ହୋଲିରେ ରକ୍ତ ରଞ୍ଜିତ ହେଲା ସମ୍ବଲପୁର: ଯୁବକଙ୍କୁ ଛୁରି ଭୁସି ହତ୍ୟା
ସମ୍ବଲପୁର,: ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତ ରଞ୍ଜିତ ହୋଇଛି ସମ୍ବଲପୁର ସହର। ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ୟ କଥାରେ ବଚସା ଘଟି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାହୁଲ ସିଂହ(୨୫) ନାମକ ଜଣେ ଯୁବକ ସାହୁ କଲୋନୀର ଆଦିତ୍ୟ ସାଲେମା(୧୮)ଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାହୁଲଙ୍କୁ ଗିରଫ କରି ତନାଘନା ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁଟିକୁ ଜବତ କରିଛି। ପୋଲିସ ଆଦିତ୍ୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ମିଳିଥିବା ସୂଚନା ମୁତାବକ, ସମ୍ବଲପୁରରେ ହୋଲି ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ନିଜେ ଆରକ୍ଷୀ ଅଧିକ୍ଷକ ଓ ବରିଷ୍ଠ ପୋଲିସ ଅଧିକାରୀ ସହର ପରିକ୍ରମା କରି ସୁରକ୍ଷା ବ୍ୟବସ୍ଥା ତର୍ଜ୍ଜମା କରୁଥିଲେ। ଏପରିକି ଯେକୌଣସି ଅଘଟଣକୁ ରୋକିବା ପାଇଁ ଜିଲାର ସମସ୍ତ ଅଞ୍ଚଳର ଅଗ୍ନିଶମ ବାହିନୀ ସଜାଗ ରହିଥିଲା।ସମଗ୍ର ସହରର ବିଭିନ୍ନ ସ୍ଥାନରେ ବେଶ ହର୍ଷ ଉଲ୍ଲାସ ତଥା ଶାନ୍ତି ଶୃଙ୍ଖଳାର ସହିତ ଶିଶୁରୁ ବୟସ୍କ ହୋଲି ଖେଳରେ ମଜ୍ଜି ରହିଥିଲେ। ସବୁ ଠିକ୍ଠାକ ଚାଲିଥିଲା। ହଠାତ ଅପରାହ୍ନ ପ୍ରାୟ ୩ଟାରେ ଟାଉନଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ୟ କଥାକୁ ନେଇ ସାହୁଲ ଏବଂ ଆଦିତ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସାହୁଲ ଧରିଥିବା ଏକ ଛୁରିରେ ଆଦିତ୍ୟଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଆଦିତ୍ୟଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।