ରତିବାଦ କରିବାରୁ ତାଙ୍କୁ ସିଗାରେଟ ଚେଙ୍କ ଦିଆଯାଉଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ସେ ବାହାରେ ଚାକିରି କରିଥିବାରୁ ତାଙ୍କର ସମସ୍ତ ସୁନା ରୁପା ଶାଶୁଙ୍କ ନିକଟରେ ରହିଥିଲା। ତାଙ୍କୁ ସେମାନେ ବିକ୍ରି କରି ଘର କାମରେ ଲଗାଇବା ସହ ତାଙ୍କ ଦରମା ଟଙ୍କା ସ୍ବାମୀ ନେଇଯାଆନ୍ତି। ବାପଘର ଲୋକ ଦୁଇଦୁଇ ଥର ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସ୍ବାମୀ ତାଙ୍କ ଉପରେ ପଶୁ ଭଳି ବ୍ୟବହାର କରୁଥିବାରୁ ସେ ନିଃସହାୟ ହୋଇ ପଡ଼ିଛନ୍ତି। ତେଣୁ ସେ ଆଳି ଥାନାରେ ତାଙ୍କ ସ୍ବାମୀ ଡାକ୍ତର ରାହୁଲ ପ୍ରତାପଙ୍କ ସହ ସମସ୍ତ ପରିବାର ସଦସ୍ୟଙ୍କ ନାମରେ ଲିଖିତ ଅଭିଯୋଗ ଦେଇ ନ୍ୟାୟ ଭିକ୍ଷା କରିଛନ୍ତି। ଏ ନେଇ ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତର ଶର୍ମାଙ୍କ ଅଭିଯୋଗ ଆସିବା ପରେ ନଂ. ୬୨୪/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଡାକ୍ତର ଶର୍ମା କିମ୍ବା ତାଙ୍କ ଶାଶୁଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *