ମନୋରଞ୍ଜନ

ଆଦିଲଙ୍କୁ ଛାଡପତ୍ର ଦେବିନି କି ରଖିବିନି : ରାକ୍ଷୀ ସାୱନ୍ତ

ମୁମ୍ବାଇ: ମା’ଙ୍କୁ ହରାଇବା ପରେ ପରେ ସ୍ବାମୀ ଧୋକା ଦେଇଥିଲେ। ହେଲେ ସବୁ ଦୁଃଖ ସହିବା ପରେ ଏବେ ଧୀରେ ଧୀରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ମା’ଙ୍କ ଦେହାନ୍ତ ହେବା ପରେ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ରହି ମା’ଙ୍କୁ ହରାଇବାରୁ ଦୁଃଖ ଭୁଲିଯିବେ ବୋଲି ରାକ୍ଷୀ ଭାବିଥିଲେ। ହେଲେ ଶେଷରେ ତାହାର ଓଲଟା ହିଁ ଘଟିଥିଲା। ସ୍ବାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଜଣାପଡ଼ିବା ସହ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏସବୁ ହେବା ପରେ ଆହୁରି ଭାଙ୍ଗିପଡ଼ିଥିଲେ ରାକ୍ଷୀ। ହେଲେ ସେ ହାରି ନଥିଲେ।

ଏସବୁରୁ ବାହାରକୁ ଆସିବା ପାଇଁ ନିଜକୁ କାମରେ ବ୍ୟସ୍ତ ରଖିବା ସହ ଦୁବ‌ାଇରେ ନିଜର ଆକ୍ଟିଙ୍ଗ ଏକାଡେମୀ ଖୋଲିଛନ୍ତି ରାକ୍ଷୀ। ଏମଧ୍ୟରେ ଆଦିଲଙ୍କୁ ନେଇ ତାଙ୍କର କ’ଣ ଯୋଜନା ରହିଛି ସେ ବିଷୟରେ ରାକ୍ଷୀ ଜଣାଇଛନ୍ତି। ‌ଟେଲି ଚକ୍କରକୁ ସାକ୍ଷାତକାର ଦେଇ ରାକ୍ଷୀ କହିଛନ୍ତି, “ମୁଁ ତାଙ୍କୁ କେବେ ବି ଛାଡପତ୍ର ଦେବି ନାହିଁ, କିନ୍ତୁ ମୁଁ ତାଙ୍କୁ ମୋ ଜୀବନକୁ ମଧ୍ୟ କେବେବି ଫେରାଇ ଆଣିବି ନାହିଁ। କାରଣ ବର୍ତ୍ତମାନ ତାଙ୍କୁ ଫେରାଇ ଆଣିବାରେ ବିପଦ ରହିଛି। ମୁଁ ଜାଣେ ଯେ ଯଦି ସେ ଫେରି ଆସନ୍ତି ତେବେ ସେ ମୋଠାରୁ ପ୍ରତିଶୋଧ ନେବେ।”

ଏହା ପୂର୍ବରୁ ରାକ୍ଷୀ ଏକ ମ୍ୟୁଜିକ ଭିଡିଓ ରିଲିଜ କରିଥିଲେ ଯେଉଁଥିରେ ସେ ଆଦିଲ ଦେଖା ହେବାଠାରୁ ଧୋକା ଦେବା ପର୍ଯ୍ୟନ୍ତର କାହାଣୀ ବଖାଣିଥିଲେ।

Leave a Reply

Your email address will not be published. Required fields are marked *