ମୁଖ୍ୟ ଖବର

ଶକ୍ତିକାନ୍ତଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ସେ କୋଭିଡ୍ ମହାମାରୀ, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଭଳି ବହୁ ଆହ୍ବାନକୁ ସଫଳତାର ସହ ମୁକାବିଲା କରିଛନ୍ତି। ସେଷ୍ଟ୍ରାଲ୍ ବ୍ୟାଙ୍କିଙ୍ଗ୍‌ ହେଉଛି ଏକ ପ୍ରକାଶନୀ ସଂସ୍ଥା। ୨୦୧୫ରେ ଏହା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲା। ସେଣ୍ଟ୍ରାଲ୍ ବ୍ୟାଙ୍କିଙ୍ଗ ଜଣାଇଛି ଯେ ମହାମାରୀ ସମୟରେ ଉଭୟ ପାରମ୍ପରିକ ଓ ଅଣ ପାରମ୍ପରିକ ପଦକ୍ଷେପ ଜରିଆରେ ରିଜର୍ଭ ବ୍ୟାଙ୍କ ସଙ୍କଟର ମୁକାବିଲା କରିଥିଲା। ଭାରତ ସାମ୍ନା କରିଥିବା ଆହ୍ବାନଗୁଡ଼ିକର ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଏହାର ଭଣ୍ଡାରକୁ ମଧ୍ୟ ଉଚିତ୍‌ ଢଙ୍ଗରେ ବ୍ୟବହାର କରିଥିଲା।ଗତ ୧୦ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୯୦ ପ୍ରତିଶତ ବଢ଼ିଥିବା ବେଳେ ମୁଣ୍ଡପିଛା ଆୟ ୭୦% ବଢ଼ିଥିବା ବିଷୟ ଆଦି ବିଚାରକୁ ନେଇ ଶକ୍ତିକାନ୍ତଙ୍କୁ ଏହି ପୁରସ୍କାର ଦିଆଯାଇଛି। ଶକ୍ତିକାନ୍ତଙ୍କ ଅମଳରେ ଲୋକଙ୍କ ଦ୍ବାରା ୟୁପିଆଇ ବିଶେଷ ଭାବେ ଗ୍ରହଣୀୟ ହୋଇପାରିଛି। ବିଶ୍ବବ୍ୟାପୀ ୟୁପିଆଇକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଉଛି। କ୍ରିପ୍ଟୋକରେନ୍ସି ବିରୋଧରେ ଶକ୍ତିକାନ୍ତ ବହୁ ଦିନରୁ ସ୍ବର ଉଠାଇଥିଲେ ଏବଂ ସେ ନିଜ ଆଭିମୁଖ୍ୟକୁ ବଦଳାଇ ନାହାନ୍ତି। ତାଙ୍କ ଅଧୀନରେ ରିଜର୍ଭ ବ୍ୟାଙ୍କ ନିଜର ଡିଜିଟାଲ୍‌ ମୁଦ୍ରାର ପରୀକ୍ଷଣ ମଧ୍ୟ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *