ରାଜନୀତି

ବିଜେପିରେ ଯୋଗଦେଲେ ଓଡ଼ିଆ ଅଭିନେତ୍ରୀ ଜିନା ସାମଲ

ବାଲେଶ୍ବର: ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଆଜି ବାଲେଶ୍ବର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।

ଆଲମବ ଜଗତରେ ବେଶ ଖ୍ୟାତି ଅର୍ଜନ କରିବା ପରେ ଜିନା  ‘ଫେରିଆ ମୋ’ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡ୍‌ରେ ନାୟିକାଭାବେ ପ୍ରବେଶ କରିଥିଲେ। ପରେ କେତୋଟି ହାତଗଣତି ଓଡ଼ିଆ ଛବିରେ ନାୟିକା ବନିଥିଲେ। ପରେ ଅଭିନେତା ରୁଦ୍ରଙ୍କୁ ଜୀନା ସାମଲ୍‌ ବିବାହ କରିଥିଲେ।

ଏଣେ ନାରାୟଣ ଘଡ଼େଇଙ୍କ ନିର୍ଦେଶିତ ସିନେମା ‘ମନେ ରହିବ ଏ ପ୍ରେମକାହାଣୀ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ନାୟକ ରୁଦ୍ର  । ଏଥିରେ ରୂପାଲି ବନିଥିଲେ ରୁଦ୍ରଙ୍କ ନାୟିକା। ତା’ପରେ ୨୦୧୪ ରେ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ସିନେମାରେ ବି କାମ କରିଥିଲେ ସେ। ଠିକ୍‌ ସେହିପରି ୨୦୧୫ରେ ଶାନ୍ତି ମିଡ଼ିଆ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା ‘ଅପ୍‌ନା ହାତ୍‌ ଜଗନ୍ନାଥ’ରେ ବି ନଜର ଆସିଥିଲେ ରୁଦ୍ର। ତା’ପରେ ‘ଝିଅଟା ବିଗିଡ଼ିଗଲା’, ‘ପ୍ରେମୀ ଦିଓ୍ଵାନା’ ଓ ରଘୁ ସର୍ଦ୍ଦାର ଭଳି  ଓଡ଼ିଆ ଛବିରେ ମଧ୍ୟ ରୁଦ୍ରଙ୍କୁ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପୂର୍ବରୁ ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ଯୋଗ ଦେଇ ଦଳରେ ସକ୍ରିୟ ଅଛନ୍ତି।

Leave a Reply

Your email address will not be published. Required fields are marked *