ରାଜ୍ୟ

ଋଣ ନାଁରେ ମହିଳାଙ୍କୁ ଚାଲିଛି ଶୋଷଣ

ଦିଗପହଣ୍ଡି,: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଘରୋଇ ଫାଇନାନ୍ସ ସଂସ୍ଥା କୌଣସି ସରକାରୀ ସ୍ବୀକୃତି ନ ଥାଇ ମହିଳା ଗ୍ରୁପ୍‌ ଗଠନ କରି ଋଣ ପ୍ରଦାନ କରୁଛନ୍ତି। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଶୋଷଣ କରାଯାଉଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଏନେଇ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି। ଗତ କିଛିବର୍ଷ ହେଲା ଏକ ନିର୍ଦ୍ଦିଷ୍ଟ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ପ୍ରଥମେ ବନ୍ଧକ ବିହୀନ ଋଣ ପ୍ରଦାନ କରି ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କଠାରୁ ଜୋର ଜବରଦସ୍ତ ଅତ୍ୟଧିକ ସୁଧ ସହ ମୂଳ ଟଙ୍କା ଆଦାୟ କରାଯାଉଛି। ପ୍ରତିବାଦ କଲେ ସେମାନଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦିଆଯାଉଛି। ଋଣ ଟଙ୍କା ପରିଶୋଧକୁ ନେଇ ଘରେ ଘରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉପୁଜିଛି। ଋଣ ଟଙ୍କା ପରିଶୋଧ କରି ନ ପାରିଲେ ଅନୈତିକ ଭାବେ ଟଙ୍କା ଆଦାୟ କରାଯିବ ବୋଲି କିଛି ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ମହିଳାମାନଙ୍କୁ ଚେତାବନୀ ଦେଉଛନ୍ତି। ଏନେଇ ବହୁ ସଂଖ୍ୟକ ମହିଳା ନିର୍ଯାତିତ ହେବା ପରେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। ପଞ୍ଚାୟତ ପକ୍ଷରୁ ଏନେଇ ସଭା ଡକାଯାଇ ଅଭିଯୋଗର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧାରଣ ଗୃହୀତ କରାଯାଇଛି। ପଞ୍ଚାୟତ ଅଧୀନ ବୋରିପଦର, କଇଠଖଣ୍ଡି ଓ ନୂଆଗଡ଼ ଗ୍ରାମରେ କିଛି ମାସ ପୂର୍ବରୁ ୨ରୁ ୩ଟି ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ପହଞ୍ଚି ଗ୍ରାମର ମହିଳାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗ୍ରୁପ୍‌ ଗଠନ କରିବା ସହ ଋଣ ଦେଇଥିଲେ। ବର୍ତ୍ତମାନ ଉକ୍ତ ଫାଇନାନ୍ସ ସଂସ୍ଥାର କର୍ମକର୍ତ୍ତାମାନେ ମହିଳାମାନଙ୍କୁ ଋଣ ପରିଶୋଧ କରିବାକୁ କହିବା ସହ ରାତି ଅଧିଆ ଆସି ଘର ବାରଣ୍ଡାରେ ଜଗିରହି ଜୋର ଜବରଦସ୍ତ ସୁଧ ସହ ଋଣ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏପରିକି କିଛି ମହିଳାଙ୍କଠାରୁ ସେମାନଙ୍କ ସୁନା ଗହଣା ଛଡ଼ାଇ ନେଉଥିବା ଏତଲାରେ ଉଲ୍ଲେଖ ରହିଛି। ଏନେଇ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *