ମୁଖ୍ୟ ଖବର

ରାହୁଲ୍‌ ଗାନ୍ଧୀଙ୍କ ଇଂଲଣ୍ଡ ମନ୍ତବ୍ୟ ପାଇଁ ହଟ୍ଟ‌ଗୋଳ ଯୋଗୁଁ ଦିନ ୨ଟାଯାଏଁ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍‌ ଅଧିବେଶନର ଦ୍ବୀତିୟାର୍ଦ୍ଧ ଆରମ୍ଭ ହେବା କ୍ଷଣି ଇଂଲଣ୍ଡ୍‌ରେ ଭାରତକୁ ଅପମାନିତ କରିଥିବା ସାଂସଦ ରାହୁଲ୍‌ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଲୋକସଭାରେ ‘ବିଜେପି’ ସାଂସଦମାନେ ଦାବି କରି ହଟ୍ଟଗୋଳ କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି।

ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଲେ, ଏ ଗୃହର ସଦସ୍ୟ ରାହୁଲ୍‌ ଗାନ୍ଧୀ ଲଣ୍ଡନ୍‌ରେ ଭାରତକୁ ଅପମାନିତ କରିଛନ୍ତି। ମୋର ଦାବି ଯେ, ଗୃହର ସମସ୍ତ ସଦସ୍ୟ ତାଙ୍କ ମନ୍ତବ୍ୟ ସବୁକୁ ନିନ୍ଦା କରିବା ଉଚିତ। ତାଙ୍କୁ ମଧ୍ୟ ଗୃହରେ କ୍ଷମାପ୍ରାର୍ଥନା କରିବାକୁ କୁହାଯିବା ଉଚିତ।

ଲଣ୍ଡନ୍‌ରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଦେଇଥିବା ଭାଷଣ ବିଷୟରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିବାରୁ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ।

ସେପଟେ,  ଭାରତୀୟ ଗଣତନ୍ତ୍ରର ବ୍ୟବସ୍ଥା ସବୁ ଖୁବ୍‌ ବିପଦଗ୍ରସ୍ତ ବୋଲି ମନ୍ତବ୍ୟ ଦେଇଥିବା ରାହୁଲ୍‌ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବି କରି ‘ବିଜେପି’ ସାଂସଦମାନ‌େ ଲୋକସଭାରେ ଗୋଳମାଳ ଆରମ୍ଭ କରିଥିଲେ।

ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଲୋକସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ସେହିପରି, ବିରୋଧୀ ଦଳମାନେ ‘ଆଦାନି ଷ୍ଟକ୍‌’ ମାମଲା କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ଗୋଳମାଳ କରିବାରୁ ରାଜ୍ୟସଭାକୁ ମଧ୍ୟ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଦ୍ୟତମ ସୂଚନା ଅନୁସାରେ, ରାଜ୍ୟସଭାର ବିରୋଧୀ ସଦସ୍ୟମାନେ ବିଜୟ ଚୌକ୍‌କୁ ପଦଯାତ୍ରାରେ ଯାଇ ସେଠାରେ ସାମ୍ବାଦିକ ସମ୍ମିଳନୀ କରିବେ।

Leave a Reply

Your email address will not be published. Required fields are marked *