ମନୋରଞ୍ଜନ

ନିଜ ସହରରେ ଏବେ ରାଧିକା

ରାଧିକା ମଦନ ନିଜ ନଅ ବର୍ଷର ଅଭିନୟ କ୍ୟାରିୟର୍‌ରେ ଛଅଟି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଏବେ ସପ୍ତମ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଛନ୍ତି। ତେବେ ଏହି ଚଳଚ୍ଚିତ୍ରଟି ତାଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି କାରଣ ପ୍ରଥମ ଥର ପାଇଁ ରାଧିକା ତାଙ୍କ ନିଜ ସହର ଦିଲ୍ଲୀରେ ସୁଟିଂ କରୁଛନ୍ତି। ଦିଲ୍ଲୀରେ ତାଙ୍କର ବାଲ୍ୟ କାଳ କଟିବା ପରେ ସେ କମ୍ ବସୟରୁ ନିଜ ଜନ୍ମସ୍ଥାନ ଛାଡ଼ି ଚାଲିଯାଇଥିଲେ। ଏହା ପରେ ସେ ମନୋରଂଜନ ଶିଳ୍ପକୁ ପ୍ରବେଶ କରି ବିବିଧ ରକମର ଅନୁସନ୍ଧାନମୂଳକ ଚରିତ୍ରରେ ଅଭିନୟ କରିଆସିଛନ୍ତି। ସେ ପ୍ରଥମେ ‘ମେରୀ ଆସିକି ତୁମସେ ହି’ ଧାରାବାହିକରେ ଅଭିନୟର ସୁଯୋଗ ପାଇଥିଲେ। ଏହା ପରେ ଟିଭି ଛାଡ଼ି ସେ ବଡ଼ ପରଦା ଆଡ଼କୁ ମୁହାଁଇଥିଲେ। ୨୦୧୮ରେ ବିଶାଲ ଭରଦ୍ବାଜଙ୍କ ‘ପଟାଖା’ ଚଳଚ୍ଚିତ୍ର ଥିଲା ତାଙ୍କର ପ୍ରଥମ ସିନେମା।ନିକଟରେ ସେ ସୁଟିଂ ଲାଗି ଦିଲ୍ଲୀରେ ପହଞ୍ଚିବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଉତ୍ସାହ ବ୍ୟକ୍ତ କରି ଲେଖିଥିଲେ ଯେ ତାଙ୍କୁ ପ୍ରଥମ ଥର ପାଇଁ ନିଜ ସହରରେ ସୁଟିଂ କରିବାର ସୁଯୋଗ ମିଳିଛି। କିନ୍ତୁ ସେଠାରେ କେଉଁ ଚଳଚ୍ଚିତ୍ରର ସୁଟିଂ ହେଉଛି ତାହା ଗୋପନରେ ରଖାଯାଇଛି। ଗତ ବର୍ଷକ ମଧ୍ୟରେ ସେ ଛଅଟି ମନରଂଜନ ପ୍ରକଳ୍ପରେ ଭାଗ ନେଇଥିଲେ ଯେଉଁଗୁଡ଼ିକ ଏ ବର୍ଷ ମୁକ୍ତିଲାଭ କରିବାର ଅଛି। ସେଥିରୁ ଗୋଟିଏ (‘କୁତ୍ତେ’ ନାମକ ସିନେମା) ମୁକ୍ତିଲାଭ କରିସାରିଛି। ସେହିପରି ତାଙ୍କ ଅଭିନୀତ ‘ସନା’ ଚଳଚ୍ଚିତ୍ର ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟୁଛି। ଆଗକୁ ‘କଚ୍ଚେ ଲିମ୍ବୁ’ ସମେତ ତାମିଲ ଚଳଚ୍ଚିତ୍ର ‘ସୁରାରାଇ ପୋଟ୍ରୁ’ର ହିନ୍ଦୀ ରିମେକ୍ ଓ ‘ହାପି ଟିଚର୍ସ ଡେ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଏସବୁ ତାଙ୍କ କ୍ୟାରିୟର୍‌ ଲାଗି ବିରାଟ ପାହୁଣ୍ଡ ହେବ ବୋଲି ୨୭ ବର୍ଷୀୟା ରାଧିକା ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *