ବିଧାୟକଙ୍କ ଦରମା, ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପାଇଁ ନୂଆ କମିଟି ଗଠନ
ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପାଇଁ ନୂଆ କମିଟି ଗଠନ ହେବ। ଏହି କମିଟିରେ ବିଜେପି ବିଧାୟକ ଭାସ୍କର ମଢ଼େଇ ଅଧ୍ୟକ୍ଷ ରହିବେ। ଏହି କମିଟିରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ଏବଂ ରିପୋର୍ଟ ପ୍ରସ୍ତୁତ କରାଯିବ। ଏନେଇ ମଙ୍ଗଳବାର ଗୃହରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ସେହିପରି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେ, ନିହାର ମହାନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ସେଠି ସଦସ୍ୟ ରହିବେ।ବିଧାନସଭା ଶୂନ୍ୟକାଳରେ ଆଜି ବିଧାୟକମାନଙ୍କର ଦରମା ଓ ପୂର୍ବତନ ବିଧାୟକମାନଙ୍କର ପେନସନ୍ ବୃଦ୍ଧି ଦାବି କରିଥିଲେ। ଏଥିସହ ବିଧାୟକମାନଙ୍କର ପାଣ୍ଠିକୁ ମଧ୍ୟ ୩ରୁ ୫ କୋଟିକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବଜାର ଦରଦାମ ସହ ସ୍ୱାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ, ତେଣୁ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି କରାଯାଉ। ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା।