ମହାନଗର

ବିଶ୍ବସ୍ତରୀୟ ଏସ୍‌ସିବି ନିର୍ମାଣ କାର୍ଯ୍ୟ ଧିମା

କଟକ : କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ୨୦୨୩ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କିନ୍ତୁ ବାରମ୍ବାର ସମୀକ୍ଷା ପରେ ବି ଯେଉଁଭଳି ଢଙ୍ଗରେ କାମ ଆଗେଇବା କଥା ତାହା ଆଗେଇ ପାରୁନି। ଅର୍ଥାତ୍‌ ବର୍ତ୍ତମାନ ସୁଦ୍ଧା ମାତ୍ର ୬/୭ ପ୍ରତିଶତ କାମ ଶେଷ ହୋଇଛି। ଏଭଳି ଧିମା କାମ ପାଇଁ ନିର୍ମାଣକାରୀ ସଂସ୍ଥା ଉପରେ ତିନୋଟି ପର୍ଯ୍ୟାୟରେ ୧୫ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଥିବା ଜଣାପଡିଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଯେତିକି କାର୍ଯ୍ୟ ହେବା କଥା ତା ନହେବା ଫଳରେ ଏହି ଜରିମାନା କରା ଯାଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ବିଶ୍ବସ୍ତରୀୟ ଏସ୍‌ସିବି ନିର୍ମାଣ କାର୍ଯ୍ୟକୁ କ୍ଲିନିକାଲ ବ୍ଲକ୍‌ ଓ ରେସିଡେନ୍‌ସିଆଲ୍‌ ବ୍ଲକ୍‌, ଏଭଳି ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ମୋଟ ୪୫ଏକର ସ୍ଥାନରେ ୨୬୩୬ କୋଟି ଟଙ୍କା ବ୍ୟୟରେ କ୍ଲିନିକାଲ ବ୍ଲକ୍‌ ଓ ୮୮୮କୋଟି ଟଙ୍କା ବ୍ୟୟରେ ରେସିଡେନ୍‌ସିଆଲ୍‌ ବ୍ଲକ୍‌ ତିଆରି ହେଉଛି। ଏଥିପାଇଁ ୧୩ଟି ଟାୱାର ଜି+୧୨କୋଠା ନିର୍ମାଣର ଯୋଜନା ରହିଛି। ଓବିସିସି ତତ୍ତ୍ବାବଧାନରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଲ୍‌ ଆଣ୍ଡ ଟି କ୍ଲିନିକାଲ୍ ବ୍ଲକ ଓ ନାଗାର୍ଜୁନ ରେସିଡେନ୍ସିଆଲ୍ ବ୍ଲକ୍ ନିର୍ମାଣ କାର୍ଯ୍ୟ କରୁଛି। କିନ୍ତୁ କାମ ଯେଉଁଭଳି ଆଗେଇବା କଥା ତାହା ହୋଇପାରୁନି। ଧାର୍ଯ୍ୟ ସମୟସୀମା ମଧ୍ୟରେ କେତେ କାମ କରାଯିବ, ସେ ନେଇ ନିର୍ମାଣକାରୀ ସଂସ୍ଥାକୁ ଟାର୍ଗେଟ ଦିଆଯାଇଛି। ଯଦି ସେହି ଟାର୍ଗେଟ ମଧ୍ୟରେ ସଂସ୍ଥା କାମ ନକରେ ତେବେ ସଂସ୍ଥା ଉପରେ ୫ କୋଟି ଟଙ୍କାର ଜରିମାନା ଲାଗୁ ହେବ। ଯଦି ପରବର୍ତ୍ତୀ ସମୟରେ ନିର୍ମାଣକାରୀ ସଂସ୍ଥା ଯେତିକି କାମ ହେବା କଥା ତାଠାରୁ ଅଧିକ କାମ କରାଇ ନିଏ ତାହେଲେ ତା ଉପରୁ ଜରିମାନା ଛାଡ କରାଯିବ। କିନ୍ତୁ ତିନୋଟି ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ଦୁଇଟି ଯାକ ଠିକା ସଂସ୍ଥା ବିଫଳ ହୋଇଥିବାରୁ ୧୫ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *