ମୁଖ୍ୟ ଖବର

ସିଲିକନ୍ ଭାଲି ବ୍ୟାଙ୍କ ବିଫଳତା: ଷ୍ଟାର୍ଟଅପ୍‌ ଜଗତ ଛାନିଆ

ନୂଆଦିଲ୍ଲୀ : ମାତ୍ର ୪୮ ଘଣ୍ଟା ଭିତରେ ଏକ ବିଶାଳ ବ୍ୟାଙ୍କ ବିଫଳ ହେବା ପରେ ବିଶ୍ବବ୍ୟାପୀ ଷ୍ଟାର୍ଟଅପ୍ ଜଗତ ଦୋହଲିଯାଇଛି। ଷ୍ଟାର୍ଟଅପ୍ ଓ ଭେଞ୍ଚର କ୍ୟାପିଟାଲିଷ୍ଟ୍‌ମାନଙ୍କୁ ପାଣ୍ଠି ଦେଉଥିବା ସିଲିକନ୍ ଭାଲି ବ୍ୟାଙ୍କ ବନ୍ଦ ହୋଇଯିବା ପରେ ଆମେରିକାଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ପ୍ରାନ୍ତରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ଭାରତ, ଚୀନ୍, କାନାଡା, ବ୍ରିଟେନ, ସିଙ୍ଗାପୁର ଓ ଆମେରିକାର ଷ୍ଟାର୍ଟଅପ୍‌ଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଯେଉଁମାନେ ସେହି ବ୍ୟାଙ୍କରେ ପାଣ୍ଠି ରଖିଥିଲେ ସେମାନେ କର୍ମଚାରୀମାନଙ୍କୁ କିଭଳି ଦରମା ‌‌ଦେବେ ତାହା ଭାବୁଛନ୍ତି।

ସିଲିକନ୍ ଭାଲି ବ୍ୟାଙ୍କ ବିଫଳ ହେବା ପରେ ତାହାର କ’ଣ ପ୍ରଭାବ ପଡ଼ିବ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାପଡ଼ୁନାହିଁ। ବ୍ରିଟେନ୍‌ଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ବିଭିନ୍ନ ଦେଶର ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରକୃତରେ ସ୍ଥିତି କ’ଣ ରହିଛି ତାହା ବୁଝିବା ଲାଗି ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକ ସହ ଆଲୋଚନା କରିବେ। ଏଭଳି ଏକ ସମୟରେ ସରକାର କେଉଁ ଉପାୟରେ ସାହାଯ୍ୟ କରିପାରିବେ ତାହା ସେ ଜାଣିବାକୁ ଉଦ୍ୟମ କରିବେ। ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ଜେରେମି ହଣ୍ଟ୍‌ ଏହି ଘଟଣ‌ା ବିଷୟରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ୍‌ର ଗଭର୍ଣ୍ଣର ଆଣ୍ଡ୍ରୁ ବେଲିଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଦେଶର ୨୫୦ଟି ସଂସ୍ଥା ଅର୍ଥମନ୍ତ୍ରୀ ହଣ୍ଟ୍‌କୁ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ବିଫଳ ହୋଇଥିବା ସିଲିକନ ଭାଲି ବ୍ୟାଙ୍କକୁ ଉଦ୍ଧାର କରାଯିବ ନାହିଁ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ଟ୍ରେଜେରି ସଚିବ ଜାନେଟ୍‌ ୟାଲେନ୍ କହିଛନ୍ତି ଯେ ୧୫ ବର୍ଷ ପୂର୍ବେ ବିଫଳ ହୋଇଥିବା ବ୍ୟାଙ୍କକୁ ଯେଭଳି ଉଦ୍ଧାର କରାଯାଇଥିଲା ଏଥର ସେଭଳି ପଦକ୍ଷେପ ନିଆଯିବ ନାହିଁ। ତେବେ ସିଲିକନ ଭାଲି ବ୍ୟାଙ୍କର ଜମାକାରୀଙ୍କ ସ୍ବାର୍ଥକୁ କିଭଳି ସୁରକ୍ଷା ଦିଆଯିବ ତାହା ଉପରେ ସରକାର କାମ କରିବେ। ବ୍ୟାଙ୍କର ଜମା ଉପର ଅଢ଼େଇ ଲକ୍ଷ ଡଲାରର ବୀମା ରହିଛି। କିନ୍ତୁ ଏହାର ଗ୍ରାହକମାନେ ବଡ଼ ବଡ଼ ପ୍ରଯୁକ୍ତି କଂପାନି ଓ ଷ୍ଟାର୍ଟଅପ୍‌ ହୋଇଥିବାରୁ ସେମାନେ ବିପୁଳ ପରିମାଣର ପାଣ୍ଠି ରହିଥିଲେ ଯାହା ଆଗରେ ଏହି ବୀମା ରାଶି ନଗଣ୍ୟ ମନେ ହେଉଛି। ଯଦି ସେହି ସଂସ୍ଥାଗୁଡ଼ିକ ପାଣ୍ଠି ପାଇବେନି ତେବେ ସେମା‌ନେ ନିଯୁକ୍ତ କରିଥିବା କର୍ମଚାରୀଙ୍କୁ କିଭଳି ଦରମା ଦେବେ ତାହା ବଡ଼ ଚିନ୍ତାର କାରଣ ବୋଲି ୟାଲେନ୍ କହିଛନ୍ତି।

ଏହି ଘଟଣା ଭାରତୀୟ ବ୍ୟାଙ୍କଗୁଡ଼ିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଷ୍ଟକ ବଜାରରେ ବ୍ୟାଙ୍କ ସେୟାର ପ୍ରତି ନିବେଶକମାନେ କିଛି ଦିନ ଦୂରେଇ ରହିପାରନ୍ତି ବୋଲି ସେମାନେ କହିଛନ୍ତି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଉଦୟ କୋଟାକ୍ କହିଥିଲେ ଯେ ସୁଧ ହାର ବୃଦ୍ଧି ଦୁର୍ବଳ ବ୍ୟାଙ୍କଗୁଡ଼ିକୁ ପ୍ରଭାବିତ କରିଥାଏ। କେଉଁଠି ନା କେଉଁଠି ଏଭଳି ଦୁର୍ଘଟଣା ଘଟିବାର ଥିଲା ବୋଲି ସେ କହିଥିଲେ।

୧୯୮୩ରେ ପ୍ରତିଷ୍ଠା ହୋଇଥିବା ସିଲିକନ ଭାଲି ବ୍ୟାଙ୍କ ଷ୍ଟାର୍ଟଅପ୍‌ ଉପରେ ଗୁରୁତ୍ବ ଦେଉଥିଲା। ଆମେରିକାର ଅଧାରୁ ଅଧିକ ପ୍ରଯୁକ୍ତି କଂପାନିକୁ ଏହା ଋଣ ଦେଇଥିଲା। ସମ୍ପତ୍ତି ଦୃଷ୍ଟିରୁ ଏହା ଆମେରିକାର ୧୬ତମ ବଡ଼ ବ୍ୟାଙ୍କ ଥିଲା। ଋଣ ଦେବା ଲାଗି ପାଣ୍ଠିର ଘୋର ଅଭାବ ଦେଖାଦେବାରୁ ଏହି ବ୍ୟାଙ୍କ ବନ୍ଦ ହୋଇଯାଇଛି। ନୂଆ ପାଣ୍ଠି ହାସଲ କରିବାର ସବୁ ଉଦ୍ୟମ ବିଫଲ ହେବା ପରେ କାଲିଫର୍ଣ୍ଣିଆର ବ୍ୟାଙ୍କିଙ୍ଗ ନିୟାମକ ସଂସ୍ଥା ବ୍ୟାଙ୍କକୁ ନିଜ ଅଧୀନକୁ ଆଣିଛନ୍ତି। ସ୍ଥିତି ସୁଧାରିବା ପରେ ବ୍ୟାଙ୍କକୁ ବିକ୍ରି କରାଯିବାର ଯୋଜନା ରହିଛି।

ସିଲିକନ ଭାଲି ବ୍ୟାଙ୍କ ବିଫଳତାକୁ ୨୦୦୮ ପରବର୍ତୀ ସମୟର ସବୁଠୁ ବଡ଼ ବ୍ୟାଙ୍କ ବିଫଳତା ଭାବେ ବିଚାର କରାଯାଉଛି। କିଛି ବିଶେଷଜ୍ଞଙ୍କ ମତରେ ଲେହମ୍ୟାନ୍ ବ୍ରଦର୍ସ ବିଫଳ ହେବା ପରେ ଯେଉଁଭଳି ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା ପୁଣି ଥରେ ସେଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଅନ୍ୟ କିଛି ବିଶେ‌ଷଜ୍ଞ ସେଭଳି ଆଶଙ୍କାକୁ ଅସ୍ବୀକାର କରୁଛନ୍ତି।

Leave a Reply

Your email address will not be published. Required fields are marked *