ମୁଖ୍ୟ ଖବର

ଷ୍ଟିୟରିଂ ଛାଡ଼ ଆନ୍ଦୋଳ: ଗାଡ଼ି ଅଟକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବୁଧବାରଠାରୁ ଓଡ଼ିଶା ଡ୍ରାଇଭର ଚାଳକ ମହାସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି। କିନ୍ତୁ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଏହି ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଏଡ଼ାଇବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରତିକ୍ରିୟାରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଆନ୍ଦୋଳନ ସମୟରେ ଯେମିତି ଜନସାଧାରଣ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ କମିସନରେଟ୍‌ ପୁଲିସ ସଜାଗ ରହିଛି।ରାସ୍ତାରେ କୌଣସି ଗାଡ଼ିକୁ କେହି ଜୋର୍‌ଜବରଦସ୍ତ ଅଟକାଇଲେ, ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେହି କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ୧୧୨କୁ କଲ୍‌ କରି ପୁଲିସର ସହଯୋଗ ନେଇପାରିବେ। ପରୀକ୍ଷାର୍ଥୀ, ବିମାନଯାତ୍ରୀ, ରେଳଯାତ୍ରୀମାନେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ପୁଲିସ ସଜାଗ ରହିବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପାଟ୍ରୋଲିଂ ଭ୍ୟାନ୍‌ ଓ ବାଇକ୍‌ ଘନଘନ ପଇନ୍ତରା ମାରିବ। ଅଧିକ ୧୫ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ସେହିପରି ସ୍ଥିତି ଉପରେ ନଜର ରଖିବା ପାଇଁ ୪୦ ଅଫିସର ଦାୟିତ୍ବରେ ଅଛନ୍ତି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିର ଖବର ପାଇବା ମାତ୍ରେ ଅଧିକାରୀ ଓ ଫୋର୍ସ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *