ରାଜନୀତି

ନବୀନଙ୍କ ଓକିଲ ମାରଣ, ଶିକ୍ଷକ ମାରଣ ,କର୍ମଚାରୀ ମାରଣ,ଓ ସାମ୍ବାଦିକ ମାରଣ ନୀତିକୁ ନିନ୍ଦା କଲା ଆଇ. ସି. ପି


ଭୁବନେଶ୍ୱର :ନବୀନ ପଟ୍ଟନାୟକ ଦୀର୍ଘ ୨୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏକଛତ୍ରବାଦୀ ଏବଂ କ୍ଷମତାନ୍ଧ ହୋଇପଡ଼ିଛନ୍ତି ବୋଲି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ସଭାପତି ରମେଶ ଚନ୍ଦ୍ର ରାଉତ। ନବୀନ ପଟ୍ଟନାୟକ ପ୍ରଥମେ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ ଉଚ୍ଛେଦକରି ଓକିଲ ମାରଣ ନୀତିର ଏବଂ ରାଜ୍ୟ ସରକାରୀ କର୍ମଚାରୀ ମାରଣ ନୀତିର ଶୁଭ ଦେଇଥିଲେ। ତା ପରେ ବିଜୁ ଓଡ଼ିଶା ରୁ ବିଜୁ ଙ୍କୁ ଉଚ୍ଛେଦ କରି ନବୀନ ଓଡ଼ିଶା ଗଠନ ଆରମ୍ଭ କରି ସାରା ଓଡ଼ିଶାକୁ ଏକ ଅସାମାଜିକ ଓ ଅପସଂସ୍କୃତି ସମ୍ପନ୍ନ ବାର୍ତ୍ତା ଦେଇଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଯାହା ଫଳରେ ଓଡ଼ିଶାରେ ପୁଅମାନେ ନିଜର ବାପା, ମାଆ ମାନଙ୍କୁ ଆକ୍ରମଣ ଓ ହତ୍ୟା କରିବା ଆରମ୍ଭ କଲେଣି। ପିତୃହତ୍ୟାକାରୀ ମାନଙ୍କୁ ଓଡ଼ିଶା ସରକାର ଉତ୍କଳ ରତ୍ନ ଉପାଧି ଦିଅନ୍ତୁ ଏବଂ କେନ୍ଦ୍ର ସରକାର ଭାରତ ରତ୍ନ ଉପାଧି ଦିଅନ୍ତୁ ବୋଲି ଶ୍ରୀ ରାଉତ୍ ଅଟ୍ଟହାସ୍ୟ କରିଛନ୍ତି। ଏବେ ପୁଣି ନବୀନ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲିଗାଲ ସେଲ୍ ଉଚ୍ଛେଦ କରିବାକୁ ଉଦ୍ୟମ କରି ଶିକ୍ଷକ ଶିକ୍ଷୟିତ୍ରୀ ମାରଣ ଯଜ୍ଞ ଏବଂ ଓକିଲ ମାରଣ ଯଜ୍ଞ ଆରମ୍ଭ କରିଛନ୍ତି।ସାରା ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅସନ୍ତୋଷ ର ବହ୍ନି ଜଳୁଛି। ତେଣୁ ପ୍ରଶାସନିକ ନ୍ୟାୟାଧିକରଣର ଉଚ୍ଛେଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲିଗାଲ ସେଲ୍ ଉଚ୍ଛେଦ ନବୀନ ସରକାର ର ଆଉ ଏକ ଓକିଲ ମାରଣ ନୀତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାରଣ ନୀତି ବୋଲି ଇଣ୍ଡିଆନ୍ ସିଟିଜେନସ ପାର୍ଟି ଏହାର ଦୃଢ଼ ନିନ୍ଦା କରିଛି। କୋଭିଡ ଆଳରେ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଲୋକ ସେବା ଭବନ ଭିତରକୁ ପ୍ରବେଶ ନିଷେଧ କରିବା ନବୀନ ସରକାରର ଆଉ ଏକ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ମାରଣ ନୀତି ବୋଲି ଶ୍ରୀ ରମେଶ ରାଉତ୍ କହିଛନ୍ତି। ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ ପୁନ ପ୍ରତିଷ୍ଠା ନ ହେଲେ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲିଗାଲ ସେଲ୍ ଉଚ୍ଛେଦ ବନ୍ଦ ନହେଲେ ଓଡିଶା ସାରା ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ପାଇଁ ସମଗ୍ର ଓଡିଶାବାସୀ ଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଆହ୍ଵାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *