ରାଜନୀତି

୩ ଦିନ ହେବ ଗୃହରେ ମୋ ମାଇକ୍‌ ବନ୍ଦ: ଅଧୀର ରଞ୍ଜନ

ନୂଆଦିଲ୍ଲୀ : କଂଗ୍ରେସ ଲୋକ ସଭା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଗୃହରେ ସରକାରୀ ପ୍ରାୟୋଜିତ ବ୍ୟାଘାତ ପ୍ରସଙ୍ଗ ଉଠାଇଛନ୍ତି। ମୋ ସିଟ୍‌ ନିକଟରେ ଲାଗିଥିବା ମାଇକ ଗତ ତିନି ଦିନ ହେବ ବନ୍ଦ ରହିଛି। ଏହି କାରଣରୁ ମୁଁ ମୋର ମନ୍ତବ୍ୟ ରଖିବାରେ ସକ୍ଷମ ନୁହେଁ। ସରକାର ଜାଣିଶୁଣି ଗୃହ କାର୍ଯ୍ୟ ଚଳାଇ ଦେଉ ନ ଥିବା ଅଧୀର ଚିଠି ମାଧ୍ୟମରେ କହିଛନ୍ତି।
ଅଧୀର ଚିଠିରେ ଆହୁରି ମଧ୍ୟ କହିଛନ୍ତି ଯେ, ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବା ପରଠାରୁ ସରକାର ହଙ୍ଗାମା ସୃଷ୍ଟି କରି ଗୃହ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ଲୋକ ସଭା ସଦସ୍ୟ (ରାହୁଲ ଗାନ୍ଧୀ) ଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିବା ପାଇଁ ଏହା ପଛରେ କୌଣସି ଉଦ୍ଦେଶ୍ୟ ଅଛି କି? ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ସରକାରଙ୍କ ମନ୍ତ୍ରୀମାନେ ସକ୍ରିୟ ଭାବରେ ଏହି ହଙ୍ଗାମାକୁ ଆଗେଇ ନେଉଛନ୍ତି। ବିରୋଧୀଙ୍କୁ ମଧ୍ୟ ନିଜର ମତ ଉପସ୍ଥାପନ କରିବାର ସୁଯୋଗ ଦିଆଯାଉ ନାହିଁ। ଗତ ତିନି ଦିନ ଧରି ମୋ ସିଟ ମାଇକ ମଧ୍ୟ ବନ୍ଦ ଅଛି। ଏହି କାରଣରୁ ମୋର ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେବାକୁ ମୁଁ ସକ୍ଷମ ନୁହେଁ। ଏଭଳି ପରିସ୍ଥିତିରେ ବିରୋଧୀ ଦଳର ନେତାମାନଙ୍କୁ ସେମାନଙ୍କ ମତାମତ ଉପସ୍ଥାପନ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଅନୁରୋଧ କରୁଛି।
ସୂଚନାଯୋଗ୍ୟ, ରାହୁଲ ଲୋକ ସଭାରେ ବିରୋଧୀଙ୍କ ସ୍ବରକୁ ଦମନ କରାଯାଉଥିବା ଅଭିଯୋଗ କରି ଲଣ୍ଡନରେ କହିଥିଲେ ଯେ, ବିରୋଧୀ ଦଳର ନେତାଙ୍କ ମାଇକ ବନ୍ଦ କରିଦିଆଯାଉଛି। ରାହୁଲଙ୍କ ବିବୃତ୍ତିକୁ ରାଜ୍ୟ ସଭା ଉପାଧ୍ୟକ୍ଷ ତଥା ଲୋକ ସଭା ବାଚସ୍ପତି ସମାଲୋଚନା କରିଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ସଂସଦର ଉଭୟ ଗୃହରେ କଂଗ୍ରେସ ବିରୋଧରେ ହଙ୍ଗାମା କରୁଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *