ମୁଖ୍ୟ ଖବର

ଭୁବନେଶ୍ବରମୁହାଁ ଦେଢ଼ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ

ଭୁବନେଶ୍ବର: ତିନି ମାସ ସମୟ ନେଲେ ସରକାର। ହେଲେ ଦାବି ପୂରଣ କଲେନି। ତେଣୁ ପୁଣିଥରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ହଜାରେ କି ଦୁଇ ହଜାର ନୁହେଁ, ବରଂ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ଦେଢ଼ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ। ଆସନ୍ତାକାଲି (ବୁଧବାର) ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭୁବନେଶ୍ବରକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁଅ ଛୁଟିବାରେ ଲାଗିଛି। କାର୍‌, ବସ୍‌, ଟ୍ରେନ୍‌ ଯୋଗେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକଜୁଟ୍‌ ହେବାକୁ କୁହାଯାଇଥିବାରୁ ସମୂହ ଛୁଟି ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଆସୁଥିବା ଜଣାପଡ଼ିଛି।

ରାଜଧାନୀରେ ‌ଦେଢ଼ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମ୍ନା କରିବା ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ଗୋଟିଏ ପଟେ ବିଧାନସଭା ଚାଲିଛି। ଆଉ ଅନ୍ୟପଟେ ଏତେ ସଂଖ୍ୟକ ଶିକ୍ଷକଶିକ୍ଷୟିତ୍ରୀ ଲୋୟର ପିଏମ୍‌ଜିରେ ଅଟକାଇବା ସମ୍ଭବପର ହେବ ନାହିଁ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନକୁ କମିସନରେଟ୍‌ ପୁଲିସ ପକ୍ଷରୁ ଅନୁମତି ଦିଆଯାଇ ନାହିଁ। ତା’‌ସତ୍ତ୍ବେ ବି ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ବରରେ ପହଞ୍ଚିଥିବାରୁ ପୁଲିସ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। କେଉଁଭଳି ଭାବେ ଆନ୍ଦୋଳନକୁ ଭଣ୍ଡୁର କରିବେ ସେଥିପାଇଁ ନକ୍ସା ପ୍ରସ୍ତୁତ ଚାଲିଛି। ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଘନ ଘନ ବୈଠକ ବସିଛି। ଶିକ୍ଷକମାନଙ୍କ ଆନ୍ଦୋଳନ ସାଙ୍ଗକୁ ବୁଧବାର ବସ୍‌ ଡ୍ରାଇଭରମାନେ ଧର୍ମଘଟକୁ ଓହ୍ଲାଇବାକୁ ଡାକରା ଦେଇଛନ୍ତି। ତେଣୁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ଏବେ ବଡ଼ ଆହ୍ବାନ ପାଲଟିଛିମିଳିଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୧୫ରେ ହେବାକୁ ଥିବା ଧାରଣା ଲାଗି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ) ପକ୍ଷରୁ ଗତ ୧୦ ତାରିଖରେ କମିସନରେଟ୍‌ ପୁଲିସର ଅନୁମତି ଲୋଡ଼ାଯାଇଥିଲା। ମାତ୍ର କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ଅନୁମତି ଦେବାକୁ ମନା କରାଯାଇଛି। ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ‌ଯେ ଦାବି ପୂରଣ ଲାଗି ଲୋୟର ପିଏମ୍‌ଜିକୁ ଆସୁଥିବା ସଙ୍ଗଠନଗୁଡ଼ିକୁ ବିଭିନ୍ନ ନିୟମ ଅନୁଯାୟୀ ଅନୁମତି ପ୍ରଦାନ କରାଯାଇଥାଏ। ଅତିବେଶିରେ ଏକ ହଜାର ଲୋକଙ୍କ ପାଇଁ ଧାରଣା ଦେବାର ବ୍ୟବସ୍ଥା ରହିଛି। ମାତ୍ର ୨୦୨୨ ନଭେମ୍ବର ୨୭ରେ ଆପଣଙ୍କ ସଙ୍ଗଠନଙ୍କୁ ଲୋୟର ପିଏମ୍‌ଜିରେ ଧାରଣା ଦେବା ଲାଗି ଅତିବେଶିରେ ୨୫୦୦ ଲୋକଙ୍କ ସମାଗମ ଲାଗି ଅନୁମତି ଦିଆଯାଇଥିଲା। ମାତ୍ର ଆନ୍ଦୋଳନକାରୀଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ ହୋଇଥିଲା। ଯେଉଁଥିପାଇଁ ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ମାଷ୍ଟରକ୍ୟାଣ୍ଟିନ୍‌ ଓ ରେଳ ଷ୍ଟେସନ ଅଞ୍ଚଳରେ ଶୋଭାଯାତ୍ରା ହୋଇଥିବାରୁ ରେଳ ଯାତ୍ରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ରାସ୍ତା ଜାମ୍‌ ସହ ବହୁ ଲୋକ ହନ୍ତସନ୍ତ ହୋଇଥିଲେ। ଏଥିସହ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଚାଲିଥିବାରୁ ସମସ୍ୟା ଉପୁଜିପାରେ। ତାହାକୁ ଦୃଷ୍ଟିରେ ରଖି ଧାରଣା ଲାଗି ଅନୁମତି ଦିଆଯାଇପାରିବ ନାହିଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।।

ଏବେ ମାଟ୍ରିକ୍‌ ପରୀକ୍ଷା ଚାଲିଛି। ବୁଧବାର କୌଣସି ପରୀକ୍ଷା ନ ଥିବା ‌ବେଳେ ୧୬ ତାରିଖରେ ବିଜ୍ଞାନ, ୧୮ରେ ସାମାଜିକ ବିଜ୍ଞାନ, ୨୦ରେ ଗଣିତ ବିଷୟର ପରୀକ୍ଷା ରହିଛି। ଉକ୍ତ ପରୀକ୍ଷା ପରିଚାଳନାରେ ପ୍ରାଥମିକ ବିଦ୍ୟାଳୟର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ଏଥିସହ ମାର୍ଚ୍ଚ ୨୧ରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା‌ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ସମୟରେ ଯଦି ଦେଢ଼ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ତେବେ ସମସ୍ୟା ଉପୁଜିପାରେ। ତାହାକୁ ନଜରରେ ରଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମୂହ ଛୁଟି ନ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି ଯେ ନୂତନ ପେନ୍‌ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ୧୫ ତାରିଖଠାରୁ ଆନ୍ଦୋଳନକୁ ଯାଉଛନ୍ତି। ସମୂହ ଛୁଟି ନେଇ ସେମା‌ନେ ଯାଉଥିବାରୁ ପିଲାଙ୍କ ପାଠପଢ଼ା ଓ ଚାଲିଥିବା ପରୀକ୍ଷା ପ୍ରଭାବିତ ହେବ। ତେଣୁ ଧାରଣାରେ ସାମିଲ ହେବାକୁ ଯାଉଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମୂହ ଛୁଟି ନ ଦେବାକୁ ବିଇଓ ଓ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଉକ୍ତ ନିର୍ଦ୍ଦେଶ ଆଧାରରେ ରାୟଗଡ଼ା, ବଲାଙ୍ଗୀର ସମେତ ଆଉ କିଛି ଡିଇଓ ନିଜ ଅଧୀନରେ ଥିବା ବିଇଓ ଓ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି।

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ) ପକ୍ଷରୁ କୁହାଯାଇଛି ଯେ ୩ଦଫା ଦାବିରେ ଦେଢ଼ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ। ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ୍‌ କରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ୬ ଓ ୮ ବର୍ଷ ଶିକ୍ଷକ ସହାୟକ କାର୍ଯ୍ୟକାଳକୁ ୬ ଓ ୮ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରାଯାଉ। ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଓ ନୂତନ ପେନସନ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍‌ ପୁନଃ ପ୍ରଚଳନ କରାଯାଉ। ଉକ୍ତ ଦାବିଗୁଡ଼ିକ ପୂରଣ ଲାଗି ୩ମାସ ହେଲା ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ମହାସଂଘ ପକ୍ଷରୁ ବୁଧବାର ପୂର୍ବାହ୍ନ ୧୧ଟା ୩୦ରେ ଲୋୟର ପିଏମ୍‌ଜିରେ ଶୋଭାଯାତ୍ରା କରାଯିବ। ଶିକ୍ଷକ ଶିକ୍ଷୟିତ୍ରୀ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ରାସ୍ତାରେ ବସିବେ।

Leave a Reply

Your email address will not be published. Required fields are marked *