ଆଦାନି ଉପରକୁ ନା ତଳକୁ!
ବର୍ତ୍ତମାନର ବିଶ୍ୱରେ ଏପରି ଜଗତ୍କରଣ ହୋଇଛି ଯେ, ରାଜନେତା, ବ୍ୟବସାୟୀ, ବିଶ୍ୱନେତା, ଏପରିକି ଧମଗୁରୁମାନଙ୍କର ଭାଗ୍ୟରେ ଆକସ୍ମିକ ପରିବର୍ତ୍ତନ ହୋଇଯାଉଛି ଯାହାକୁ କେହି କଳ୍ପନା ମଧ୍ୟ କରିପାରୁନାହାନ୍ତି। ଭାରତରେ ସେମିତି ଘଟିଛି ବହୁ ଶୀଘ୍ର ଉପରକୁ ଉଠିଥିବା ଶିଳ୍ପପତି ଗୌତମ ଆଦାନିଙ୍କୁ କ୍ଷେତ୍ରରେ। ଏହି ୬୦ ବର୍ଷ ବୟସ୍କ ଶିଳ୍ପପତି ବ୍ୟବସାୟୀଙ୍କୁ ଭାରତର ସବୁଠାରୁ ବଡ଼ ଧନୀ ହିସାବରେ ହଠାତ୍ ଦେଖାଗଲା। ସେତେବେଳେ ଭାରତର ସବୁଠୁଁ ଧନୀ ବୋଲି ମୁକେଶ ଅମ୍ବାନିଙ୍କୁ ଗଣାଯାଉଥିଲା ଓ ଅମ୍ବାନି ପରିବାର ଭାରତର ସର୍ବାଧିକ ଧନୀ ବୋଲି ପରିଚିତ ଥିଲେ। ଗୌତମ ଆଦାନି ଲୋକମାନଙ୍କ ମଧ୍ୟରେ ସେତେ ବେଶୀ ପରିଚିତ ନଥିଲେ। କିନ୍ତୁ ଗତ ସେପ୍ଟେମ୍ବର ୧୯, ୨୦୨୨ରେ ଦେଖାଗଲା ଯେ, ସେ ହେଉଛନ୍ତି ବିଶ୍ୱର ଦୁଇ ନମ୍ବର ଧନୀ।
ଏହା ପରେ ସେ ଧନୀ ତାଲିକାରେ ୩ ନମ୍ବରକୁ ଖସିଲେ ମଧ୍ୟ ବେଶ କିଛି ସପ୍ତାହ ଧରି ସେହି ସ୍ଥାନରେ ରହିଲେ। ଗତ ଡିସେମ୍ବର ୨୦୨୨ ବେଳକୁ ତାଙ୍କର ମୋଟ ସମ୍ପତ୍ତି ୧୮ ଲକ୍ଷ କୋଟି ଟଙ୍କା ହୋଇଥିଲା। ସେ ଭାରତରେ ଏକ ବ୍ୟାପକ ବ୍ୟାବସାୟିକ ସାମ୍ରାଜ୍ୟ ଗଠନ କରିଥିଲେ, ଯେଉଁଥିରେ ବିଦ୍ୟୁତ୍ ଉତ୍ପାଦନ, ବନ୍ଦର, ବିମାନ ବନ୍ଦର, ଗଣମାଧ୍ୟମ, ଭିତ୍ତିଭୂମି ନିର୍ମାଣ ଆଦି କ୍ଷେତ୍ରରେ ତାଙ୍କର ବ୍ୟାପକ ବିସ୍ତାର ହେଲା। ଓଡ଼ିଶାର ଧାମରାଠାରେ ମଧ୍ୟ ସେ ଏକ ବନ୍ଦର ନିର୍ମାଣ କଲେ। ଏ.ସି.ସି., ଅମ୍ବୁଜା ପରି ପୁରୁଣା ସିମେଣ୍ଟ କମ୍ପାନିମାନଙ୍କୁ ସେ କିଣି ନେଲେ। ଭାରତର ପ୍ରସିଦ୍ଧ ‘ଇଣ୍ଡିଆ ଟୁଡେ’ ସାପ୍ତାହିକ ପତ୍ରିକାର ପ୍ରଥମ ପୃଷ୍ଠାରେ ଗତ ଜାନୁଆରିରେ ତାଙ୍କର ପୂର୍ଣ୍ଣାୟବ ଫଟୋଚିତ୍ର ପ୍ରକାଶ ପାଇଥିଲା। ତାଙ୍କୁ ୨୦୨୨ର ‘ନ୍ୟୁଜ୍ ମେକର’ ବୋଲି ଏହି ପତ୍ରିକା ବର୍ଣ୍ଣନା କରିଥିଲା। କିନ୍ତୁ ଗତ ଜାନୁଆରି ୨୪ ପରେ ସବୁ କିଛି ହଠାତ୍ ବଦଳିଗଲା।
ସେହି ଦିନ ହଠାତ୍ ଆମେରିକାର ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ବୋଲି ଏକ ସଂସ୍ଥା ତାଙ୍କ କମ୍ପାନି ସମ୍ପର୍କରେ ଏକ ରିପୋର୍ଟ ଛାପିଲା। ଏହି ହିଣ୍ଡେନବର୍ଗ ହେଉଛି ଏକ ‘ସର୍ଟ ସେଲିଂ’ କମ୍ପାନି; ଅର୍ଥାତ, ଅଳ୍ପ ମୂଲ୍ୟରେ ଗୋଟିଏ କମ୍ପାନିର ଅଂଶଧନ କିଣି ବେଶୀ ଦାମରେ ବିକିବା ଏପରି କମ୍ପାନିମାନଙ୍କର ଅଭ୍ୟାସ। ଏହା ଦ୍ୱାରା ସେମାନେ ବିପୁଳ ଲାଭ କରିଥାନ୍ତି। ସେମାନେ ଆଦାନି ଗ୍ରୁପ୍ର କମ୍ପାନିମାନଙ୍କ ସମ୍ପର୍କରେ ଲେଖିଥିଲେ ଯେ, ଆଦାନି ଗୋଷ୍ଠୀ ଜାଲିଆତି କରି ତାଙ୍କ କମ୍ପାନିର ଅଂଶଧନ (ସେୟାର)ମାନଙ୍କର ମୂଲ୍ୟ ବଢ଼ାଇଛନ୍ତି। ତାଙ୍କର ବିଦେଶରେ ଅନେକ ଜାଲ କମ୍ପାନିମାନ ଅଛି। ଏହି କମ୍ପାନିମାନେ ପରସ୍ପର ଭିତରେ ସେୟାର କିଣାକିଣି ହୋଇ କୃତ୍ରିମ ଉପାୟରେ ତା’ର ମୂଲ୍ୟ ବଢ଼ାଇଥାନ୍ତି। ଏହା ଛଡ଼ା ତାଙ୍କ କମ୍ପାନିରେ ହିସାବ କିତାବ ଜାଲିଆତି କରାଯାଇ ନିବେଶକମାନଙ୍କୁ ତାଙ୍କ କମ୍ପାନିର ଅଂଶଧନର ମୂଲ୍ୟ ବହୁତ ଅଧିକ ଅଛି ବୋଲି ଦେଖାଇଥାନ୍ତି ଯେମିତି ନିବେଶକମାନେ ସେହି କମ୍ପାନିମାନଙ୍କରେ ଅର୍ଥ ଲଗାଣ ପାଇଁ ପ୍ରବଳ ଆଗ୍ରହୀ ହେବେ।
ଏହି ଧରଣର ରିପୋର୍ଟ ପ୍ରକାଶ ପାଇବାରୁ ଓ ଆମେରିକା ପରି ଦେଶମାନଙ୍କରେ ଭାରତ ସମ୍ପର୍କରେ ପ୍ରକାଶ ପାଉଥିବା ରିପୋର୍ଟମାନଙ୍କୁ ଭାରତୀୟମାନେ ବିଶ୍ୱାସ କରୁଥିବାରୁ ଆଦାନି କମ୍ପାନମାନଙ୍କର ଅଂଶଧନମାନଙ୍କର ମୂଲ୍ୟ ହଠାତ ୧୨,୦୦୦ କୋଟି ଡଲାର ତଳକୁ ଖସିପଡ଼ିଲା; ଅର୍ଥାତ ଆଦାନି ଗୋଷ୍ଠୀର କମ୍ପାନିମାନଙ୍କର ମୂଲ୍ୟ ୧୦ ଲକ୍ଷ କୋଟି ଟଙ୍କା ହଠାତ୍ କମିଗଲା। ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହୋଇଥିବା ତାଙ୍କ କମ୍ପାନିମାନଙ୍କର ମୂଲ୍ୟ ଏପରି କମିବା ଦେଖାଗଲା। ତାଙ୍କ କମ୍ପାନିମାନଙ୍କର ମୋଟ ମୂଲ୍ୟ ୯.୮ ଲକ୍ଷ କୋଟି ଟଙ୍କାକୁ ଛୁଇଁଲା। ମାତ୍ର ସପ୍ତାହକ ତଳେ ତାଙ୍କ କମ୍ପାନିମାନଙ୍କର ମୂଲ୍ୟ ଏହାର ଦୁଇ ଗୁଣ ଥିଲା। ଏବଂ ଏଇଥି ପାଇଁ ସେ ବିଶ୍ୱ ଧନୀକ ତାଲିକାରେ ଯେଉଁ ୩ ନମ୍ବର ସ୍ଥାନରେ ଥିଲେ, ସେଥିରୁ ଖସି ୧୭ ନମ୍ବରକୁ ଆସିଗଲେ। ତାଙ୍କର ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ୬୪୬୦ କୋଟି ଡଲାରକୁ ଖସିଆସିଲା। ଅଥଚ, ମାତ୍ର କେଇ ଦିନ ତଳେ ଏହି କମ୍ପାନି ଦେଶର ସର୍ବବୃହତ୍ ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ଥିଲେ। ତାଙ୍କ ହାତରେ ଅନେକ ବନ୍ଦର, ବିମାନବନ୍ଦର, ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, ଖାଉଟି ଗ୍ୟାସ ବ୍ୟବସାୟ ଆଦି ଥିଲା। ସୌର, ବାୟୁ ଓ ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷେତ୍ରରେ ସେ ଭାରତରେ ସର୍ବୋଚ୍ଚ ସ୍ଥାନରେ ଥିଲେ।
ଯେତେବେଳେ ତାଙ୍କ ଉପରେ ହିଣ୍ଡେନବର୍ଗ କମ୍ପାନି ଆକ୍ରମଣ କଲା, ସେତେବେଳେ ସେ ଅବଶ୍ୟ ଏହାକୁ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଆକ୍ରମଣ ବୋଲି କହିଲେ ଓ ଆମେରିକାର ଏକ ବିଶିଷ୍ଟ ଓକିଲ ଫାର୍ମକୁ ହିଣ୍ଡେନବର୍ଗ କମ୍ପାନି ବିରୋଧରେ ମୋକଦ୍ଦମା କରିବା ପାଇଁ ଲଗାଇବାକୁ ଯାଉଛନ୍ତି। ଅତୀତରେ ହିଣ୍ଡେନବର୍ଗ ଓ ସେହିପରି କମ୍ପାନିମାନେ ଚୀନ ଓ ଅନ୍ୟ ଦେଶର କମ୍ପାନିମାନଙ୍କ ବିରୋଧରେ ଏପରି ରିପୋର୍ଟମାନ ଦେଇ ସେମାନଙ୍କ ମୂଲ୍ୟ କମାଇବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି।
(ଏଲ୍.ଆଇ.ସି.) ପକ୍ଷରୁ କୁହାଯାଇଛି ଯେ ଏହାର ଆଦାନି କମ୍ପାନିଙ୍କୁ ଋଣ ଓ ସେଠାରୁ ଅଂଶଧନ କ୍ରୟ ସେମାନେ ଦେଇଥିବା ମୋଟ ଋଣ ଆଦିର ମାତ୍ର ୧% ଅଟେ। ଏହି ଋଣ ଦିଆଯିବା କ୍ଷେତ୍ରରେ ବୀମା ନିୟନ୍ତ୍ରକ ଓ ବିକାଶ ପ୍ରାଧିକରଣ (ଆଇ.ଆର୍.ଡି.ଏ.)ର ସହମତି ଅଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତୀୟ ଅର୍ଥନୀତିର ସ୍ଥିତି ଅତି ସୁଦୃଢ଼ ଅଛି ଓ ଆଦାନି ଗୋଷ୍ଠୀକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହାଛଡ଼ା ଷ୍ଟକ ମାର୍କେଟକୁ ନିୟନ୍ତ୍ରଣ କରୁଥିବା ‘ସେବି’ ଏହି ଘଟଣା ସମ୍ପର୍କରେ ତଦନ୍ତ କରି ମତାମତ ଦେବ।
ଏବେ ଆଦାନି ଗୋଷ୍ଠୀକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ‘ସେବି’ ପରି ଅର୍ଥ ନିୟନ୍ତ୍ରକମାନଙ୍କ ନିକଟରେ ପ୍ରମାଣିତ କରିବାକୁ ପଡ଼ିବ ଯେ, ସେମାନେ ନିଜ ଧନକୁ ମରିସସ୍ ଆଦି ଦେଶମାନଙ୍କରେ ଖୋଲା ଯାଇଥିବା ଜାଲ କମ୍ପାନିମାନଙ୍କୁ ଅର୍ଥ ପଠାଇ ପୁଣି ସେହି ଅର୍ଥକୁ ଭାରତକୁ ଆଣି ଏଠାରେ ଲଗାଣ କରୁନାହାନ୍ତି। ଏହା ଫଳରେ ସେମାନଙ୍କର ଲାଭ ହେଉଛି ବିପୁଳ। ଏହି ଶତାବ୍ଦୀର ପ୍ରଥମ ଦଶକରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲାବେଳେ ହର୍ଷଦ ମେହେଟ୍ଟା ଓ କେତନ ପାରିଖ ଆଦି ନିବେଶକମାନଙ୍କ ବିରୋଧରେ ଠିକ୍ ଏହି ଧରଣର ଅଭିଯୋଗ ଆସିଥିଲା ଯେ, ସେମାନେ ମରିସସ୍ ଆଦି ଦେଶର କମ୍ପାନିମାନଙ୍କ ଜରିଆରେ ଭାରତକୁ ଅର୍ଥ ଆଣି ତା’ ଉପରେ ଟିକସ ଫାଙ୍କୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଦାନି ଗୋଷ୍ଠୀର ଋଣ ହେଉଛି ୨ ଲକ୍ଷ ୧୦ ହଜାର କୋଟି ଟଙ୍କା। କିନ୍ତୁ ତାଙ୍କ ପାଖରେ ୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅଛି, ଯାହା ଅନେକ ଲାଭ କରୁଛି। ଅର୍ଥାତ୍, ଆଦାନି ଗୋଷ୍ଠୀକୁ ଦିଆଯାଇଥିବା ଋଣ ବୁଡ଼ିଯିବନାହିଁ। ତେବେ ୨୦୧୪-୧୫ରୁ ୨୦୨୧ ମଧ୍ୟରେ ତାଙ୍କର ମୂଳ ଧନରୁ ଆୟ ମାତ୍ର ୧୫ ଗୁଣ ଥିଲା ବେଳେ ଏହି ଲାଭ ଗତ ୨ ବର୍ଷରେ ୨୧୪ ଗୁଣ କେମିତି ବଢ଼ିଲା ସେ କଥାକୁ ଆଦାନିଙ୍କୁ ଅନୁସନ୍ଧାନକାରୀମାନଙ୍କ ଆଗରେ ପ୍ରମାଣିତ କରିବାକୁ ହେବ। ଯଦି ଏହି କଥା ପ୍ରମାଣିତ ହୋଇନପାରେ, ତେବେ ବିଶ୍ୱରେ ଭାରତର ମର୍ଯ୍ୟାଦା ରହିବନାହିଁ। ଏହା ହେଲେ ବିଶ୍ୱର ନିବେଶକମାନେ ଭାରତକୁ ଏକ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛ ଦେଶ ବୋଲି ଭାବିବେ ନାହିଁ। ଭାରତ ଏବେ ବିଶ୍ୱ ନଜରରେ ଆର୍ଥିକ ଦୃଷ୍ଟିରୁ ସର୍ବାଧିକ ବେଗରେ ବଢୁଥିବା ଦେଶ ଅଟେ। ଯଦି ଏହି ସମୟରେ ଭାରତର ଆର୍ଥିକ ଅସଂଗତି ପ୍ରମାଣିତ ହୁଏ ତେବେ ଆଉ ଭାରତର ଛବି ଉଜ୍ଜ୍ବଳ ହୋଇ ନ ରହି ମଳିନ ହୋଇଯିବ। ଆଉ ଅଧିକ ନିବେଶକ ଭାରତକୁ ଆସିବେ ନାହିଁ।