କିଏ ବୁଝିବ ମାଆର ମନ
.
ରାମ ଅବତାର ଏବଂ କୃଷ୍ଣ ଅବତାର ଭିତରେ ପ୍ରଭେଦ ସ୍ପଷ୍ଟ ବାରି ହୋଇଯାଏ। ରାମ ଅବତାରରେ ବିଷ୍ଣୁଙ୍କ ଅବତାର ନିଜେ ହୃଦୟଙ୍ଗମ କରନ୍ତି ନାହିଁ ଯେ ସେ ଷୋଳକଳାଧାରୀ ବିଷ୍ଣୁ। କୃଷ୍ଣ ଅବତାରରେ ଅନେକ ସମୟରେ ଅବତାର ନିଜକୁ ସ୍ରଷ୍ଟା ଭାବେ ପ୍ରତିପାଦିତ କରିବାକୁ ଚାହିଁଛନ୍ତି। ସେଥିପାଇଁ ଜନନୀ ଯଶୋଦାଙ୍କୁ ନିଜ ପାଟିଭିତରେ ସେ ଦେଖାଇଛନ୍ତି ବିଶ୍ବବ୍ରହ୍ମାଣ୍ଡ, ଶାନ୍ତି ପ୍ରସ୍ତାବ ସମୟରେ ଧୃତରାଷ୍ଟ୍ରଙ୍କ ରାଜସଭାରେ ସେ ବିଶ୍ଵରୂପର ଝଲକ ଦେଖାଇଛନ୍ତି ଏବଂ ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ସେ ଅର୍ଜୁନଙ୍କ ଆଗରେ ସର୍ବଶକ୍ତିମାନ ବିଶ୍ଵରୂପ ପ୍ରଦର୍ଶନ କରିଛନ୍ତି।
ମନେହୁଏ ରାମ ଅବତାରରେ ରାମ ରୂପଧାରୀ ସ୍ବୟଂ ବିଷ୍ଣୁ ନିଜ ଅତୀତ ବିଷୟରେ ସମ୍ପୂର୍ଣ୍ଣ ବିସ୍ମୃତ। ସୁଖ, ଦୁଃଖ, ହସ, କାନ୍ଦ, ପ୍ରେମ ଓ ବିରହ ଭଳି ଅପୂର୍ବ ମାନବୀୟ ଅନୁଭୂତି ସମ୍ପୂର୍ଣ୍ଣ ଉପଭୋଗ କରିବା ପାଇଁ ବୋଧହୁଏ ବିଷ୍ଣୁ ବିସ୍ମୃତିର ପରଦା ଆଢୁଆଳରେ ରହିବାକୁ ଇଚ୍ଛା କରିଛନ୍ତି। ନରଜନ୍ମ ପ୍ରକୃତରେ ଦୁର୍ଲ୍ଲଭ। ସୁଖ, ଦୁଃଖ, ଯନ୍ତ୍ରଣା, ପ୍ରେମ, ବିର଼ହ, ଆହ୍ଲାଦ ଆଦି ଭାବର ଖଟାମିଠା ଅନୁଭଵ କଣ ବୈକୁଣ୍ଠରେ ମିଳ ? ସେଠାରେ ତ କେବଳ ନିତ୍ୟ ଆନନ୍ଦ।
ରାମଚନ୍ଦ୍ର ସତରେ ଭୁଲି ଯାଇଛନ୍ତି ଯେ ସେ ଷୋଳକଳା ବିଷ୍ଣୁଙ୍କ ଅବତାର। ଧରା ପୃଷ୍ଠକୁ ଆସିଛନ୍ତି ରାବଣ ଓ କୁମ୍ଭକର୍ଣ୍ଣଙ୍କୁ ବିନାଶ କରି ଦେବଲୋକ ଏବଂ ମର୍ତ୍ତ୍ୟମଣ୍ଡଳର ଦୁଃଖ ଦୂର କରିବା ପାଇଁ ! ସେ’କଥା ଭୁଲିଯାଇ ପିତାମାତାଙ୍କର ବାତ୍ସଲ୍ୟ ପ୍ରେମ ଆକଣ୍ଠ ପାନ କରୁଛନ୍ତି ଶ୍ରୀବିଷ୍ଣୁ। ଦଶରଥଙ୍କ ବିଗଳିତ ହୃଦୟର ବ୍ୟଥା ମର୍ମେ ମର୍ମେ ଅନୁଭବ କରୁଛନ୍ତି। କୈକେୟୀଙ୍କ ପୁତ୍ର ମୋହ, ଲୋଭ ଓ ସ୍ୱାର୍ଥପରତା ଭିତରେ ସେ ମରଲୋକର ଲୋଭ, ମୋହ ଓ ପରଶ୍ରୀ କାତରତାର ଚରମ ସ୍ପର୍ଶ ଅନୁଭବ କରି ପାରିଛନ୍ତି। ଦୁଃଖରେ ବିଗଳିତା ମାତା କୌଶଲ୍ୟାଙ୍କ କୋଳରେ ମୁଣ୍ଡରଖି ସେ ଅନୁଭବ କରିବାକୁ ଚାହାଁନ୍ତି ପୁତ୍ର ଶୋକରେ ଅଧୀରା ଜନନୀର ବାତ୍ସଲ୍ୟ ମମତା।ଯେ ସମଗ୍ର ସୃଷ୍ଟିର ଭାଗ୍ୟ ନିୟନ୍ତା ସେ ଆଜି ଭାଗ୍ୟ ଆଗରେ ଅସହାୟ ହେବାପରି ଅନୁଜ ଲକ୍ଷ୍ମଣଙ୍କୁ କହୁଛନ୍ତି… ଭାଗ୍ୟର ରେଖାକୁ କିଏ ବଦଳାଇ ପାରିବ ଅନୁଜ !”
ବାଃ ! ଭାଗ୍ୟ ବି ପ୍ରଭୁଙ୍କର ଏ ଲୀଳା ଦେଖି ବିସ୍ମିତ।
ପ୍ରାତଃ କାଳରେ ଜନନୀ କୌଶଲ୍ୟାଙ୍କ ମନରେ ଥିଲା ଅପାର ଆନନ୍ଦ। ପ୍ରାଣସମ ପୁତ୍ର ରାମ ଉତ୍ତର-କୋଶଳ ରାଜସିଂହାସନରେ ଅଭିଷିକ୍ତ ହେବାକୁ ଯାଉଛି। ରଘୁବଂଶର ଯୋଗ୍ୟତମ ଦାୟାଦ ଭାବେ ଶାନ୍ତିରେ କିପରି ପୁତ୍ର ରାଜ୍ୟଶାସନ କରୁ, ସେଥିପାଇଁ ପ୍ରଭାତରୁ ଯଜ୍ଞର ଆୟୋଜନ କରିବାପାଇଁ ଯଜ୍ଞଶାଳରେ ରହିଛନ୍ତି କୌଶଲ୍ୟା। କୈକେୟୀଙ୍କ ରାଣୀହଂସପୁରରେ ଘଟିଯାଇଥିବା ଝଡର ତିଳେମାତ୍ର ସୂଚନା ପାଇ ନାହାଁନ୍ତି ସେ। କିଛି ସମୟ ପୂର୍ବରୁ କେବଳ ସୀତାଙ୍କୁ ଭେଟି ଅଭିଷେକପାଇଁ ଶୀଘ୍ର ପ୍ରସ୍ତୁତ ହେବାପାଇଁ ଯାହା କହିଆସିଥିଲେ ସେ; ମହାରାଜାଙ୍କ ପ୍ରକୋଷ୍ଠକୁ ଯିବାର ଅବସର ମଧ୍ୟ ପାଇ ନାହାଁନ୍ତି କୌଶଲ୍ୟା।
ଘଟଣା ପ୍ରବାହର ନାଟକୀୟ ମୋଡ ରାମଚନ୍ଦ୍ରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ଧୀର ଏବଂ ଶାନ୍ତ ମୁଖମଣ୍ଡଳ ଶ୍ରୀରାମଙ୍କର। ମାତା କୌଶଲ୍ୟାଙ୍କ ପାଖରେ ପହଞ୍ଚି କୈକେୟୀଙ୍କ ପ୍ରକୋଷ୍ଠରେ ଘଟିଥିବା ସମସ୍ତ ଘଟଣା ନିର୍ଲିପ୍ତ ଭାବରେ ବର୍ଣ୍ଣନାକରି ଶ୍ରୀରାମ କହିଲେ.. ମୋତେ ବିଦାୟ ଦିଅ ଜନନୀ ! ପିତୃସତ୍ୟ ରକ୍ଷାପାଇଁ ମୋତେ ଦଣ୍ଡକ ଅରଣ୍ୟକୁ ଯତିବେଶରେ ଚଉଦ ବର୍ଷ ବନବାସ ଯିବାକୁ ପଡିବ।
ରାମଙ୍କଠାରୁ ସମସ୍ତ ଘଟଣା ଶୁଣିବାପରେ ସଂଜ୍ଞାହୀନା ହୋଇ ତଳେ ପଡିଗଲେ କୌଶଲ୍ୟା। ରାମଚନ୍ଦ୍ର ମାତାଙ୍କୁ କୋଳେଇ ନେଇ ମୁଖରେ ଜଳ ସିଞ୍ଚନ କରିବା ପରେ ସଂଜ୍ଞା ଲାଭକରି କୌଶଲ୍ୟା କହିଲେ.. ମୋର ଏ ନିର୍ଲଜ ପ୍ରାଣ ନଯାଇ କାହିଁକି ରହିଛି ରାମ ! ମୁଁ ତୋତେ ଛାଡ଼ି ବଞ୍ଚିପାରିବି ନାହିଁ ଧନ। ମୁଁ ତୋତେ କେଉଁଆଡେ ଯିବାପାଇଁ ଦେବିନାହିଁ। ଚଉଦ ବର୍ଷ କଣ, ମୁଁ ତୋତେ ଚଉଦ ମୁହୂର୍ତ୍ତ ମଧ୍ୟ ଛାଡ଼ି ରହିପାରିବି ନାହିଁ। କଣ ତୁ ଅପରାଧ କରିଛୁ ଯେ ଘୃଣ୍ୟ ଦୋଷୀଭଳି ତୋତେ ବଣକୁ ନିର୍ବାସିତ କରୁଛନ୍ତି ରାଜା ? କୈକେୟୀର କଣ ବା ତୁ ଅପରାଧ କରିଛୁ ଧନ ! କାହିଁକି ସେ ତୋତେ ଚଉଦ ବର୍ଷ ପାଇଁ ବନକୁ ପଠାଇବା ପାଇଁ ଜିଦ୍ କରୁଛି ? ତା ପୁତ୍ରକୁ ଯେବେ ସେ ରାଜା କରିବାକୁ ଚାହୁଁଛି ମୋର ଆପତ୍ତି ନାହିଁ, କିନ୍ତୁ ମୋ ପୁଅ ବନବାସ ଯିବ କାହିଁକି ! ତାହା ପୁଣି ଚଉଦ ବର୍ଷ !!”
ନିରାସକ୍ତ ରାମଚନ୍ଦ୍ରଙ୍କର ମୁଖ ମଣ୍ଡଳ। ମାତାଙ୍କୁ ଶାନ୍ତ୍ବନା ଦେଇ କହିଲେ .. ରଘୁକୁଳର ମର୍ଯ୍ୟାଦା ତୁମେ କଣ ଜାଣିନାହିଁ ଜନନୀ ?ସତ୍ୟସନ୍ଧ ହରିଶ୍ଚନ୍ଦ୍ର ଏବଂ ଶୈବ୍ୟାଙ୍କ ତ୍ୟାଗକଥା ତୁମେ ପରା ମୋତେ ପିଲାଦିନରୁ କହି ଆସିଛ; ଆଜି ନିଜର ସ୍ୱାର୍ଥସାଧନ ପାଇଁ ପିତୃସତ୍ୟକୁ ମୁଁ କିପରି ଅତିକ୍ରମ କରିବି ?ପୁତ୍ରମୋହର ବଶବର୍ତ୍ତୀ ହୋଇ ତୁମେ ବା କିପରି ମୋତେ ବନକୁ ଯିବାପାଇଁ ବାରଣ କରିବ ଜନନୀ ?ଏହା ଇକ୍ଷ୍ବାକୁ ବଂଶର ସମ୍ମାନ ଓ ଅସ୍ମିତାର ପ୍ରଶ୍ନ। ସତ୍ୟ ଭଙ୍ଗକରି ପିତା କିପରି ପୂର୍ବଜ ମାନଙ୍କ ଆଗରେ ମୁହଁ ଦେଖାଇବେ ? ପିତାଙ୍କ ସତ୍ୟ ଭଙ୍ଗର କାରଣ ହୋଇ ମୁଁ ମଧ୍ୟ କିପରି ଶାନ୍ତିରେ ରହିପାରିବି ଜନନୀ !
ମୋର ବନକୁ ନଯିବା ଦ୍ବାରା ମାତା କୈକେୟୀଙ୍କ ପୁତ୍ରକୁ ସିଂହାସନରେ ଆସୀନ କରିବା ଅଭିଳାଷ ବ୍ୟାହତ ହେବ। ତାହା ରାଜ ପରିବାରରେ ଅସନ୍ତୋଷ ଓ ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି କରିବ; ପ୍ରଜାଙ୍କ ସ୍ବାର୍ଥରେ ବ୍ୟାଘାତ ଘଟିବ। ପ୍ରଜାନୁରଞ୍ଜନ ପାଇଁ ଆବଶ୍ୟକ ହେଲେ ଏ ତୁଚ୍ଛ ଶରୀର ମୁଁ ତ୍ୟାଗ କରିପାରେ ଜନନୀ, ରାଜପଦ ଏବଂ ରାଜସୁଖ ତ ସାମାନ୍ୟ କଥା। ବିଳମ୍ବ କରନାହିଁ, ମୋତେ ଯିବାପାଇଁ ଅନୁମତି ଦିଅ !”
କାନ୍ଦି କାନ୍ଦି ପୁଣି ଥରେ ସଂଜ୍ଞାହୀନ ହୋଇଗଲେ କୌଶଲ୍ୟା। ଚେତନା ପାଇ କହିଲେ.. ଠିକ୍ ଅଛି, ତୁ ଯେବେ ଯିବୁ ମୁଁ ମଧ୍ୟ ତୋ ସହିତ ଅରଣ୍ୟକୁ ଯିବି ରାମ। ତୁ ଅରଣ୍ୟରେ ରହି କଷ୍ଟରେ ଜୀବନ ଯାପନ କରିବୁ, ମୁଁ ଏଠାରେ ବଞ୍ଚିବି କିପରି? ପ୍ରତି ମୁହୂର୍ତ୍ତରେ ତୋତେ ଝୁରିଝୁରି ଏଠାରେ ମରୁଥିବି। ଚାଲ, ସେଇ ଦଣ୍ଡକ ଅରଣ୍ୟ ଭିତରେ ଆମେ ମାଆପୁଅ ଫଳମୂଳ ଖାଇ ଦିନ ବିତାଇବା, ଲୋଡାନାହିଁ ଆମର ଏ ରାଜପ୍ରସାଦର ସୁଖ ସ୍ବାଚ୍ଛନ୍ଦ୍ୟ। ତୁ ଉପାସ ଭୋକରେ ଦଣ୍ଡକ ଅରଣ୍ୟରେ ବୁଲୁଥିବୁ , ମୁଁ ରାଜପ୍ରାସାଦରେ ରାଜରାଣୀ ହୋଇ ବସିଥିବି, ଏହା କଣ ସମ୍ଭବ ଧନ ?”
ଅବିଶ୍ରାନ୍ତ ଲୁହ ଝରି ଯାଉଥିଲା କୌଶଲ୍ୟାଙ୍କ ଆଖିରୁ। ମାଆ ଆଖିର ଲୁହରେ ଯେଉଁ ବିଶାଳ ଅଦୃଶ୍ୟ ଲୁଣି ସାଗର ସୃଷ୍ଟି ହୁଏ ତାହା କେବଳ ମାଆର ହୃଦୟକୁ ଚିହ୍ନିଥିବା ସନ୍ତାନର ହୃଦୟକୁ ହିଁ ପ୍ରଭାବିତ କରିପାରେ। କୌଶଲ୍ୟାଙ୍କ ଆଖିରେ ଲୁହର ବନ୍ୟା ଦେଖି ପ୍ରଭୁଙ୍କ ଆଖିକୋଣରେ ମଧ୍ୟ ଅଜ୍ଞାତରେ ଲୁହ ଜକେଇ ଆସିଲା। କୌଶଲ୍ୟାଙ୍କୁ କୋଳେଇ ନେଇ ଶାନ୍ତ୍ବନା ଦେଇ ରାମଚନ୍ଦ୍ର କହିଲେ.. ତୁମେ ଏ କଣ କହୁଛ ଜନନୀ ! ଶଯ୍ୟାଶାୟୀ ମୋର ବୃଦ୍ଧ ପିତାଙ୍କ ସେବା କରିବା ତୁମର ପ୍ରଥମ କର୍ତ୍ତବ୍ୟ, ମୋ ସହିତ ବନକୁ ଗଲେ ପିତାଙ୍କ କଥା କିଏ ବୁଝିବ ? ନାରୀର ପ୍ରଥମ ଧର୍ମ ସ୍ବାମୀର ସୁଖ ଦୁଃଖର ସାଥୀ ହେବା। ତାହା ନକରି ତୁମେ ମୋ ସହିତ ଅରଣ୍ୟକୁ ଗଲେ, ସଂସାର କେବଳ ତୁମକୁ ନୁହେଁ ମୋତେ ମଧ୍ୟ ଭର୍ତ୍ସନା କରିବ। ପତ୍ନୀ ପତିର ଅର୍ଦ୍ଧାଙ୍ଗିନୀ, ଇହପରକାଳର ସାଥୀ, ସେଥିପାଇଁ ତ ସେ ସହଧର୍ମିଣୀ। ଋଗ୍’ଣ ଶରୀର ଓ ଅସହାୟ ମନନେଇ ଯନ୍ତ୍ରଣା ଭୋଗୁଥିବା ପିତାଙ୍କ ପାଖରେ ଏ ଅସମୟରେ ରହି ସେବା କରିବା ତୁମର କର୍ତ୍ତବ୍ୟ ଜନନୀ, ମୋ ସହିତ ଅରଣ୍ୟକୁ ଯିବାପାଇଁ ଜିଦ୍ କରନାହିଁ।”
ପ୍ରଭୁଙ୍କର ଏ ଅପୂର୍ବ ଜାଗତିକ ଲୀଳା ସନ୍ଦର୍ଶନ କରିବା ପାଇଁ ଆକାଶ ମାର୍ଗରେ ମନ-ଯାନରେ ବସିଥିଲେ ସ୍ବର୍ଗଯତି ନାରଦ। ଆଖିରେ ଅଶ୍ରୁ ଆସିଗଲା ତାଙ୍କର, ଭାବିଲେ.. ନାରାୟଣ, ନାରାୟଣ ! ପ୍ରଭୁଙ୍କର ଏ ମାନବଲୀଳା ପାଇଁ କେତେ କଷ୍ଟ ପାଉଛନ୍ତି ମାତା କୌଶଲ୍ୟା ! ପରିଣତ ବୟସରେ ତାଙ୍କ ଲୁହ ଆଉ ରକ୍ତରେ ଗଢା ଯେଉଁ ରାମଚନ୍ଦ୍ର, ଯାହାଙ୍କ ଦେହରେ କଣ୍ଟା ବାଜିଲେ କୌଶଲ୍ୟାଙ୍କ ହୃଦୟରୁ ରକ୍ତ ଝରେ, ତାଙ୍କୁ ଘୋର ଅରଣ୍ୟକୁ ପଠାଇ କିପରି ଜୀବନ ଧରି ରହିବେ କୌଶଲ୍ୟା ? ଏ କି ପରୀକ୍ଷା ପ୍ରଭୁ ! ମମତାମୟୀର ହୃଦୟର ଯାତନା ସତେ କଣ ତୁମ ହୃଦୟକୁ ବିଗଳିତ କରୁନାହିଁ ନାରାୟଣ !!